ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ୨୯୩ଟି ଆସନ ପାଇଁ ଭୋଟ ଗଣତି ଚାଲିଛି । ପ୍ରାରମ୍ଭିକ ଟ୍ରେଣ୍ଡ ବିଜେପିକୁ ବହୁମତ ପ୍ରଦାନ କରୁଛି । ବିଜେପି ୧୯୪ଟି ଆସନରେ ଓ ଟିଏମସି ୯୩ଟି ଆସନରେ ଆଗୁଆ ଅଛି । ଏପର୍ଯ୍ୟନ୍ତ ବିଜେପି ୪୫% ଭୋଟ ଓ ଟିଏମସି ୪୨% ଭୋଟ ପାଇଛି । ଭୋଟ ଗଣନା ସମୟରେ ପଶ୍ଚିମବଙ୍ଗର ଚାରୋଟି ସ୍ଥାନରେ ହିଂସା ଓ ସଂଘର୍ଷ ଘଟିଥିଲା। ଆସାନସୋଲରେ ଟିଏମସି କାର୍ଯ୍ୟାଳୟରେ ଭଙ୍ଗାରୁଜା କରାଯାଇଥିଲା ଓ ଜମୁରିଆରେ ପୋଡ଼ାଜଳା ଘଟଣା ଦେଖିବାକୁ ମିଳିଛି ।ନିର୍ବାଚନ ଫଳାଫଳ ଘୋଷଣା ହେବା ପୂର୍ବରୁ ଆସାନସୋଲର ଜମୁରିଆ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇଛି । ଜମୁରିଆର ଚୁରୁଲିଆ ଅଞ୍ଚଳରେ ତୃଣମୂଳ କଂଗ୍ରେସ (ଟିଏମସି)ର ଏକ ଦଳୀୟ କାର୍ଯ୍ୟାଳୟରେ ନିଆଁ ଲଗାଇ ଦିଆଯାଇଛି । ବିଜେପି କର୍ମୀ ଏହି ପୋଡ଼ାଜଳା କରିଥିବା ଅଭିଯୋଗ ହୋଇଛି । ଉତ୍ତର ୨୪ ପରଗଣାର ବାରାକପୁରରେ ରାଷ୍ଟ୍ରଗୁରୁ ସୁରେନ୍ଦ୍ରନାଥ ଗଣନା କେନ୍ଦ୍ରରେ ଟିଏମସି ଏବଂ ବିଜେପି କର୍ମୀଙ୍କ ମଧ୍ୟରେ ସଂଘର୍ଷ ହୋଇଛି । ଘଟଣାସ୍ଥଳରେ ସୁରକ୍ଷା କର୍ମୀ ଉପସ୍ଥିତ ଅଛନ୍ତି । ଆସନସୋଲରେ ଟିଏମ୍ସି କ୍ୟାମ୍ପ ଅଫିସରେ ଭଙ୍ଗାରୁଜା ହୋଇଛି । କୁଚବିହାରରେ ବିଜେପି ଓ ଟିଏମ୍ସି ସମର୍ଥକ ମୁହାଁମୁହିଁ ହେବାପରେ ସୁରକ୍ଷାକର୍ମୀ ଲାଠିଚାର୍ଜ କରିଛନ୍ତି ।










