ଭୁବନେଶ୍ୱର: ବିଜୁ ଶ୍ରମିକ ସାମୁଖ୍ୟ ପକ୍ଷରୁ ଆଜି ମଇ ଦିବସ ଭୁବନେଶ୍ୱରରେ ପାଳିତ ହୋଇ ଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଭୁବନେଶ୍ୱରସ୍ଥିତ ବିଜୁ ଶ୍ରମିକ ସାମୁଖ୍ୟ ମୁଖ୍ୟାଳୟରେ ଆୟୋଜିତ ସମାବେଶରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବିଜୁ ଜନତା ଦଳର ସଭାପତି ତଥା ବିରୋଧୀ ଦଳର ନେତା ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଶ୍ରମିକ ମାନଙ୍କ ସର୍ବନିମ୍ନ ମଜୁରୀ ୮୦୦ ଟଙ୍କାକୁ ବୃଦ୍ଧି କରିବାକୁ ଦାବୀ କରିଛନ୍ତି । ଶ୍ରୀ ପଟ୍ଟନାୟକ କହିଲେ ବର୍ତ୍ତମାନର ବଜାର ପରିସ୍ଥିତି ପରିପ୍ରେକ୍ଷୀରେ ଏହି ବୃଦ୍ଧି ଜରୁରୀ ହୋଇ ପଡିଛି। ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ସ୍ୱର୍ଗତ ବିଜୁ ବାବୁ ଥିଲେ ଶ୍ରମିକ ମାନଙ୍କର ବନ୍ଧୁ । ସର୍ବନିମ୍ନ ମଜୁରୀରେ ଐତିହାସିକ ବୃଦ୍ଧି କରିବା ସହିତ ମହିଳା ମାନଙ୍କୁ ମଧ୍ୟ ସମାନ ମଜୁରୀ ଦେଇ ସେ ସାମାଜିକ ସାମ୍ୟତା ଆଣିଥିଲେ । ବିଜୁ ବାବୁ ତଥା ବିଜୁ ଜନତା ଦଳ ସରକାର ସମୟରେ ହିଁ ଶ୍ରମିକ ମାନଙ୍କ କଲ୍ୟାଣ ଓ ସାମାଜିକ ନିରାପତ୍ତ ପାଇଁ ସବୁଠାରୁ ଅଧିକ କାମ ହୋଇଥିଲା । କିନ୍ତୁ ଏବେ ବିଜେପି ସରକାର ସମୟରେ ଶ୍ରମିକ କଲ୍ୟାଣ ଯୋଜନା ଗୁଡିକୁ ଠିକ୍ ଭାବରେ କାର୍ଯ୍ୟକାରୀ କରାଯାଉ ନାହିଁ ବୋଲି ଶ୍ରୀ ପଟ୍ଟନାୟକ ଦୁଃଖ ପ୍ରକାଶ କରିଥିଲେ । ସେହିପରି ପରିବହନ ଓ ନିର୍ମାଣ ଶ୍ରମିକ ମାନଙ୍କ ପାଇଁ ଗଠିତ କଲ୍ୟାଣ ବୋର୍ଡ ଗୁଡିକ ସମ୍ପୂର୍ଣ୍ଣ ଭାବରେ ସ୍ଥାଣୁ ହୋଇଯାଇ ଥିବାରୁ ସେ ଗୁଡିକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ଶ୍ରୀ ପଟ୍ଟନାୟକ ଦାବୀ କରିଥିଲେ ।
ମିଶନ ଶକ୍ତି କର୍ମୀ, ଆଶା କର୍ମୀ, ଅଙ୍ଗନୱାଡି କର୍ମୀ, କୃଷି ମିତ୍ର, ପ୍ରାଣୀ ମିତ୍ର ଓ ବ୍ୟାଙ୍କ ମିତ୍ର ପରି ଯୋଜନା ଭିତ୍ତିକ କର୍ମଚାରୀମାନେ ନିରନ୍ତର ସେବା ପ୍ରଦାନ କରି ଆସୁଥିଲେ ମଧ୍ୟ ସେମାନଙ୍କୁ ସେମାନଙ୍କ ହକ୍ ଦେବା ପାଇଁ ଶ୍ରୀ ପଟ୍ଟନାୟକ ଦୃଢ ଦାବୀ ଜଣାଇବା ସହ ବିଜୁ ଜନତା ଦଳ ସବୁବେଳେ ଶ୍ରମିକ ମାନଙ୍କ ସହିତ ରହିଛି ଏବଂ ଆଗାମୀ ଦିନରେ ସେମାନଙ୍କ ହକ୍ ପାଇଁ ଲଢେଇ ଜାରୀ ରଖିବ ବୋଲି ସେ ଘୋଷଣା କରିଥିଲେ । ବିଜୁ ଶ୍ରମିକ ସାମୁଖ୍ୟର ସଭାପତି ଶ୍ରୀ ପ୍ରଫୁଲ୍ଲ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ବରିଷ୍ଠ ଉପ ସଭପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର, କଟକ ମହାନଗର ନିଗମର ମେୟର ଶ୍ରୀ ସୁବାସ ସିଂ ପ୍ରମୁଖ ଉଦ୍ବୋଧନ ଦେଇ ଶ୍ରମିକ ମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ ।










