ଭୁବନେଶ୍ୱର: ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ବିଭୁତି ଭୂଷଣ ମହାପାତ୍ରଙ୍କ ନେତୃତ୍ୱରେ ଆଜି ଲୋୟର ପିଏମ୍ଜି ଠାରେ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ଇସ୍ତଫା ଦାବିରେ ଦୁଇ ଦିନ ପାଇଁ ଅହୋରାତ୍ର ଧାରଣା ଦିଆଯାଇଛି । ଏହି ଅବସରରେ ଶ୍ରୀ ମହାପାତ୍ର କହିଲେ ଯେ ବିଜେପି ସରକାରର ଜାତୀୟ ଶିକ୍ଷାନୀତି-୨୦୨୦ ଦେଶ ଓ ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ଉଜାଡି ଦେଇଛି । ଓଡ଼ିଶାର ସରକାରୀ ଶିକ୍ଷା ବ୍ୟବସ୍ଥା ରସାତଳଗାମୀ ହୋଇପଡ଼ିଛି । ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସରକାରୀ ପାଠ୍ୟ ପୁସ୍ତକରେ ୨୦୦୦ ସାଙ୍ଘାତିକ ତ୍ରୁଟି ରହିଥିବାବେଳେ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏପର୍ଯ୍ୟନ୍ତ ଇସ୍ତଫା ନ ଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସୁରକ୍ଷାରେ ନିଜ ପଦକୁ ବଜାଇ ରଖିଛନ୍ତି । ମୋହନ ସରକାର ଏ ରାଜ୍ୟର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ପ୍ରତି ବିଶ୍ୱାସଘାତକତା କରିଛନ୍ତି । ଆମେ ପିଲାବେଳେ “ତୁମ ପରି ଛୋଟ ପିଲାଟିଏ” ବା “ନିଧି ବୁଢ଼ା ବାରିପଡେ ପଡିଛି ବିଚାର” ଗୀତ ବା କବିତା ପାଠ୍ୟପୁସ୍ତକରେ ପଢ଼ୁଥିଲେ । ଏବେ କିନ୍ତୁ ପିଲାମାନଙ୍କୁ “ନିମ୍ବୁଡା ନିମ୍ବୁଡା” ଗୀତ ପଢ଼ିବା ପାଇଁ ସରକାର ବାଧ୍ୟ କରୁଛନ୍ତି । ସମଗ୍ର ପାଠ୍ୟପୁସ୍ତକ ଅଦରକାରୀ ହୋଇପଡ଼ୁଥିବାବେଳେ ସରକାରଙ୍କ ଚିନ୍ତା ବା ଦକ ନାହିଁ । ଏହି ସାଙ୍ଘାତିକ ତ୍ରୁଟି ମାଧ୍ୟମରେ ମୋହନ ସରକାର ଓଡ଼ିଆ ଜାତିର ସ୍ୱାଭିମାନ ଓ ସମ୍ମାନ ପ୍ରତି ଆଘାତ ଦେଇଛନ୍ତି । କର୍ଣ୍ଣାଟକ ବିଧାନସଭାକୁ ଓଡ଼ିଶା ବିଧାନସଭା ଭାବେ ଦର୍ଶାଇଥିବାବେଳେ ବ୍ରହ୍ମପୁର ଏକ ଜିଲ୍ଲା ବୋଲି ବହିରେ ଲେଖାଯାଇଛି । ସେହିପରି ନିୟମଗିରୀର ଅବସ୍ଥିତି ଝାଡଖଣ୍ଡରେ ରହିଛି ବୋଲି ପୁସ୍ତକରେ ସ୍ଥାନିତ ହୋଇଛି । ସେହିଭଳି ଅଙ୍ଗ୍ୟତାର ଚରମସୀମାକୁ ଯାଇ ବୌଜ୍ଞାନିକ ନିୁ୍ୟୟଟନକୁ ପାଇଲଟ ଭାବରେ ଦର୍ଶାଯାଇଛି । ସାହିତ୍ୟ ବହିରେ ଗଣିତ ଏବଂ ଗଣିତ ବହିରେ ସାହିତ୍ୟ ରଖି ବହି ଗୁଡ଼ିକୁ ଡଷ୍ଟବିନ୍ ପଡିବା ଯୋଗ୍ୟ କରିଦିଆଯାଇଛି । ତେଣୁ ଗଣଶିକ୍ଷା ବିଭାଗର ମନ୍ତ୍ରୀଙ୍କର ଦାୟିତ୍ୱ କଣ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏଭଳି ଜଣେ ଦାୟିତ୍ୱହୀନ ଏବଂ ଅଯୋଗ୍ୟମନ୍ତ୍ରୀ ଓଡ଼ିଶାର ଗଣଶିକ୍ଷା ବ୍ୟବସ୍ଥା ପ୍ରତି ବିପଦପୂର୍ଣ୍ଣ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ତେଣୁ ଉଭୟ ମୁଖ୍ୟମନ୍ତ୍ରୀ ଓ ଗଣଶିକ୍ଷାମନ୍ତ୍ରୀ ଓଡ଼ିଶାର ଅଭିଭାବକ ଏବଂ ଛାତ୍ରଛାତ୍ରୀଙ୍କୁ କ୍ଷମା ମାଗନ୍ତୁ ବୋଲି ଛାତ୍ର କଂଗ୍ରେସ ପକ୍ଷରୁ ଦାବି କରାଯାଇଛି । ସେହିଭଳି କଲେଜ ଓ ୟୁନିଭରସିଟିରେ ଛାତ୍ର ସଂସଦ ନିର୍ବାଚନକୁ ମଧ୍ୟ ସଂପୂର୍ଣ୍ଣ ବନ୍ଦ କରିଦେବା ପାଇଁ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଷଙ୍ଗଯନ୍ତ୍ର କରିଛନ୍ତି । ବିଜେପି ଓ ଏବିଭିପି ସରକାରୀ ଉଚ୍ଚଶିକ୍ଷାନୁଷ୍ଠାନ ବାତାବରଣକୁ ସଂପୂର୍ଣ୍ଣ ନଷ୍ଟ କରିଦେବା ପାଇଁ ଯୋଜନା କରିଛନ୍ତି । ବାଲେଶ୍ୱରର ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଏବିଭିପିର ଷଡଯନ୍ତ୍ରରେ ଜଣେ ନିରୀହ ଛାତ୍ରୀଙ୍କୁ ଆତ୍ମହତ୍ୟାକୁ ବାଧ୍ୟ କରିବା ଘଟଣା ଏହାର ଜ୍ୱଳନ୍ତ ଉଦାହରଣ । ନିର୍ବାଚନ ନ କରି ଛାତ୍ରମାନଙ୍କର ଗଣତାନ୍ତ୍ରିକ ଅଧିକାରକୁ ବିଜେପି ସରକାର ଛଡେଇ ନେଉଛି । ନିର୍ବାଚନ କରିବା ପାଇଁ ପ୍ରତିଶ୍ରୁତି ଦେଇ ମଧ୍ୟ ଏ ସରକାର ପ୍ରତାରଣା କରୁଛି । ସୁତରାଂ କଲେଜ ଓ ୟୁନିଭରସିଟିରେ ଛାତ୍ର ସଂସଦ ନିର୍ବାଚନ ଦାବିରେ ଛାତ୍ର କଂଗ୍ରେସ ତୀବ୍ର ଆନ୍ଦୋଳନ କରିବ । ମାଲକାନାଗିରିରୁ ମୟୁରଭଞ୍ଜ ପର୍ଯ୍ୟନ୍ତ କଲେଜ ଓ ୟୁନିଭରସିଟିରେ ଛାତ୍ର କଂଗ୍ରେସ ଛାତ୍ରମାନଙ୍କର ଅଧିକାର ପାଇଁ ସ୍ୱର ଉତ୍ତୋଳନ କରିବ । ସୁତରାଂ ଛାତ୍ର ବିରୋଧି ଶିକ୍ଷାବ୍ୟବସ୍ଥାକୁ ବିପର୍ଯ୍ୟନ୍ତ କରିବା ପାଇଁ ଦାୟି ଦୁଇ ଅଯୋଗ୍ୟ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବିରେ ୨ ଦିନ ଲୋୟର ପିଏମିଜିରେ ଧାରଣା ଦିଆଯାଉଛି । ଓଡ଼ିଶାର ଛାତ୍ରମାନଙ୍କର ଅଧିକାର ପାଇଁ ଆମେ ଯେଉଁ ଲଢ଼େଇ କରୁଛୁ ସେଥିରେ ରାଷ୍ଟ୍ରୀୟ ଛାତ୍ର କଂଗ୍ରେସର ସଭାପତି ବିନୋଜ ଝାଖଡ ଓ ପିସିସି ସଭାପତି ସମ୍ମାନନୀୟ ଶ୍ରୀ ଭକ୍ତ ଚରଣ ଦାସଙ୍କର ସଂପୂର୍ଣ୍ଣ ସମର୍ଥନ, ସଂଯୋଗ ପ୍ରେରଣା ଓ ଦିଗଦର୍ଶନ ରହିଛି । ଜନନାୟକ ରାହୁଲ ଗାନ୍ଧୀ ଦେଶର ଛାତ୍ର ଛାତ୍ରୀ ଓ ଅଭିଭାବକମାନଙ୍କ ପ୍ରତି ଯେଉଁ ଆବେଗ ପ୍ରକଟ କରିଛନ୍ତି ପ୍ରଦେଶ ଛାତ୍ର କଂଗ୍ରେସ ସେହି ବାର୍ତ୍ତାକୁ ଓଡ଼ିଶାର ଅଭିଭାବକ ଓ ଛାତ୍ରଛାତ୍ରୀମାନଙ୍କ ପାଖକୁ ପହଂଚାଇବ । ବିଶେଷ କରି ପେପର ଲିକ୍ ଘଟଣାରେ ବିଜେପି ସରକାରର ବିଶ୍ୱାସଘାତକତାକୁ ପ୍ରତ୍ୟେକ ଛାତ୍ର ଛାତ୍ରୀ ଓ ଅଭିଭାବକମାନଙ୍କୁ ବୁଝାଇବ । ଏହି କାର୍ଯ୍ୟକ୍ରମରେ ପ୍ରଦେଶ ଛାତ୍ର କଂଗ୍ରେସ ନେତା ସ୍ପନ୍ଦନ ସ୍ୱାଇଁ, ନିଆଜୁଲ୍ ଇସ୍ଲାମ, ସାରୁ ଖାନ୍, ଚିତ୍ତରଞ୍ଜନ ନାୟକ, ସରୋଜ ଦାସ, ଅମିତ ନାୟକ, ପଦ୍ମନାଭ ପଣ୍ଡା, ରୁଦ୍ର କର, ଦେବାଶିଷ ଦଇତାପତି, ବିଶ୍ୱଭୂଷଣ ମହାପାତ୍ର, ସନ୍ତୋଷ ନିମାଇଁ, ଆଶୁତୋଷ ମିଶ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।










