ଭୁବନେଶ୍ୱର : ପୁରୁଣା ଭୁବନେଶ୍ୱରର ଲିଙ୍ଗରାଜ, ଅନନ୍ତ ବାସୁଦେବ ମନ୍ଦିର, ବିନ୍ଦୁ ସାଗର ହ୍ରଦ ଏବଂ ଆଖପାଖର ପ୍ରାୟ ୮୦ ଏକର ଅଞ୍ଚଳକୁ ରାଜ୍ୟ ସରକାର ସ୍ୱତନ୍ତ୍ର କରିଡର ରୂପେ ବିକଶିତ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏହାକୁ ସଫଳ ରୂପ ଦେବାପାଇଁ ସରକାରଙ୍କ ପକ୍ଷରୁ ‘ଏକାମ୍ର ଯୋଜନା’ ନାଁରେ ଏକ ସ୍ୱତନ୍ତ୍ର ନକ୍ସା ପ୍ରସ୍ତୁତ ହୋଇଛି । ଆଜି ଏହି ପ୍ରକଳ୍ପ ଲାଗି ଏକ ୧୯ ଜଣିଆ ଉପଦେଷ୍ଟା କମିଟି(ପିଏସି) ରାଜ୍ୟ ପୂର୍ତ୍ତ ବିଭାଗ ପକ୍ଷରୁ ଘୋଷଣା ହୋଇଛି । ଶିଳ୍ପ ଜଗତରେ ବେଶ୍ ସୁନାମ ଅର୍ଜନ କରିଥିବା ଡ. ସନ୍ତୃପ୍ତ ମିଶ୍ରଙ୍କୁ ଏହି କମିଟିର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି ।
ଏହି କମିଟିର ସଦସ୍ୟ ରୂପେ ରାଜ୍ୟ ପୂର୍ତ୍ତ ସଚିବ, ଆରଡିସି, ବିଏମ୍ସି କମିସନର, ଦେବୋତ୍ତର କମିସନର, ଭୁବନେଶ୍ୱର ସର୍କଲ ଏଏସ୍ଆଇ ସୁପରିଟେଣ୍ଡେଣ୍ଟ, ରାଜ୍ୟ ଆଇନ ବିଭାଗ ଅତିରିକ୍ତ ସଚିବ, ଭୁବନେଶ୍ୱର ଡିସିପି, ରାଜ୍ୟ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଏବଂ ବିଶିଷ୍ଟ ସ୍ଥପତି ପଦ୍ମବିଭୁଷଣ ସୁଦର୍ଶନ ସାହୁଙ୍କୁ ମନୋନୀତ କରାଯାଇଛି । ଓବିସିସିର ପରିଚାଳନା ନିର୍ଦ୍ଦେଶକ ଏହି କମିଟିର ସଦସ୍ୟ ଆବାହକ ନିଯୁକ୍ତ ହୋଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଲିଙ୍ଗରାଜ ମନ୍ଦିରର ୩ ସେବାୟତ ଏବଂ ଐତିହ୍ୟ କ୍ଷେତ୍ରରେ ନାଁ କମାଇଥିବା ୨ ଜଣ ବ୍ୟକ୍ତିବିଶେଷ ଏବଂ ଐତିହ୍ୟ କିର୍ତ୍ତିରାଜିର ସୁରକ୍ଷା ଦିଗରେ ତଥା ଏଏସ୍ଆଇରେ ଅଭିଜ୍ଞତା ଥିବା ୨ ଜଣଙ୍କୁ ଏହି କମିଟିରେ ସ୍ଥାନ ମିଳିବ । ତେବେ ସେମାନଙ୍କୁ ପରବର୍ତ୍ତୀ ପର୍ଯ୍ୟାୟରେ ରାଜ୍ୟ ସରକାରଙ୍କ ଦ୍ୱାରା ମନୋନୀତ କରାଯିବ ।
ପ୍ରକଳ୍ପ କ୍ଷେତ୍ରର ବିକାଶ ଲାଗି କମିଟି ପକ୍ଷରୁ ନିୟମିତ ବ୍ୟବଧାନରେ ବୈଠକ ବସିବ । ଏହି ବୈଠକରେ ବିଭିନ୍ନ ସମସ୍ୟାର ସମାଧାନ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ ହେବ । କମିଟି ଅଧ୍ୟକ୍ଷ ଚାହିଁଲେ କୌଣସି ସରକାରୀ ଅଧିକାରୀ, ବିଶେଷଜ୍ଞ କିମ୍ବା ସାଧାରଣ ବ୍ୟକ୍ତିବିଶେଷଙ୍କୁ ମଧ୍ୟ ବୈଠକରେ ଆଲୋଚନା ପାଇଁ ନିମନ୍ତ୍ରିତ କରିପାରିବେ । ପ୍ରକଳ୍ପରେ ଯାହା ବି କାମ ହାତକୁ ନିଆଯିବ ତାହା ଏହି କମିଟି ଦ୍ୱାରା ଅନୁମୋଦନ ମିଳିବା ପରେ ଯାଇ ହେବ ବୋଲି ରାଜ୍ୟ ସରକାର ଜଣାଇଛନ୍ତି । ଅନ୍ୟପଟେ କମିଟିର ଅଧ୍ୟକ୍ଷ ଭାବେ ମନୋନୀତ ହେବାପରେ ଡ. ମିଶ୍ର ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ଏକାମ୍ର ଯୋଜନା ଏକ ଐତିହାସିକ ପ୍ରକଳ୍ପ ।
ଏହି ପ୍ରକଳ୍ପ ଉପଦେଷ୍ଟା କମିଟିର ଅଧ୍ୟକ୍ଷ ହେବା ଗୌରବର ବିଷୟ । ଏଥିପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟ ସରକାରଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି । ବିଶେଷକରି ଜଣେ ଶିବ ଭକ୍ତ ଭାବେ ସୋମବାର ଅର୍ଥାତ୍ ପ୍ରଭୁଙ୍କ ବାରରେ ତାଙ୍କୁ ଏହି ଗୁରୁଦାୟିତ୍ୱ ମିଳିଥିବାରୁ ସେ ଖୁସିବ୍ୟକ୍ତ କରିଛନ୍ତି । ଭାରତ ତଥା ବିଶ୍ୱର ବିଭିନ୍ନ କିର୍ତ୍ତିରାଜି ଏବଂ ଐତିହ୍ୟ ସ୍ଥଳୀ ବୁଲି ସେ ଅଭିଜ୍ଞତା ସାଉଣ୍ଟିଛନ୍ତି । ଏଗୁଡ଼ିକୁ ସେ ଏକାମ୍ର ପ୍ରକଳ୍ପକୁ ସଫଳ କରିବାରେ ବ୍ୟବହାର କରିବେ ବୋଲି କହିଛନ୍ତି । ନିଜ ରାଜ୍ୟପାଇଁ କିଛି ଅବଦାନ ଦେବାର ସୁଯୋଗ ମିଳିଥିବାରୁ ନିଶ୍ଚୟ ତା’ର ଲାଭ ଉଠାଇବି ବୋଲି କହିଛନ୍ତି ଡ. ମିଶ୍ର ।
ସୂଚନାଯୋଗ୍ୟ, ଏହି ‘ଏକାମ୍ର ଯୋଜନା’ କ୍ଷେତ୍ରରେ ବହୁ ମନ୍ଦିର, ପ୍ରାଚୀନ କିର୍ତ୍ତିରାଜି ଏବଂ ପୁଷ୍କରିଣୀ ସବୁ ରହିଛି । ଏଣୁ ଏହି କ୍ଷେତ୍ରର ବିକାଶ ଲାଗି ରାଜ୍ୟ ସରକାର ଏକ ସମନ୍ୱିତ ଯୋଜନା ପ୍ରସ୍ତୁତ କରିଛନ୍ତି । କରିଡର୍ ବିକାଶ ସାଙ୍ଗକୁ ଐତିହ୍ୟ ସ୍ଥଳୀର ପୁନରୁଦ୍ଧାର, ସଂରକ୍ଷଣ, ଭକ୍ତ ଏବଂ ପର୍ଯ୍ୟଟକଙ୍କ ପାଇଁ ସୁବିଧା, ସ୍ଥାନୀୟ ଅଞ୍ଚଳରେ ଟ୍ରାଫିକ୍ ବ୍ୟବସ୍ଥାର ସୁପରିଚାଳନା ଏ ସମସ୍ତ ବିଷୟ ପ୍ରତି ପ୍ରକଳ୍ପରେ ଧ୍ୟାନ ଦିଆଯାଇଛି ।