29.1 C
Bhubaneswar
Thursday, August 13, 2026
Homeଓଡିଶାସହରରେ ଡେଡିକେଟେଡ ବସ୍ ଲେନ୍‌ ବ୍ୟବସ୍ଥା

ସହରରେ ଡେଡିକେଟେଡ ବସ୍ ଲେନ୍‌ ବ୍ୟବସ୍ଥା

ପାଇଲଟ୍ ଭିତ୍ତିରେ କାର୍ଯ୍ୟକାରୀ ପାଇଁ ଭୁବନେଶ୍ଵରର ୨ଟି ମୁଖ୍ୟ ସଡ଼କକୁ ଚିହ୍ନଟ

ଭୁବନେଶ୍ୱର: ସହରାଞ୍ଚଳ ଯାତାୟାତ ବ୍ୟବସ୍ଥାକୁ ଅଧିକ ସୁଦୃଢ଼, ଦକ୍ଷ ଓ ଯାତ୍ରୀ ଅନୁକୂଳ କରିବା ସହ ଜନପରିବହନ ବ୍ୟବସ୍ଥାରେ ଉନ୍ନତି ଆଣିବା ଦିଗରେ ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ଅଧୀନସ୍ଥ କ୍ରୁଟ୍ ପକ୍ଷରୁ ଭୁବନେଶ୍ୱରର ଦୁଇଟି ପ୍ରମୁଖ କରିଡରରେ ପାଇଲଟ୍ ଭିତ୍ତିରେ ‘ବସ୍ ପ୍ରାଥମିକତା ଲେନ୍’ (Bus Priority Lane) ବ୍ୟବସ୍ଥା ଆରମ୍ଭ କରିବାକୁ ପ୍ରସ୍ତାବ ଦିଆଯାଇଛି।

ଏ ସମ୍ପର୍କରେ ଆଜି ଖାରବେଳ ଭବନ, ଭୁବନେଶ୍ୱରଠାରେ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀମତୀ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ପରିବହନ କମିଶନର ଶ୍ରୀ ଅମିତାଭ ଠାକୁର, କ୍ରୁଟ୍‌ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ମହମ୍ମଦ ସିଦ୍ଦିକ୍ ଆଲମ, ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କମିଶନର ଶ୍ରୀ ଚଞ୍ଚଳ ରାଣାଙ୍କ ସମେତ ଅତିରିକ୍ତ ଡିସିପି (ଟ୍ରାଫିକ୍), ମୁଖ୍ୟ ନିର୍ମାଣ ଯନ୍ତ୍ରୀ, ଆର୍‌ ଆଣ୍ଡ୍ ବି, ପୂର୍ତ୍ତ ବିଭାଗ, ଭୁବନେଶ୍ୱର ଉନ୍ନୟନ ପ୍ରାଧିକରଣ (ବିଡିଏ) ଓ ବିଏମ୍‌ସିର ଅଧିକାରୀମାନେ ଯୋଗଦେଇଥିଲେ।

କ୍ରୁଟ୍‌ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ମହମ୍ମଦ ସିଦ୍ଦିକ୍ ଆଲମଙ୍କ ପକ୍ଷରୁ ଏ ସମ୍ପର୍କରେ ବିସ୍ତୃତ ଉପସ୍ଥାପନା ପରେ ଅତିରିକ୍ତ ମୁଖ୍ୟ ସଚିବ ପ୍ରଥମ ପର୍ଯ୍ୟାୟରେ ଅଧିକ ଯାତାୟାତ ଥିବା ଦୁଇଟି କରିଡରରେ ଏହାକୁ ପାଇଲଟ୍ ଭିତ୍ତିରେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପାଇଲଟ୍‌ର କାର୍ଯ୍ୟକାରିତା ତଦାରଖ, ନିରନ୍ତର ମନିଟରିଂ ଏବଂ ଆବଶ୍ୟକ ସୁଧାର ଆଣିବା ପାଇଁ ବହୁ ବିଭାଗୀୟ ଏକ କମିଟି ଗଠନ କରାଯାଇଛି। ପାଇଲଟ୍‌ର ଅଭିଜ୍ଞତା ଓ ତଥ୍ୟ ଆଧାରରେ ଭବିଷ୍ୟତରେ ଏହି ମଡେଲ୍‌କୁ ଅନ୍ୟ କରିଡରରେ ବିସ୍ତାର କରାଯିବ।

ବସ୍ ପ୍ରାଥମିକତା ଲେନ୍‌ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଟ୍ରାଫିକ୍ ଭିଡ଼ ହ୍ରାସ କରିବା, ଜନ ପରିବହନ ସେବାକୁ ଅଧିକ ନିର୍ଭରଯୋଗ୍ୟ ଓ ସମୟାନୁବର୍ତ୍ତୀ କରିବା ଏବଂ ଉପଲବ୍ଧ ରାସ୍ତା ସ୍ଥାନର ଅଧିକ ଦକ୍ଷ ବ୍ୟବହାର ସୁନିଶ୍ଚିତ କରିବା। ଏହି ଲେନ୍‌ରେ ସାଧାରଣ ବସ୍ ସହ ସ୍କୁଲ୍ ବସ୍ ଏବଂ ଜରୁରୀକାଳୀନ/ଅତ୍ୟାବଶ୍ୟକ ସେବା ଯାନବାହନକୁ ପ୍ରାଥମିକତା ଦିଆଯିବ।

ବର୍ତ୍ତମାନ ମିଶ୍ରିତ ଯାତାୟାତ ଯୋଗୁଁ ପ୍ରତି ମାସରେ ପ୍ରାୟ ୧,୨୦୦ରୁ ୧,୫୦୦ଟି ବସ୍ ଟ୍ରିପ୍ ପ୍ରଭାବିତ ହେଉଥିବା ଆକଳନ କରାଯାଇଛି। ଟ୍ରାଫିକ୍ ସମ୍ବନ୍ଧୀୟ ବାତିଲ୍ ଯୋଗୁଁ ପ୍ରାୟ ୧୬ ପ୍ରତିଶତ ଟ୍ରିପ୍ ହ୍ରାସ ହେଉଥିବା ସହ ବସ୍‌ଗୁଡ଼ିକର ଯାତ୍ରା ସମୟରେ ମଧ୍ୟ ଉଲ୍ଲେଖନୀୟ ଅନିୟମିତତା ଦେଖାଦେଉଛି। ରାସ୍ତାର ଉପଯୁକ୍ତ କର୍ବ-ସାଇଡ୍ ସ୍ଥାନକୁ ବସ୍‌ର ପ୍ରାଥମିକ ଗତି ପାଇଁ ବ୍ୟବହାର କରାଯାଇ ପାରିଲେ ବସ୍ ଯାତ୍ରା ସମୟରେ ୧୦ରୁ ୨୦ ପ୍ରତିଶତ ହ୍ରାସ ଏବଂ ହାରାହାରି ବସ୍ ଗତିରେ ୧୫ରୁ ୨୫ ପ୍ରତିଶତ ଉନ୍ନତି ହେବା ସହ ସଡ଼କ ସୁରକ୍ଷାରେ ମଧ୍ୟ ସୁଧାର ଆସିବ ବୋଲି ଆଶା କରାଯାଉଛି।

କ୍ରୁଟ୍ ପକ୍ଷରୁ ଟ୍ରାଫିକ୍ ପୁଲିସ ଓ ପୂର୍ତ୍ତ ବିଭାଗ ସହ ସମନ୍ୱୟ ଦୁଇଟି ଲେନ୍ ଚିହ୍ନଟ କରାଯାଇଛି। ସେଗୁଡ଼ିକ ହେଲା:
1. ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର–ନନ୍ଦନକାନନ – ୧୮ କିମି
2. ବାଣୀବିହାର–ଶିଶୁ ଭବନ– ୫ କିମି
ବିମାନବନ୍ଦର–ନନ୍ଦନକାନନ ଲେନ୍ ସହରର ପ୍ରମୁଖ ପ୍ରଶାସନିକ, ଶିକ୍ଷା, ବାଣିଜ୍ୟିକ ଓ ସ୍ୱାସ୍ଥ୍ୟସେବା କେନ୍ଦ୍ରଗୁଡ଼ିକୁ ସଂଯୋଗ କରୁଛି। ଏହି କରିଡରରେ ୩୪ଟି ବସ୍ ଷ୍ଟପ୍ ରହିଥିବା ବେଳେ ପ୍ରମୁଖ ରୁଟ୍‌ଗୁଡ଼ିକରେ ପ୍ରତିଦିନ ହାରାହାରି ପ୍ରାୟ ୯ରୁ ୧୦ ହଜାର ଯାତ୍ରୀ ଯାତାୟାତ କରୁଛନ୍ତି।

ସେହିପରି ବାଣୀବିହାର–ଶିଶୁ ଭବନ ମାଷ୍ଟର କ୍ୟାଣ୍ଟିନ୍, ରାଜମହଲ, ରାମ ମନ୍ଦିର ଓ ଭୁବନେଶ୍ୱର ରେଳ ଷ୍ଟେସନ୍ ଅଞ୍ଚଳ ସମେତ ପ୍ରମୁଖ ବାଣିଜ୍ୟିକ ଓ ଶିକ୍ଷାନୁଷ୍ଠାନମାନ ରହିଛି । ଏହି ଲେନରେ ୧୫ଟି ବସ୍ ଷ୍ଟପ୍ ରହିଥିବା ବେଳେ ପ୍ରତିଦିନ ପ୍ରାୟ ୫,୦୦୦ରୁ ୬,୫୦୦ ଯାତ୍ରୀ ଯାତାୟାତ କରୁଛନ୍ତି।
ପାଇଲଟ୍ ପର୍ଯ୍ୟାୟରେ କଠୋର ଭାବେ ଭୌତିକ ବିଭାଜନ କରିବା ପରିବର୍ତ୍ତେ ନମନୀୟ କର୍ବ-ସାଇଡ୍ ବସ୍ ପ୍ରାଥମିକତା ଲେନ୍ ବ୍ୟବସ୍ଥା ଆପଣାଯିବ। ଏହା ଦ୍ୱାରା ସାଧାରଣ ଯାତାୟାତରେ ସର୍ବନିମ୍ନ ବାଧା ସୃଷ୍ଟି କରି ବସ୍ ଚଳାଚଳରେ ଉନ୍ନତି ଆଣିବା ଲକ୍ଷ୍ୟ ରହିଛି।

ପ୍ରସ୍ତୁତି ପର୍ଯ୍ୟାୟ ପ୍ରାୟ ୧୦ରୁ ୧୨ ସପ୍ତାହ ଧରି ଚାଲିବ। ଏହି ସମୟରେ ବିସ୍ତୃତ ଟ୍ରାଫିକ୍ ସର୍ଭେ, କରିଡର୍ ଭିତ୍ତିକ ଡିଜାଇନ୍, ଲେନ୍ ମାର୍କିଂ, ସାଇନେଜ୍, ବସ୍ କ୍ୟୁ ସେଲ୍ଟର୍ (ବିକ୍ୟୁଏସ୍)ର ଉନ୍ନତିକରଣ, ଟ୍ରାଫିକ୍ ସିଗ୍ନାଲ୍‌ର ସମନ୍ୱୟ ଏବଂ ଅଟୋ/କ୍ୟାବ୍ ଭଳି ତିନିଚକିଆ ଯାନ ପାଇଁ ନିର୍ଦ୍ଦିଷ୍ଟ ପିକ୍-ଅପ୍ ଓ ଡ୍ରପ୍-ଅଫ୍ ସ୍ଥାନ ଚିହ୍ନଟ କରାଯିବ। ଏହା ପରେ ୩ରୁ ୬ ମାସର ପାଇଲଟ୍ ପର୍ଯ୍ୟାୟ ଆରମ୍ଭ ହେବ ଏବଂ ଏହି ସମୟରେ ଇଣ୍ଟେଲିଜେଣ୍ଟ ଟ୍ରାନ୍ସପୋର୍ଟେସନ୍ ମ୍ୟାନେଜମେଣ୍ଟ ସିଷ୍ଟମ୍ (ITMS) ମାଧ୍ୟମରେ ତଥ୍ୟ ସଂଗ୍ରହ ସହ କାର୍ଯ୍ୟଦକ୍ଷତାର ନିରନ୍ତର ନିରୀକ୍ଷଣ କରାଯିବ।

ବସ୍ ପ୍ରାଥମିକତା ଲେନ୍‌ର କାର୍ଯ୍ୟକାରିତା ପାଇଁ ବହୁ ବିଭାଗୀୟ କମିଟି ପକ୍ଷରୁ ବିସ୍ତୃତ ମାନକ କାର୍ଯ୍ୟ ପ୍ରଣାଳୀ (SOP) ପ୍ରସ୍ତୁତ କରାଯିବ। ଏଥିରେ ଲେନ୍ ବ୍ୟବହାର, ବସ୍ ଚଳାଚଳ ପ୍ରୋଟୋକଲ୍, ନିର୍ଦ୍ଦିଷ୍ଟ ସ୍ଥାନରେ ବସ୍ ରହଣି ଓ ଯାତ୍ରୀ ଉଠାଇବା-ଓହ୍ଲାଇବା ବ୍ୟବସ୍ଥା, ଅନ୍ୟ ରାସ୍ତା ବ୍ୟବହାରକାରୀଙ୍କ ସହ ସମନ୍ୱୟ, ଏନ୍‌ଫୋର୍ସମେଣ୍ଟ ବ୍ୟବସ୍ଥା, ଜରୁରୀକାଳୀନ ଯାନବାହନ ପ୍ରବେଶ, ଘଟଣା ପରିଚାଳନା ଏବଂ ସମ୍ପୃକ୍ତ ବିଭାଗର ଦାୟିତ୍ୱ ନିର୍ଦ୍ଧାରଣ କରାଯିବ। ପ୍ରସ୍ତୁତି ପର୍ଯ୍ୟାୟରେ ଚିହ୍ନଟ ଆବଶ୍ୟକତା ଏବଂ ପାଇଲଟ୍ ସମୟର ଅଭିଜ୍ଞତା ଆଧାରରେ SOPକୁ ଆବଶ୍ୟକତା ଅନୁଯାୟୀ ପରିମାର୍ଜିତ କରାଯିବ।

ଏହି ପଦକ୍ଷେପର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେବ କ୍ରୁଟ୍‌ର ବସ୍ ଚାଳକ ଓ ଅନ୍ୟାନ୍ୟ ପରିଚାଳନା କର୍ମଚାରୀଙ୍କ ପ୍ରଶିକ୍ଷଣ ଓ ସଚେତନତା। ପାଇଲଟ୍ ଆରମ୍ଭ ପୂର୍ବରୁ ଚାଳକ ଓ ଅନ୍ୟାନ୍ୟ ଅପରେସନାଲ୍ କର୍ମଚାରୀଙ୍କୁ ବସ୍ ପ୍ରାଥମିକତା ଲେନ୍‌ରେ ଲେନ୍ ଶୃଙ୍ଖଳା, ପ୍ରବେଶ ଓ ପ୍ରସ୍ଥାନ ପ୍ରୋଟୋକଲ୍, ନିର୍ଦ୍ଦିଷ୍ଟ ସ୍ଥାନରେ ସୁରକ୍ଷିତ ବସ୍ ରହଣି, ସାଧାରଣ ଯାତାୟାତ ସହ ସମନ୍ୱୟ, ପଥଚାରୀ ସୁରକ୍ଷା, ଜରୁରୀ ପରିସ୍ଥିତି ଏବଂ ଅନୁମୋଦିତ SOP ପାଳନ ଆଦି ବିଷୟରେ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯିବ। ଏହା ଦ୍ୱାରା ବସ୍ ଚଳାଚଳକୁ ଅଧିକ ସୁରକ୍ଷିତ ଓ ସମାନ ମାନଦଣ୍ଡରେ ପରିଚାଳନା କରିବା ସୁନିଶ୍ଚିତ ହେବ।

ଏହି ପଦକ୍ଷେପକୁ ୨୪x୭ ITMS ଭିତ୍ତିକ ମନିଟରିଂ ଏବଂ ଅଟୋମେଟିକ୍ ନମ୍ବର ପ୍ଲେଟ୍ ରେକଗ୍ନିସନ୍ (ANPR) CCTV କ୍ୟାମେରା ଦ୍ୱାରା ସମର୍ଥନ କରାଯିବ। ଏହା ସହ ଟ୍ରାଫିକ୍ ପୁଲିସ୍ ପକ୍ଷରୁ ଅନ୍-ଗ୍ରାଉଣ୍ଡ ଏନ୍‌ଫୋର୍ସମେଣ୍ଟ କରାଯିବ। ସାଧାରଣ ବସ୍‌ଗୁଡ଼ିକରେ ସ୍ଥାପିତ ଇନ୍-ବସ୍ କ୍ୟାମେରା ବ୍ୟବସ୍ଥାକୁ ମଧ୍ୟ ଆଧୁନିକ ପ୍ରଯୁକ୍ତିଭିତ୍ତିକ ମନିଟରିଂ ଓ ଏନ୍‌ଫୋର୍ସମେଣ୍ଟ ପାଇଁ ବ୍ୟବହାର କରାଯିବାର ସମ୍ଭାବନା ରହିଛି। ପ୍ରଯୁକ୍ତିଗତ ସମ୍ଭାବ୍ୟତା ଓ ପ୍ରଚଳିତ ପ୍ରୋଟୋକଲ୍ ଅନୁଯାୟୀ କ୍ୟାମେରା ଫିଡ୍ ଏବଂ ରେକର୍ଡ ଫୁଟେଜ୍ ମାଧ୍ୟମରେ ଅନଧିକୃତ ଭାବେ ପ୍ରାଥମିକତା ଲେନ୍ ବ୍ୟବହାର, ଅସୁରକ୍ଷିତ ଲେନ୍ ପରିବର୍ତ୍ତନ, ଲେନ୍ ଅବରୋଧ, ବେଆଇନ ପାର୍କିଂ ଓ ଅନ୍ୟାନ୍ୟ ଉଲ୍ଲଂଘନ ଚିହ୍ନଟ କରାଯାଇପାରିବ। ଏହା ରାସ୍ତାକଡ଼ରେ ଥିବା ନିରୀକ୍ଷଣ ବ୍ୟବସ୍ଥାକୁ ପରିପୂରକ କରିବ ଏବଂ ପ୍ରମାଣଭିତ୍ତିକ ଏନ୍‌ଫୋର୍ସମେଣ୍ଟକୁ ସୁଦୃଢ଼ କରିବ।

ପ୍ରାଥମିକତା ଲେନ୍‌ରେ ଅନଧିକୃତ ଭାବେ ପ୍ରବେଶ କରୁଥିବା ବ୍ୟକ୍ତିଗତ ଯାନ ଏବଂ ବେଆଇନ କର୍ବସାଇଡ୍ ପାର୍କିଂ ବିରୋଧରେ ପ୍ରଯୁକ୍ତିଗତ ଓ ଆଇନଗତ ଭାବେ ସମ୍ଭବ ହେଲେ ସ୍ୱୟଂଚାଳିତ ଭାବେ ଇ-ଚାଲାଣ ଜାରି କରାଯିବ। ଆମ୍ବୁଲାନ୍ସ ଓ ଫାୟାର୍ ଟେଣ୍ଡର୍ ଭଳି ଜରୁରୀକାଳୀନ ସେବା ଯାନବାହନକୁ ନିର୍ଦ୍ଦିଷ୍ଟ ପ୍ରାଥମିକତା ଲେନ୍‌ରେ ଅବାଧ ପ୍ରବେଶ ସୁବିଧା ମିଳିବ।

ପାଇଲଟ୍ ଆରମ୍ଭ ପୂର୍ବରୁ ଜନସାଧାରଣଙ୍କୁ ବ୍ୟାପକ ଭାବେ ସଚେତନ ଓ ସମ୍ବେଦନଶୀଳ କରାଯିବ। ଚିହ୍ନଟ କରିଡରରେ ଯାତାୟାତ କରୁଥିବା ରାସ୍ତା ବ୍ୟବହାରକାରୀ, ସାଧାରଣ ପରିବହନ ଯାତ୍ରୀ, ବାସିନ୍ଦା, ବ୍ୟବସାୟିକ ପ୍ରତିଷ୍ଠାନ, ସ୍କୁଲ୍ ଏବଂ ଅନ୍ୟାନ୍ୟ ହିତଧାରୀଙ୍କୁ ପ୍ରସ୍ତାବିତ ପରିବର୍ତ୍ତନ, ଲେନ୍ ମାର୍କିଂ, ଅନୁମୋଦିତ ବ୍ୟବହାରକାରୀ, ଯାତାୟାତ ବ୍ୟବସ୍ଥା ଏବଂ ଏନ୍‌ଫୋର୍ସମେଣ୍ଟ ସମ୍ପର୍କରେ ଅବଗତ କରାଯିବ। ସାଇନେଜ୍, ସୋସିଆଲ୍ ମିଡିଆ, ଗଣମାଧ୍ୟମ ଅଭିଯାନ, ରାସ୍ତାକଡ଼ରେ ସୂଚନା ଫଳକ ଏବଂ ଅନ୍ୟାନ୍ୟ ଉପଯୁକ୍ତ ମାଧ୍ୟମରେ ପର୍ଯ୍ୟାପ୍ତ ସମୟ ପୂର୍ବରୁ ଜନସଚେତନତା କାର୍ଯ୍ୟକ୍ରମ କରାଯିବ। ଏହା ଦ୍ୱାରା ପରିବର୍ତ୍ତିତ ବ୍ୟବସ୍ଥାକୁ ସୁଗମ ଭାବେ ଗ୍ରହଣ କରିବା ସହ ସ୍ୱେଚ୍ଛାକୃତ ନିୟମ ପାଳନକୁ ଉତ୍ସାହିତ କରାଯିବ।

ଭୁବନେଶ୍ୱରର ସାମଗ୍ରିକ ସାଧାରଣ ପରିବହନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ଏହି ପଦକ୍ଷେପକୁ ବ୍ୟାପକ ‘ହବ୍-ଆଣ୍ଡ୍-ସ୍ପୋକ୍’/‘ଟ୍ରଙ୍କ୍-ଆଣ୍ଡ୍-ଫିଡର୍’ ପରିବହନ ମଡେଲ୍ ସହ ସମନ୍ୱିତ କରାଯିବ। ଯାତ୍ରୀ ଚାହିଦା ଓ କରିଡର୍‌ଭିତ୍ତିକ ଯାତାୟାତ ଧାରାକୁ ଆଧାର କରି ଉପଯୁକ୍ତ ଫିଡର୍ ରୁଟ୍ ଚିହ୍ନଟ କରାଯାଇ ପ୍ରମୁଖ ଟ୍ରଙ୍କ୍ ରୁଟ୍ ଓ ପରିବହନ ହବ୍ ସହ ସମନ୍ୱିତ କରାଯିବ। ଏହା ଦ୍ୱାରା ପ୍ରଥମ ଓ ଶେଷ ମାଇଲ୍ ସଂଯୋଗ ସୁଦୃଢ଼ ହେବା ସହ ଉଚ୍ଚ କ୍ଷମତାସମ୍ପନ୍ନ ସାଧାରଣ ପରିବହନ କରିଡରକୁ ଯାତ୍ରୀଙ୍କ ପହଞ୍ଚ ସହଜ ହେବ ଏବଂ ଅଳ୍ପ ଦୂରତାର ଯାତ୍ରା ପାଇଁ ବ୍ୟକ୍ତିଗତ ଯାନ ଉପରେ ନିର୍ଭରଶୀଳତା ହ୍ରାସ ପାଇବ।

ପାଇଲଟ୍‌ର ସଫଳତାକୁ ବସ୍ ଯାତ୍ରା ସମୟରେ ସଞ୍ଚୟ, ବସ୍‌ର ଗତି, ସେବାର ନିର୍ଭରଯୋଗ୍ୟତା, ଯାତ୍ରୀଙ୍କ ଅଭିଜ୍ଞତା, ସାଧାରଣ ଯାତାୟାତ ଉପରେ ପ୍ରଭାବ, ରାସ୍ତା ସୁରକ୍ଷା, ଏନ୍‌ଫୋର୍ସମେଣ୍ଟର ପ୍ରଭାବଶୀଳତା ଏବଂ ପ୍ରଥମ ଓ ଶେଷ ମାଇଲ୍ ସଂଯୋଗ ଆଦି ବିଭିନ୍ନ ମାନଦଣ୍ଡରେ ମୂଲ୍ୟାୟନ କରାଯିବ। ITMS, ANPR ଓ ଅନ୍ୟାନ୍ୟ ପ୍ରଯୁକ୍ତି ବ୍ୟବସ୍ଥାରୁ ମିଳୁଥିବା ଅପରେସନାଲ୍ ତଥ୍ୟ ଆଧାରରେ ନିରନ୍ତର ମୂଲ୍ୟାୟନ ଏବଂ ପ୍ରମାଣଭିତ୍ତିକ ନିଷ୍ପତ୍ତି ନିଆଯିବ। ପାଇଲଟ୍‌ରୁ ମିଳୁଥିବା ତଥ୍ୟ, ଅଭିଜ୍ଞତା ଓ ଶିକ୍ଷା ଆଧାରରେ ବସ୍ ପ୍ରାଥମିକତା ଲେନ୍‌ର ଡିଜାଇନ୍, SOP, ଏନ୍‌ଫୋର୍ସମେଣ୍ଟ ବ୍ୟବସ୍ଥା, ବସ୍ କ୍ରୁ ପ୍ରଶିକ୍ଷଣ ଏବଂ ଫିଡର୍ ରୁଟ୍ ସମନ୍ୱୟକୁ ଆବଶ୍ୟକତା ଅନୁଯାୟୀ ପରିମାର୍ଜିତ କରାଯିବ। ପରବର୍ତ୍ତୀ ସମୟରେ ଭୁବନେଶ୍ୱରର ଅନ୍ୟାନ୍ୟ ପ୍ରମୁଖ ସାଧାରଣ ପରିବହନ କରିଡରରେ ଏହି ମଡେଲ୍‌ର ବିସ୍ତାର ନେଇ ବିଚାର କରାଯିବ। ଏହି ପଦକ୍ଷେପ ଭୁବନେଶ୍ୱରରେ ଅଧିକ ନିର୍ଭରଯୋଗ୍ୟ, ଦକ୍ଷ, ଯାତ୍ରୀ ଓ ପରିବେଶ ଅନୁକୂଳ ଏବଂ ପ୍ରଯୁକ୍ତିସମ୍ପନ୍ନ ପରିବହନ ବ୍ୟବସ୍ଥା ଗଠନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହା ସାଧାରଣ ଲୋକମାନଙ୍କ ମଧ୍ୟରେ ଜନ ପରିବହନର ବ୍ୟବହାର ନିମନ୍ତେ ଅଧିକ ଉତ୍ସାହିତ କରିବା ସହ ସହରର ବର୍ତ୍ତମାନ ରାସ୍ତା ଭିତ୍ତିଭୂମିର ଅଧିକ ଦକ୍ଷ ଓ ସୁଚିନ୍ତିତ ବ୍ୟବହାର ସୁନିଶ୍ଚିତ କରିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking