ରାୟଗଡା: ରାୟଗଡା ଜିଲ୍ଲା ଗୁଣପୁର ଥାନା ଅନ୍ତର୍ଗତ ଡମ୍ବସରା ଗ୍ରାମର ଜଣେ ବିବାହିତ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ମୃତ ମହିଳା ଜଣକ ରଂଜିତା ତ୍ରିପାଠୀ । ସେ ଡମ୍ବସରା ଗ୍ରାମ ପଞ୍ଚାୟତର ନାଏବ ସରପଞ୍ଚ ବୋଲି ଜଣାପଡିଛି । ତେବେ ମୃତ୍ୟୁ ର କାରଣ ଅସ୍ପଷ୍ଟ ରହିଛି । ମୃତ ରଂଜିତାଙ୍କ ପରିବାର ବର୍ଗ ଗୁଣପୁର ଥାନାରେ ଦ୍ୱାରସ୍ଥ ହୋଇ ଏହା ହତ୍ୟା ନା ଆତ୍ମହତ୍ୟା ଘଟିଛି ଏହା ସଠିକ ତଦନ୍ତ ପାଇଁ ଗୁଣପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ, ମୃତ ରଂଜିତା ଡମ୍ବସରା ଗ୍ରାମର ନରସିଂହ ତ୍ରିପାଠୀଙ୍କୁ ୨୦୦୭ ମସିହାରେ ବିବାହ କରିଥିଲେ । ତେବେ କୌଣସି କାରଣବଶତଃ ଗତକାଲି ରଂଜିତାଙ୍କ ମୃତ୍ୟୁ ଘଟିଥିଲା । ସଙ୍ଗେ ସଙ୍ଗେ ପରିବାର ବର୍ଗ ରଂଜିତାଙ୍କୁ ଉଦ୍ଧାର କରି ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ପରିବାରବର୍ଗଙ୍କ ଅଭିଯୋଗ ଆଧାରରେ ଗୁଣପୁର ପୋଲିସ ଶବକୁ ଜବତ କରିବା ସହ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।









