28.1 C
Bhubaneswar
Friday, August 14, 2026
Homeଓଡିଶାମହିଳା ସଂରକ୍ଷଣ ବିଲ୍ ପ୍ରସଙ୍ଗରେ ବିଜେପିକୁ ବିଜେଡିର ପାଲଟା ଜବାବ

ମହିଳା ସଂରକ୍ଷଣ ବିଲ୍ ପ୍ରସଙ୍ଗରେ ବିଜେପିକୁ ବିଜେଡିର ପାଲଟା ଜବାବ

ପୂର୍ବରୁ ପାରିତ ମହିଳା ସଂରକ୍ଷଣ ବିଲ୍କୁ ଲାଗୁ କରିବାରେ ବିଜେପି ଟାଳଟୁଳ ନୀତି ଅବଲମ୍ୱନ କରୁଛି: ବିଜେଡି
ବିଜେପି ଦେଶର ଏକମାତ୍ର ଦଳ ଯିଏ ଆସନ ବୃଦ୍ଧି ବିନା ମହିଳା ସଂରକ୍ଷଣ ବିଲ୍କୁ ବିରୋଧ କରୁଛି
ଏହା ବିଜେପିର ପୁରୁଷ ପ୍ରାଧାନ୍ୟ ଓ ମହିଳା ବିରୋଧୀ ମନୋଭାବକୁ ପ୍ରଦର୍ଷିତ କରୁଛି
ମହିଳାଙ୍କୁ ସାମ୍ୱିଧାନିକ ପଦବୀରେ ସଂରକ୍ଷଣ ଦେବାରେ ଓ ସଶକ୍ତ କରିବାରେ ବିଜେଡି ସର୍ବାଗ୍ରେ ରହିଛି

ଭୁବନେଶ୍ୱର: ମହିଳା ସରଂକ୍ଷଣ ବିଲ୍ ପ୍ରସଙ୍ଗରେ ବିଜେପି ତରଫରୁ ବିରୋଧୀ ଦଳ ମାନଙ୍କୁ ମହିଳା ବିରୋଧୀ ବୋଲି କୁହାଯାଉଥିବାରୁ, ବିଜୁ ଜନତା ଦଳ କଡା ଜବାବ ଦେବା ସହିତ ବିଜେପି ମହିଳା ବିରୋଧୀ ବୋଲି ପାଲଟା ଅଭିଯୋଗ କରିଛି । ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ, ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଓ ଦଳର ବରିଷ୍ଠ ସାଧାରଣ ସମ୍ପାଦିକା ଶ୍ରୀମତୀ ରଞ୍ଜିତା ସାହୁ ମହିଳା ସଂରକ୍ଷଣ ବିଲ୍ ୨୦୨୩ ମସିହାରୁ ପାରିତ ହୋଇସାରିଥିବା ବେଳେ ଏହାକୁ ଲାଗୁ କରିବା ପରିବର୍ତ୍ତେ କେବଳ ନାଟକ କରୁଛି ବୋଲି କହିଛନ୍ତି । ଏହାର ପ୍ରତିବାଦରେ ବିଜେଡି ତରଫରୁ ମେ’ ୧୦ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ନାରୀ ଅଧିକାର ଅଭିଯାନ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ଘୋଷଣା କରିଛନ୍ତି ।

ଶ୍ରୀମତୀ ପ୍ରମିଳା ମଲ୍ଲିକ କହିଥିଲେ, ଯେଉଁଭଳି ଭାବେ ସଂସଦରେ ବିଶେଷ ଅଧିବେଶନ ଡାକି ମହିଳା ସଂରକ୍ଷଣ ବିଲ୍କୁ ସୀମା ପୁନଃ ନିର୍ଦ୍ଧାରଣ ବିଲ୍ ସହିତ ଯୋଡି ଏହାକୁ ପାରିତ କରିବାକୁ ଉଦ୍ୟମ କରୁଥିଲେ, ତାହା ସମଗ୍ର ଦେଶ ଦେଖିଲା । ଏହି ବିଲ୍ କାଟ୍ ଖାଇବା ପରେ ବିଧାନସଭାରେ ବିଶେଷ ଅଧିବେଶନ ଡାକି ବିରୋଧୀ ଦଳ ମାନଙ୍କ ଉପରେ ମିଥ୍ୟା ଆରୋପ ଲଦିବା ପାଇଁ ଅପପ୍ରୟାସ କରୁଛନ୍ତି । ପାରିତ ହୋଇସାରିଥିବା ମହିଳା ସଂରକ୍ଷଣ ବିଲ୍କୁ ଲାଗୁ କରିବାକୁ ବିଜେପିର ଟାଳଟୁଳ ନୀତି ଆଜି ଲୋକଲୋଚନରେ ଧରା ପଡ଼ିଯାଇଛି । ୨୦୨୩ ମସିହାରେ ଏହା ପାରିତ ହେବା ସମୟରେ ବିଜେଡି ସମେତ ଦେଶର ସମସ୍ତ ରାଜନୈତିକ ଦଳ ଗୁଡିକ ସମର୍ଥନ ଜଣାଇଥିଲେ ଓ ଆଜି ମଧ୍ୟ ଜଣାଉଛନ୍ତି । ସୀମା ପୁନଃ ନିର୍ଦ୍ଧାରଣ ନାମରେ ବିଜେପି ମହିଳା ସଂରକ୍ଷଣ ବିଲ୍କୁ ଅନିଶ୍ଚିତତା ଭିତରକୁ ଠେଲି ଦେବାକୁ ଉଦ୍ୟମ କରୁଛି । ନିଜକୁ ମହିଳାଙ୍କ ହିତେଇଶି ଓ ବିରୋଧୀଙ୍କୁ ମହିଳା ବିରୋଧୀ ବୋଲି ଦର୍ଶାଇବାକୁ ବିଜେପି ଜନଆକ୍ରୋଶ ରାଲି କରୁଛି । କିନ୍ତୁ ଦେଶର ମହିଳା ମାନେ ବୋକା ନୁହଁନ୍ତି, ସେମାନେ ଭଲ ଭାବେ ବୁଝି ସାରିଲେଣି । ବିଜେପି ଦେଶର ଏକ ମାତ୍ର ଦଳ ଯିଏକି ବର୍ତ୍ତମାନର ସଂସଦ ଓ ବିଧାନସଭା ଆସନ ଗୁଡିକରେ ସିଟ୍ ବୃଦ୍ଧି ନହେବା ପର୍ଯ୍ୟନ୍ତ ମହିଳା ସଂରକ୍ଷଣ ବିଲ୍ ଲାଗୁ କରିବାକୁ ଚାହୁଁନାହିଁ । ଏହା ତାଙ୍କ ଦଳର ପୁରୁଷ ପ୍ରାଧାନ୍ୟ ଓ ମହିଳା ବିରୋଧୀ ମନୋଭାବକୁ ପ୍ରଦର୍ଷିତ କରୁଛି । ତେଣୁ ବିଜେପିର ଏହି ନାରୀ ବିରୋଧୀ ମନୋଭାବକୁ ଲୋକଙ୍କ ସାମ୍ନାରେ ରଖିବା ପାଇଁ ବିଜେଡି ତରଫରୁ ନାରୀ ଅଧିକାର ଅଭିଯାନ ମେ’ ୧୦ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ।

ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ କହିଥିଲେ, ବିଜୁ ଜନତା ଦଳ ସମେତ ବିରୋଧୀ ଦଳ ମାନଙ୍କୁ ମହିଳା ବିରୋଧୀ ବୋଲି ବିଜେପି ଅଭିଯୋଗ କରିଆସୁଛି । ଏହା କେବଳ ଏକ ମିଛ ପ୍ରଚାର ବ୍ୟତୀତ ଆଉ କିଛି ନୁହେଁ । ମିଛ କହିବା, ବାରମ୍ୱାର ମିଛ କହିବା ଓ ଚିକ୍ରାର କରି ମିଛ କହିବା ବିଜେପିର ପୁରୁଣା ଅଭ୍ୟାସ । ୨୦୨୪ ମସିହା ସାଧାରଣ ନିର୍ବାଚନରେ ବିଜେପିର ଶୀର୍ଷ ନେତୃମଣ୍ଡଳୀ କିଭଳି ମିଛର ପ୍ରହେଳିକା ସୃଷ୍ଟି କରି ଓଡିଶାବାସୀଙ୍କୁ ଭ୍ରମିତ କରିଥିଲେ, ତାହା ଆଜି ଓଡ଼ିଶାବାସୀ ହୃଦୟଙ୍ଗମ କରିସାରିଲେଣି । ବିଜେପି କ୍ଷମତାକୁ ଆସିବାର ୨ ବର୍ଷ ଭିତରେ ରାଜ୍ୟରେ ମହିଳା ସୁରକ୍ଷା ଯେଉଁଭଳି ଭାବେ ବିପର୍ଯ୍ୟସ୍ତ ହୋଇଛି, ତାହା ରାଜ୍ୟକୁ ଦେଶ ତଥା ଆନ୍ତର୍ଜାତୀୟ ସ୍ତରରେ ନିନ୍ଦିତ କରିଛି । ମହିଳାଙ୍କ ବିରୋଧରେ ଅପରାଧ ତାଲିକାରେ ପ୍ରଥମ ୧୦ଟି ରାଜ୍ୟ ଭିତରେ, ଓଡିଶା ସମେତ ସମସ୍ତ ବିଜେପି ରାଜ୍ୟ ରହିଛି ।

ଅପରପକ୍ଷରେ ବିଜୁ ଜନତା ଦଳକୁ ମହିଳା ସଂରକ୍ଷଣ ବିଲ୍ର ବିରୋଧୀ ବୋଲି ବିଜେପି ତରଫରୁ ଯାହା ଅଭିଯୋଗ କରାଯାଉଛି, ତାହାକୁ ଶ୍ରୀମତୀ ଛୁରିଆ ଦୃଢ଼ ଖଣ୍ଡନ କରିଥିଲେ । ମହିଳାଙ୍କୁ ସାମ୍ୱିଧାନିକ ପଦବୀରେ ସଂରକ୍ଷଣ ପ୍ରଦାନ କରିବାରେ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ୧୯୯୨ ମସିହାରେ ଦେଶରେ ପ୍ରଥମ କରି ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ମହିଳାଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ କରିଥିଲେ । ତାଙ୍କ ସୁପୁତ୍ର ଶ୍ରୀ ନବୀନ ପଟ୍ଟନାୟକ ଏହାକୁ ୫୦%କୁ ବୃଦ୍ଧି କରିଥିଲେ । ଏହାଛଡା ଦେଶରେ ଯେତେବେଳେ ମହିଳା ସଂରକ୍ଷଣ ବିଲ୍ ନେଇ ଅନିଶ୍ଚିତତା ଲାଗି ରହିଥିଲା, ୨୦୧୮ ମସିହାରେ ଓଡିଶା ବିଧାନସଭାରେ ମହିଳାଙ୍କ ପାଇଁ ସଂସଦ ଓ ବିଧାନସଭାରେ ୩୩% ସ୍ଥାନ ସରଂକ୍ଷଣ କରିବା ପାଇଁ ଏକ ସଙ୍କଳ୍ପ ପାରିତ କରିବା ସହିତ ବିଜେଡିର ପ୍ରତିନିଧିମଣ୍ଡଳୀ ଦେଶର ୨୨ଟି ରାଜନୈତିକ ଦଳକୁ ଭେଟି ଏହା ସପକ୍ଷରେ ମତ ଦେବାକୁ ପ୍ରବର୍ତ୍ତେଇ ଥିଲେ । ଏହାଛଡା ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରିତ୍ୱ ସମୟରେ ମିଶନ ଶକ୍ତି ମାଧ୍ୟମରେ ରାଜ୍ୟର ୮୦ ଲକ୍ଷ ମହିଳାଙ୍କୁ ସ୍ୱାବଲମ୍ୱୀ କରାଇଥିଲେ । ତେଣୁ ବିଜେଡିକୁ ମହିଳା ବିରୋଧୀ କହିବା ହାସ୍ୟାସ୍ପଦ । ଶ୍ରୀମତୀ ରଞ୍ଜିତା ସାହୁ କହିଥିଲେ, ଆଜି ଓଡ଼ିଶାର ଓ ଦେଶର ମହିଳା ମାନେ ବିଜେପିର ମିଛ ପ୍ରଚାର ବିଷୟରେ ଜାଣିଗଲେଣି । ନାରୀ ଶକ୍ତି ବନ୍ଦନ ଅଧିନିୟମ ପ୍ରାୟ ୩ ବର୍ଷ ତଳେ ପାରିତ ହୋଇସାରିଥିବା ବେଳେ ମହିଳା ସଂରକ୍ଷଣ ଲାଗୁ କରିବା ପରିବର୍ତ୍ତେ ଯେଉଁଭଳି ଭାବେ ଜନଆକ୍ରୋଶ ରାଲି କରାଯାଉଛି, ଏହା ବିଜେପିର ଦୋମୁହାଁ ନୀତିକୁ ଦର୍ଶାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking