ନୂଆଦିଲ୍ଲୀ: ୫ଟି ରାଜ୍ୟରେ ଆୟୋଜିତ ବିଧାନସଭା ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରୁଥିବା ଆଶା କରାଯାଉଛି । ପଶ୍ଚିମବଙ୍ଗ ସମେତ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି । ପଶ୍ଚିମବଙ୍ଗର ୨୯୪ ବିଧାନସଭା ଆସନ ମଧ୍ୟରୁ ୨୯୩ରେ ଭୋଟ ଗଣନା କରାଯାଉଛି । ପ୍ରାଥମିକ ଭୋଟ ଗଣତିରେ ପଶ୍ଚିମବଙ୍ଗରେ ବିଜେପି ୧୫୭ ଆସନରେ ଆଗୁଆ ଥିବା ବେଳେ ଟିଏମସି ୧୧୫ ଆସନରେ ଆଗୁଆ ରହିଛି । ସେହିପରି ଅନ୍ୟ ଦଳ ୪ ଆସନରେ ଆଗୁଆ ରହିଛନ୍ତି । ପଶ୍ଚିମବଙ୍ଗରେ ବିଜେପିର ବିଜୟ ଆଶାରେ ବାରାଣସୀରେ ବଙ୍ଗୀୟ ସମାଜର ମହିଳାମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ସେମାନେ ଗଙ୍ଗା ନଦୀ କୂଳରେ ଶଙ୍ଖ ବଜାଇ ମା ଗଙ୍ଗା ଓ ଶିବଙ୍କୁ ଦଳର ବିଜୟ ପାଇଁ ପ୍ରାର୍ଥନା କରି ଝାଲମୁଢି ବାଣ୍ଟି ନିଜେ ଖାଇବା ସହିତ ଖୁସିରେ ନୃତ୍ୟୁ କରିଛନ୍ତି । ଏଥି ସହିତ ଦାବିର ସହ କହିଛନ୍ତି, ପଶ୍ଚିବଙ୍ଗରେ ବିଜେପି ହିଁ ବିଜୟୀ ହେବ । ଝାଲମୁଢି ଖାଇବା ଘଟଣାକୁ ନେଇ ବଙ୍ଗୀୟ ସମାଜର ମହିଳାମାନେ କହିଛନ୍ତି, ମୋଦୀ ରାସ୍ତା ପାଶ୍ୱର୍ରେ ଥିବା ଗରିବ ଲୋକଙ୍କ ଜଳଖିଆ ଝାଲମୁଢି ଖାଇ ନିଜ ଭିତରେ ଥିବା ସୁନ୍ଦର ମାନବିକତାର ପରିଚୟ ଦେଇଥିଲେ । ତାହାକୁ ଦୋହରାଇବା ପାଇଁ ଆମେ ଝାଲମୁଢି ଖାଇ ବଙ୍ଗଳାରେ ବିଜେପିର ବିଜୟ ପାଇଁ ପ୍ରାର୍ଥନା କରିଛୁ ।










