27.1 C
Bhubaneswar
Friday, May 1, 2026
Homeଓଡିଶାଶ୍ରମିକ ଦିବସରେ କମର୍ସିଆଲ୍ ଏଲପିଜି ଦରବୃଦ୍ଧିକୁ ନେଇ ବିଜୁ ଜନତା ଦଳର ତୀବ୍ର ନିନ୍ଦା

ଶ୍ରମିକ ଦିବସରେ କମର୍ସିଆଲ୍ ଏଲପିଜି ଦରବୃଦ୍ଧିକୁ ନେଇ ବିଜୁ ଜନତା ଦଳର ତୀବ୍ର ନିନ୍ଦା

ଚାରି ମାସରେ ୬ଥର କମର୍ସିଆଲ୍ ଏଲ୍ପିଜି ଦର ବୃଦ୍ଧି ଚିନ୍ତାଜନକ
ସାଧାରଣ ଲୋକଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ଲଦୁଛି ସରକାର

ଭୁବନେଶ୍ୱର: କମର୍ସିଆଲ୍ ଏଲପିଜି ସିଲିଣ୍ଡର ଦରରେ ୯୯୩.୩ ଟଙ୍କା ବୃଦ୍ଧି ସହିତ ସମ୍ପ୍ରତି ହୋଇଥିବା ଏଲପିଜି ଦରବୃଦ୍ଧିକୁ ଦୃଢ଼ ଭାବରେ ନିନ୍ଦା କରିଛି ବିଜେଡି । ଏହାକୁ ଅନ୍ୟାୟପୂର୍ଣ୍ଣ ଓ ସମ୍ୱେଦନହୀନ ପଦକ୍ଷେପ ବୋଲି କହି ସାଧାରଣ ଲୋକଙ୍କ ଉପରେ ଅତିରିକ୍ତ ଆର୍ଥିକ ଭାର ପକାଇଥିବାର ଅଭିଯୋଗ କରିଛି ଦଳ ।
ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଏବଂ ବରିଷ୍ଠ ସାଧାରଣ ସମ୍ପାଦିକା ଶ୍ରୀମତୀ ରଞ୍ଜିତ ସାହୁ ଏଲପିଜି ଦର ବୃଦ୍ଧି ଉପରେ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି । ସେମାନେ କହିଛନ୍ତି ଯେ ଏଲପିଜି ଦର ଅଚାନକ ଭାବେ ବଢ଼ି ୩୦୭୧.୫୦ ଟଙ୍କାରେ ପହଞ୍ଚିଛି, ଯାହା ସର୍ବକାଳୀନ ରେକର୍ଡ । ଗତ ଚାରି ମାସରେ ଛଅଥର ଦରବୃଦ୍ଧି ହୋଇଛି, ଯାହା ୧୫୧୮ରୁ ବଢ଼ି ୩୦୭୧.୫୦ ଟଙ୍କାରେ ପହଞ୍ଚିଛି ।
ଶ୍ରୀମତୀ ସ୍ନେହଙ୍ଗିନୀ ଛୁରିଆ କହିଛନ୍ତି ଯେ ଏଲପିଜି ଦର ଗୋଟିଏ ଦିନରେ ୯୯୩ ଟଙ୍କା ବୃଦ୍ଧି ପାଇ ରେକର୍ଡ ସୃଷ୍ଟି କରିଛି । ଅନ୍ତର୍ଜାତୀୟ ଶ୍ରମିକ ଦିବସରେ ଯେଉଁମାନେ ଶ୍ରମ ଦାନ କରି ଦେଶର ଉନ୍ନତିରେ ଅବଦାନ ଦେଇଥାନ୍ତି, ସେମାନଙ୍କୁ ସମ୍ମାନ ଦେବା ପରିବର୍ତ୍ତେ ସରକାର ଏହି ଦିନରେ ଗ୍ୟାସ ଦରବୃଦ୍ଧି ରୂପୀ “ଉପହାର” ଦେଇଛନ୍ତି, ଯାହା ଅତ୍ୟନ୍ତ ଦୁଃଖଦ । ଶ୍ରମିକମାନଙ୍କୁ ସମ୍ମାନ କରିବା ପରିବର୍ତ୍ତେ ସେମାନଙ୍କ ଉପରେ ଅତିରିକ୍ତ ଆର୍ଥିକ ଭାର ଲଦି ଦିଆଯାଇଛି ।
ସେ ଆହୁରି କହିଛନ୍ତି ଯେ, କମର୍ସିଆଲ୍ ଏଲପିଜି ସିଲିଣ୍ଡରରେ ୯୯୩.୩ ଟଙ୍କା ବୃଦ୍ଧି ଛୋଟ ବ୍ୟବସାୟ, ରେସ୍ତୋରା, ଚା ଦୋକାନ ଏବଂ ହୋଟେଲ ଶିଳ୍ପ ଉପରେ ଗୁରୁତର ପ୍ରଭାବ ପକାଇବ । ଏହା ଫଳରେ ଖର୍ଚ୍ଚ ବଢ଼ିବା ସହିତ ଗ୍ରାହକମାନଙ୍କ ପାଇଁ ମୂଲ୍ୟ ବୃଦ୍ଧି ହେବ । ସାଧାରଣ ଲୋକମାନେ ବ୍ୟବହାର କରୁଥିବା ୫ ଲିଟର ସିଲିଣ୍ଡରରେ ମଧ୍ୟ ୨୬୧ ଟଙ୍କା ବୃଦ୍ଧି ହୋଇଛି, ଯାହା ପରିବାରର ବଜେଟ୍ ଉପରେ ଅଧିକ ଚାପ ସୃଷ୍ଟି କରୁଛି । ସରକାର ପର୍ଯ୍ୟଟନ ଉନ୍ନତିର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଗ୍ୟାସ ଦରବୃଦ୍ଧି ଫଳରେ ପର୍ଯ୍ୟଟନ ଅଞ୍ଚଳର ହୋଟେଲ ଓ ଛୋଟ ବ୍ୟବସାୟଗୁଡ଼ିକ ଚଲାଇବା କଷ୍ଟକର ହେଉଛି । ଏହା ଫଳରେ ଖାଦ୍ୟ ମୂଲ୍ୟ ବଢ଼ିବା ସହିତ ପର୍ଯ୍ୟଟନ ମଧ୍ୟ ପ୍ରଭାବିତ ହେବ । ସାଧାରଣ ଲୋକମାନେ ଦୈନନ୍ଦିନ ଆବଶ୍ୟକତା ପୂରଣ କରିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସରକାର ବାରମ୍ବାର ଦରବୃଦ୍ଧି ମାଧ୍ୟମରେ ସାଧାରଣ ଲୋକଙ୍କ ଉପରେ ଆର୍ଥିକ ଭାର ବଢ଼ୁଛି । ଯାହାକି ଗରିବ ବିରୋଧୀ ନୀତି । ମହଙ୍ଗାଇ ନିୟନ୍ତ୍ରଣ ଓ ଦରବୃଦ୍ଧି ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି ।
ସେହିପରି ଶ୍ରୀମତୀ ରଞ୍ଜିତ ସାହୁ ପ୍ରଶ୍ନ ଉଠାଇଛନ୍ତି ଯେ ଏଲପିଜି ଉତ୍ପାଦନ, ରିଜର୍ଭ ଓ ସ୍ଟୋରେଜ ପର୍ଯ୍ୟାପ୍ତ ଥିବା ସତ୍ତ୍ୱେ ଏବଂ ସପ୍ଲାଇ ସିଷ୍ଟମ୍ ସ୍ଥିର ଥିବା ସତ୍ତ୍ୱେ ଦର କାହିଁକି ବଢ଼ୁଛି । ନିରନ୍ତର ଏଲପିଜି ଦରବୃଦ୍ଧି ଫଳରେ ମହଙ୍ଗାଇ ବଢ଼ିଛି ଏବଂ ପରିବାର ସଞ୍ଚୟ ହ୍ରାସ ପାଇଛି । ଆବଶ୍ୟକୀୟ ଜିନିଷ ଏବେ ଅନେକଙ୍କ ପାଇଁ କ୍ରୟ କରିବା ସହଜ ହେଉନାହିଁ, ବିଶେଷକରି ମହିଳାମାନେ ଓ ଆର୍ଥିକ ଭାବେ ପଛୁଆ ଶ୍ରେଣୀ ଉପରେ ଅଧିକ ଚାପ ପଡ଼ୁଛି ।
ସେ ଆହୁରି ସମାଲୋଚନା କରିଛନ୍ତି ଯେ ସରକାର “ଆତ୍ମନିର୍ଭର ଭାରତ’ ଓ “ମେକ୍ ଇନ୍ ଇଣ୍ଡିଆ’ ଭଳି ନାରା ଦେଉଥିବା ବେଳେ ବାସ୍ତବତାରେ ଦେଶ ଦିନକୁ ଦିନ ତଳକୁ ତଳ ଯାଉଛି ଏବଂ ନାଗରିକଙ୍କ ଉପରେ ଖର୍ଚ୍ଚ ବଢ଼ୁଛି । ବିଜୁ ଜନତା ଦଳ କେନ୍ଦ୍ର ସରକାରଙ୍କୁ ତୁରନ୍ତ ମହଙ୍ଗାଇ ନିୟନ୍ତ୍ରଣ, ଏଲପିଜି ଦରବୃଦ୍ଧି ପ୍ରତ୍ୟାହାର ଏବଂ ସାଧାରଣ ଲୋକଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ଦାବି କରିଛି । ଦଳ ପୁନର୍ବାର କହିଛି ଯେ ସେମାନେ ସମସ୍ତ ଉପଯୁକ୍ତ ମଞ୍ଚରେ ଏହି ବିଷୟ ଉଠାଇବେ ଏବଂ ଦରବୃଦ୍ଧି ପୀଡ଼ିତ ନାଗରିକଙ୍କ ସହ ଦୃଢ଼ ଭାବେ ରହିବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking