30.1 C
Bhubaneswar
Monday, May 6, 2024
Homeଓଡିଶା+୨ ମୂଲ୍ୟାୟନ ପ୍ରସଙ୍ଗ: ପ୍ରଥମ ବୈଠକରୁ ବାହାରିଲାନି ‘ଫର୍ମୂଲା’, ୨ୟ ବୈଠକକୁ ଅପେକ୍ଷା

+୨ ମୂଲ୍ୟାୟନ ପ୍ରସଙ୍ଗ: ପ୍ରଥମ ବୈଠକରୁ ବାହାରିଲାନି ‘ଫର୍ମୂଲା’, ୨ୟ ବୈଠକକୁ ଅପେକ୍ଷା

ଭୁବନେଶ୍ୱର : ୨୦୨୧-୨୨ ଯୁକ୍ତଦୁଇ ପରୀକ୍ଷା ବାତିଲ ହେବା ପରେ ପରୀକ୍ଷାର୍ଥୀଙ୍କୁ କିପରି ମିଳିବ ମାର୍କିଂ?  ଏନେଇ ସିଏଚ୍‌ଏସ୍‌ଇ ପକ୍ଷରୁ ଗଠନ କରାଯାଇଛି ୧୪ଜଣିଆ ଏକ୍ସପର୍ଟ କମିଟି । ଏହି କମିଟିର ପ୍ରଥମ ବୈଠକ ସୋମବାର +୨ ପରିଷଦ ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ତେବେ ପ୍ରଥମ ବୈଠକରେ କୌଣସି ‘ଫର୍ମୂଲା’ ବାହାରିପାରିନାହିଁ । ଫଳରେ ଏବେ ଦ୍ୱିତୀୟ ବୈଠକ ଉପରେ ରହିଛି ନଜର । ତେବେ ସୂଚନାନୁଯାୟୀ, ସୋମବାର ବୈଠକରେ ବିଶେଷଜ୍ଞଙ୍କ ମତାମତ ମେଳଖାଇନଥିଲା । ପ୍ରାକ୍ଟିକାଲ ମାର୍କିଂ ଆଧାରକୁ ନେଇ କମିଟି ସହମତ ହୋଇପାରୁନାହିଁ ।

୧୦ଦିନରୁ ୩ଦିନ ବିତିଯାଇଥିବା ବେଳେ ମାର୍କିଂ କିପରି ହେବ ତାକୁ ନେଇ ତେଣେ ଅଭିଭାବକ ଏବଂ ପରୀକ୍ଷାର୍ଥୀ ଚିନ୍ତାରେ ।  ଉପସ୍ଥିତ ସଦସ୍ୟମାନେ ଭିନ୍ନ ଭିନ୍ନ ମତ ରଖିଥିବା ଜଣାଯାଇଛି । କରୋନା ଲାଗି ଚଳିତବର୍ଷ +୨ ପରୀକ୍ଷା ବାତିଲ କରାଯାଇଛି । ମାତ୍ର ପରୀକ୍ଷାର୍ଥୀଙ୍କୁ କିପରି ସାର୍ଟିଫିକେଟ୍ ଦିଆଯିବ ସେଥିଲାଗି ବିଚାରବିମର୍ଶ କରି ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଛି । ଏନେଇ ଶିକ୍ଷାପରିଷଦ ପକ୍ଷରୁ ବିଶେଷଜ୍ଞ କମିଟି ଗଠନ କରାଯାଇ ଏହାର ସୁପାରିସ ଆଧାରରେ ମାପଦଣ୍ଡ ନିର୍ଦ୍ଧାରଣ କରିବାକୁ ଚୂଡାନ୍ତ ନିଷ୍ପତ୍ତି ହୋଇଛି ।

ସିବିଏସ୍‌ଇ ପିଲାଙ୍କ ଲାଗି ଦଶମରେ ପ୍ରାକ୍ଟିକାଲ ଥିବାରୁ ସେମାନଙ୍କ ଲାଗି କୌଣସି ଅସୁବିଧା ହେଲାନାହିଁ । ମାତ୍ର ଓଡ଼ିଆ ମାଧ୍ୟମ ପିଲାଙ୍କ ଲାଗି ଦଶମରେ ପ୍ରାକ୍ଟିକାଲ ନଥିବାରୁ ଏଥିରେ କିପରି ମାର୍କିଂ କରାଯିବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟିହୋଇଛି । ତେବେ ୧୦ମ ବୋର୍ଡ ପରୀକ୍ଷାର ମାର୍କକୁ ବିଚାରକୁ ନେଇ ମାର୍କିଂ କରାଯିବ ବୋଲି ଅନୁମାନ କରାଯାଉଛି । ମାତ୍ର ଏ ସମ୍ପର୍କରେ କୌଣସି ଚିତ୍ର ସ୍ପଷ୍ଟ ହୋଇନାହିଁ। ଯଦି ମାଟ୍ରିକ ପରୀକ୍ଷ।। ମାର୍କକୁ ମାନଦଣ୍ଡ ଭାବେ ନିଆଯାଏ, ତେବେ ବିଜ୍ଞାନ ପରୀକ୍ଷାର୍ଥୀଙ୍କୁ ପ୍ରାକ୍ଟିକାଲ ମାର୍କ କିପରି ମିଳିବ ତାହା ମଧ୍ୟ ପ୍ରଶ୍ନ । ଯଦିଓ ପରବର୍ତ୍ତୀ ସମୟରେ ଛାତ୍ରଛାତ୍ରୀ ପରୀକ୍ଷା ଦେବାର ବ୍ୟବସ୍ଥା ରହିଛି, ତାହା କେବଳ ଯେଉଁ ପିଲାମାନେ ମାର୍କିଂରେ ଅସନ୍ତୋଷ ପ୍ରକାଶ କରିବେ ସେମାନଙ୍କ ଲାଗି ଉଦ୍ଦିଷ୍ଟ । ମାତ୍ର ସବୁ ପିଲାଙ୍କୁ କିପରି ପ୍ରାକ୍ଟିକାଲ ଥିବା ସମସ୍ତ ବିଷୟରେ ମାର୍କ ଦିଆଯିବ ତାହାକୁ ନେଇ ଲାଗିରହିଛି ଚର୍ଚ୍ଚା । ସୂଚନା ଅନୁଯାୟୀ, ବୈଠକରେ ଥିଓରୀ ମାର୍କିଂ ଲାଗି ମାନଦଣ୍ଡ ସହଜରେ ଗ୍ରହଣ କରାଯାଇପାରିବ । କୁହାଯାଉଛି ଯେ ‘ଥିଓରୀ’ ବିଷୟପାଇଁ ସହମତି ହୋଇଛି ।

ମାତ୍ର ପ୍ରାକ୍ଟିକାଲ ଲାଗି ଅନେକ ସମସ୍ୟା ସୃଷ୍ଟିହେବାର ଆଶଙ୍କା କରୁଛି କମିଟି । ଏକାଦଶ ବା +୨ ପ୍ରଥମବର୍ଷ ପରୀକ୍ଷା ହୋଇନଥିବା ବେଳେ ପ୍ରାୟ ୭୫% ଛାତ୍ରଛାତ୍ରୀ ପରୀକ୍ଷା ଦେଇନାହାନ୍ତି । ରାଜ୍ୟରେ ୨୦୬୨ଟି ଜୁନିୟର କଲେଜ ରହିଛି । କଳା,ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ଶିକ୍ଷାରେ ପ୍ରାୟ ସାଢ଼େ ୩ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଫର୍ମପୂରଣ କରିଛନ୍ତି । କରୋନା ଲାଗି  ଚଳିତବର୍ଷର +୨ ପରୀକ୍ଷା ୭୦ ପ୍ରତିଶତ ପାଠ୍ୟକ୍ରମ ଆଧାରରେ କରିବାକୁ ନିଷ୍ପତ୍ତି ହୋଇଥିଲା । କରୋନା ପାଇଁ ବିଭାଗ ପକ୍ଷରୁ ପୂର୍ବରୁ ୩୦ ପ୍ରତିଶତ ପାଠ୍ୟକ୍ରମ ହ୍ରାସ ମଧ୍ୟ କରାଯାଇଥିଲା । ସେହିପରି ଚଳିତବର୍ଷର +୨ ପରୀକ୍ଷା ପାଇଁ ପ୍ରଶ୍ନପତ୍ରର ଢାଞ୍ଚା ମଧ୍ୟ ପରିବର୍ତ୍ତନ କରାଯାଇଥିଲା । ପ୍ରଶ୍ନପତ୍ରରେ ସମୁଦାୟ ମାର୍କର ୫୦ ପ୍ରତିଶତ ପ୍ରଶ୍ନ ମଲ୍ଟିପୁଲ୍ ଚଏସ୍‌, ୩୦ ପ୍ରତିଶତ ୨/୩ ମାର୍କ ସମ୍ବଳିତ ପ୍ରଶ୍ନ ଓ ୨୦ ପ୍ରତିଶତ ୫ ମାର୍କ ସମ୍ବଳିତ ପ୍ରଶ୍ନରହିବ ବୋଲି ନିଷ୍ପତ୍ତି ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking