ନୂଆଦିଲ୍ଲୀ: ଦୁଷ୍କର୍ମ ପୀଡ଼ିତାଙ୍କ ଗର୍ଭନଷ୍ଟ ସମୟସୀମା ବଢାଯାଉ। କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦଶ। ମେଡିକାଲ ଟର୍ମିନେସନ ଅଫ୍ ପ୍ରେଗନେନ୍ସି ଆଇନରେ ସଂଶୋଧନ କରିବା ଲାଗି ସୁପ୍ରିମକୋର୍ଟ ଗୁରୁବାର କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜଣେ ୧୫ ବର୍ଷୀୟା ନାବାଳିକା ଦୁଷ୍କର୍ମ ପୀଡ଼ିତାଙ୍କ ୩୦ ସପ୍ତାହର ଗର୍ଭପାତ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ହୋଇଥିବା ଏକ ପିଟିସନ ଉପରେ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରିଛନ୍ତି। ଏପରି ମାମଲାରେ ଗର୍ଭପାତର ସମୟ ସୀମା ସହ ଜଡ଼ିତ ଆଇନରେ ପରିବର୍ତ୍ତନ କରିବା ଜରୁରି। ଦୁଷ୍କର୍ମ ପୀଡ଼ିତାଙ୍କୁ ୨୦ ସପ୍ତାହରୁ ଅଧିକ ସମୟ ପରେ ବି ଗର୍ଭପାତ କରାଯିବାକୁ ଅନୁମତି ଦେବା ଉପରେ ବିଚାର କରାଯାଉ ବୋଲି ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଜୟମାଲ୍ୟ ବାଗଚିଙ୍କ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ କହିଛନ୍ତି।
ସିଜେଆଇ କହିଛନ୍ତି ଯେ, ଆଇନ ଏପରି ହେବ ଜରୁରୀ ଯାହା ସମୟ ସହ ବଦଳିପାରୁଥିବ ଏବଂ ସମ୍ପ୍ରତି ସମୟ ଅନୁସାରେ ଚାଲୁଥିବ। ନାବାଳିକାଙ୍କୁ ଜବରଦସ୍ତି ମା ହେବା ପାଇଁ ବାଧ୍ୟ କରାଯାଇପାରିବ ନାହିଁ। ଏପରି ମାମଲାରେ ନିଷ୍ପତ୍ତି ପୀଡ଼ିତାଙ୍କର ହିଁ ହେବା ଦରକାର। ଯଦି ତାଙ୍କୁ ଗର୍ଭପାତ ଲାଗି ଅନୁମତି ଦିଆନଯାଏ ତେବେ ସେ ଜୀବନସାରା ମାନସିକ ଯନ୍ତ୍ରଣାରେ ରହିବେ। ଯଦି ଗର୍ଭପାତ ଦ୍ଵାରା ମାକୁ ସ୍ଥାୟୀ ଭାବେ କୌଣସି କ୍ଷତି ନହୁଏ ତେବେ ଗର୍ଭପାତ କରାଯିବା ଉଚିତ୍। ଯେଉଁ ବୟସରେ ପିଲାକୁ ଭବିଷ୍ୟତର ସ୍ଵପ୍ନ ଦେଖି ପୂରଣ କରିବା କଥା ସେହି ବୟସରେ ତାକୁ ମାତୃତ୍ଵ ବୋଝ ଉଠାଇବାକୁ ବାଧ୍ୟ କରାଯାଇପାରିବ ନାହିଁ।
ସୁପ୍ରିମକୋର୍ଟ ଏପ୍ରିଲ ୨୪ରେ ପ୍ରାୟ ୭ ମାସର ଗର୍ଭବତୀ ଥିବା ୧୫ ବର୍ଷୀୟା ପୀଡ଼ିତାଙ୍କ ଗର୍ଭପାତ ପାଇଁ ଅନୁମତି ଦେଇଥିଲେ। ଏହା ବିରୋଧରେ ଏମ୍ସ ପକ୍ଷରୁ ପିଟିସନ କରାଯାଇଥିଲା। କାରଣ ଭାରତୀୟ ଆଇନ ଅନୁସାରେ ଦୁଷ୍କର୍ମ ମାମଲାରେ ୨୪ ସପ୍ତାହ ପର୍ଯ୍ୟନ୍ତ ଗର୍ଭାବସ୍ଥାରେ ହିଁ ଗର୍ଭପାତକୁ ଅନୁମତି ରହିଛି। ଏମ୍ସ ପକ୍ଷରୁ କୋର୍ଟରେ କୁହାଯାଇଥିଲା ଯେ, ୩୦ ସପ୍ତାହର ଗର୍ଭାବସ୍ଥାରେ ଭ୍ରୂଣ ଏକ ଜୀବର ଆକାର ନେଇସାରିଥାଏ ଏବଂ ଏହି ଷ୍ଟେଜରେ ଗର୍ଭପାତ ସଫଳ ହେବା କଷ୍ଟକର। ଏହା ଦ୍ଵାରା ନାବାଳିକା ମାର ଜୀବନକୁ ବି ବିପଦ ରହିଥାଏ। ଭବିଷ୍ୟତରେ ସେ କେବେ ମା ମଧ୍ୟ ହୋଇନପାରେ।
ଏହା ଉପରେ ସୁପ୍ରିମକୋର୍ଟ କହିଥିଲେ ଯେ, ଏମ୍ସର ସବୁ ଧ୍ୟାନ କେବଳ ଭ୍ରୂଣ ଉପରେ ରହିଛି, ସେହି ମା ଉପରେ ନୁହେଁ, ଯିଏକି ଏତେ ଯନ୍ତ୍ରଣା ସହିଛି। ଏହା ନାବାଳିକା ଦୁଷ୍କର୍ମ ର ମାମଲା। ପୀଡ଼ିତା ଜୀବନ ସାରା ଯନ୍ତ୍ରଣା ଏବଂ ମାନସିକ କଷ୍ଟ ଭୋଗିବେ। ଏବେ ସେହି ଭ୍ରୂଣ ବନାମ ନାବାଳିକାଙ୍କ ମଧ୍ୟରେ ଲଢେଇ। ଯଦି ଏବେ ଅଦାଲତ ଏହାକୁ ଅନୁମତି ନଦେବେ ତେବେ ନାବାଳିକା ଅସୁରକ୍ଷିତ ଏବଂ ଅବୈଧ ଉପାୟରେ ଗର୍ଭ ନଷ୍ଟ କରିବାକୁ ବାଧ୍ୟ ହୋଇପାରନ୍ତି ବୋଲି ସୁପ୍ରିମକୋର୍ଟ କହିଛନ୍ତି।









