ନିଶ୍ଚିନ୍ତକୋଇଲିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣା
କଟକ ଗ୍ରାମାଞ୍ଚଳ ଏସ୍ପିଙ୍କୁ ଭେଟିଲେ ବିଜେଡି ପ୍ରତିନିଧି ମଣ୍ଡଳୀ
ଅଭିଯୁକ୍ତଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଦାବି
ଭୁବନେଶ୍ୱର : କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ଥାନା ଅଞ୍ଚଳରେ ଜୈନିକା ଯୁବତୀ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । ଉକ୍ତ ଘଟଣାକୁ ନେଇ ବିଜେଡିର ଏକ ପ୍ରତିନିଧୀ ମଣ୍ଡଳୀ ନିଶ୍ଚିନ୍ତକୋଇଲି ଥାନାକୁ ଯାଇ ଥାନା ଅଧିକାରୀଙ୍କୁ ଭେଟିଛନ୍ତି ।
ସୂଚନାଯୋଗ୍ୟ ଯେ, ନୟାଗଡ଼ ଜିଲ୍ଲାର ଫତେଗଡ ଥାନା ଅନ୍ତର୍ଗତ ଗୋହିରିଆପଡା ଗ୍ରାମର ଯୁଧୀଷ୍ଠିର ମାଝି (୨୬) ଭୁବନେଶ୍ୱର ସ୍ଥିତ ପାତ୍ରପଡ଼ାରେ ରହି ଡ୍ରାଇଭର ଭାବେ କାର୍ଯ୍ୟ କରନ୍ତି । ସେହିପରି କେନ୍ଦ୍ରାପଡା ସଦର ଥାନା ଅଞ୍ଚଳର ଜୈନିକା ଯୁବତୀ ଭୁବନେଶ୍ୱରରେ ରହି କାର୍ଯ୍ୟ କରନ୍ତି । ଉଭୟଙ୍କ ମଧ୍ୟରେ ପୂର୍ବରୁ ଘନିଷ୍ଠ ସମ୍ପର୍କ ରହିଥିଲା । ମଙ୍ଗଳବାର ରାତିରେ ଯୁବକ ଜଣକ ତାଙ୍କ କାର୍ରେ ଯୁବତୀଙ୍କୁ ନେଇ କେନ୍ଦ୍ରାପଡା ଯାଉଥିଲେ । କଟକ-ଚାନ୍ଦବାଲି ରାସ୍ତା ସୁକରପଡା ଡାକବଙ୍ଗଳା ନିକଟରେ ଥିବା ଏକ ଢାବାରେ ସେମାନେ ଖାଇଥିଲେ । ସେଠାରେ ଥିବା ତେଲଟାଙ୍କି ପାଖରେ ଗାଡି ରଖି ବିଶ୍ରାମ ନେଉଥିଲେ । ବିଳମ୍ୱିତ ରାତିରେ ହଠାତ୍ ୬ ଜଣ ଦୁର୍ବୃତ୍ତ ଆସି ଯୁବତୀଙ୍କୁ ଟାଣି ନେଇ ଗଣଦୁଷ୍କର୍ମ କରିଥିଲେ । ଖବର ପାଇ ପୁଲିସ ୨ ଜଣଙ୍କୁ ଉଦ୍ଧାର କରିବା ସହିତ କାର୍ଟିକୁ ଜବତ କରିଥିଲା । ଅଭିଯୁକ୍ତ ମାନଙ୍କୁ ପୋଲିସ୍ ଧରିବାରେ ବିଫଳ ହୋଇଛି । ରାଜ୍ୟରେ ଆଇନଶୃଙ୍ଖଳା ଏଭଳି ବିପର୍ଯ୍ୟସ୍ତ ହୋଇପଡ଼ିଛି ଯେ, ସାଧାରଣ ମହିଳାଟିଏ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି ।
ଅଭିଯୋଗ ଅନୁଯାୟୀ ୬ ଜଣ ଦୁର୍ବୃତ୍ତ କାର୍ କାଚ ଭାଙ୍ଗି ଭିତରେ ବସିଥିବା ଯୁବତୀଙ୍କୁ ଟାଣିନେବା ସହ ତାଙ୍କର ପୁରୁଷ ବନ୍ଧୁଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଏପରି ଏକ ସମ୍ୱେଦନଶୀଳ ଘଟଣାର ତଦନ୍ତ ପ୍ରକ୍ରିୟା ନେଇ ନିଶ୍ଚିନ୍ତକୋଇଲି ଥାନା ଅଧିକାରୀଙ୍କୁ ଭେଟିବା ସହ କଟକ ଗ୍ରାମାଞ୍ଚଳ ଏସ୍ପିଙ୍କୁ ଭେଟି ଘଟଣାରେ ସଂପୃକ୍ତ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବିପତ୍ର ପ୍ରଦାନ କରିଥିଲା ବିଜେଡି ପ୍ରତିନିଧି ମଣ୍ଡଳୀ । ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ରାଜ୍ୟରେ ପ୍ରତିଦିନ ଅପରାଧିକ କାର୍ଯ୍ୟକଳାପ ଘଟି ଚାଲୁଛି । ନାରୀ ମାନେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି । ବିଜେପି ସରକାର ନାରୀ ମାନଙ୍କ ପାଇଁ କାଳ ସାଜିଛି । ରାଜ୍ୟରେ ନାରୀ ନିର୍ଯାତନା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରିଛି ବିଜେଡି ପ୍ରତିନିଧି ମଣ୍ଡଳୀ ।
ପ୍ରତାପ ଜେନାଙ୍କ ନେତୃତ୍ୱରେ ଯାଇଥିବା ବିଜେଡି ପ୍ରତିନିଧି ମଣ୍ଡଳୀରେ ଟୁକୁନି ସାହୁ, ଶର୍ମିଷ୍ଠା ସେଠୀ, ରାଜଶ୍ରୀ ମଲ୍ଲିକ, ମିନତୀ ବେହେରା, ସୁମିତ୍ରା ଜେନା, କଟକ ଜିଲ୍ଲା ସଭାପତି ପ୍ରଫୁଲ୍ଲ ସିଂ, କଟକ ଜିଲ୍ଲା ସାଧାରଣ ସମ୍ପାଦକ ତାପସ ମହାନ୍ତି, କଟକ ମହାନଗର ନିଗମ ଡେପୁଟି ମେୟର ଦମୟନ୍ତୀ ମାଝୀ, ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷା ଜ୍ୟୋତିରେଖା ନାୟକ, ନିଶ୍ଚିନ୍ତକୋଇଲି ବ୍ଲକ ଅଧ୍ୟକ୍ଷା ରୋଜି ସେଠୀ, ଜିଲ୍ଲାପରିଷଦ ସଦସ୍ୟା ଜସ୍ମିତା ସେଠୀ, ବରିଷ୍ଠ ମହିଳା ନେତ୍ରୀ ମିତାଲି ଭଞ୍ଜ, ଚୌଦ୍ୱାର ମୁ୍ୟନିସିପାଲିଟି ଅଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, କଟକ ଜିଲ୍ଲା ଯୁବ ସଭାପତି ସ୍ମୃତି ରଞ୍ଜନ ନାୟକ ପ୍ରମୁଖ ସାମିଲ ଥିଲେ ।










