ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗରେ ୩୬୭ ଜଣଙ୍କୁ ନିଯୁକ୍ତି ମିଳିଛି । ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନବନିଯୁକ୍ତଙ୍କ ଦିଗ୍ଦର୍ଶନ ନିମନ୍ତେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ନବନିଯୁକ୍ତଙ୍କ ମଧ୍ୟରେ ଇଏସ୍ଆଇ ନିର୍ଦେଶାଳୟରେ ୮୦ ଷ୍ଟାଫ୍ ନର୍ସ, ୪୦ ଫାର୍ମାସିଷ୍ଟ, ୪୦ ଲାବ୍ ଟେକ୍ନିସିଆନ୍, ୮ ଏଏନ୍ଏମ୍, ୮ ଏକ୍ସରେ ଟେକ୍ନିସିଆନ, ୯ ଓଟି ଆସିଷ୍ଟାଣ୍ଟ ରହିଥିବାବେଳେ ହସ୍ତଶିଳ୍ପ ନିର୍ଦେଶାଳୟରେ ୪୮ ହସ୍ତଶିଳ୍ପ ପ୍ରୋତ୍ସାହନ ଅଧିକାରୀ, ୭ ସମବାୟ ସମିତି ନିରୀକ୍ଷକ, ୩ ଜଣ ସମୀକ୍ଷକ ରହିଛନ୍ତି । ସେହିପରି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରେ ୧୧ ଜଣ କନିଷ୍ଠ ସହାୟକ, କାରଖାନା ଓ ବାଷ୍ପିତ୍ର ନିର୍ଦେଶାଳୟରେ ୯ ଜଣ ସହକାରୀ ନିର୍ଦେଶକ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗରେ ୧୦୪ ଜଣ ଯୋଗାଣ ନିରୀକ୍ଷକ ନିଯୁକ୍ତ ହୋଇଛନ୍ତି ।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ଓଡ଼ିଶାବାସୀଙ୍କ ସେବା ସମସ୍ତ ନବନିଯୁକ୍ତଙ୍କ ଏକମାତ୍ର ଉଦ୍ଦେଶ୍ୟ ହେବା ଉଚିତ୍ । ଆମେ ବିଭିନ୍ନ କ୍ଷମତାରେ କାମ କରୁଥିଲେ ବି ଆମେ ସମସ୍ତେ ଜନତାଙ୍କ ସେବକ । ଜନସାଧାରଣଙ୍କୁ ଉତ୍ତମ ସେବା ଯୋଗାଇବା ଆମର ମୂଳ ଲକ୍ଷ୍ୟ । ସାଢ଼େ ୪ କୋଟି ଓଡ଼ିଶାବାସୀ ତାଙ୍କ ପରିବାର ବୋଲି ଉଲ୍ଲେଖ କରି ସମସ୍ତଙ୍କୁ ପରିବାର ସଦସ୍ୟଙ୍କ ଭଳି ବ୍ୟବହାର କରିବାକୁ ମୁଖ୍ୟମନ୍ତ୍ରୀ କହିଥିଲେ । ଏକ ଅଧିକାରର ବିଷୟ ଭାବେ ଲୋକଙ୍କୁ ସମ୍ମାନର ସହ ସେବା ଯୋଗାଇବା ଦରକାର । ଗତ ଦୁଇ ଦଶନ୍ଧିରେ ଓଡ଼ିଶା ନିଜକୁ ଏକ ଆତ୍ମନିର୍ଭର ଏବଂ ଆଗକୁ ଦେଖୁଥିବା ରାଜ୍ୟ ଭାବେ ରୂପାନ୍ତରିତ କରିଛି । ୫-ଟି ଉପକ୍ରମକୁ ଅନୁକରଣ କରିବାକୁ ମୁଖ୍ୟମନ୍ତ୍ରୀ ନବନିଯୁକ୍ତ ଅଧିକାରୀଙ୍କୁ କହିଥିଲେ । ସମସ୍ତେ ଏକ ଟିମ୍ ଭାବେ କାର୍ଯ୍ୟ କଲେ ଓଡ଼ିଶା ନିଶ୍ଚିତ ସବୁକ୍ଷେତ୍ରରେ ଅଗ୍ରଣୀ ହେବ । ଏକ ନୂଆ ଓଡ଼ିଶା, ସଶକ୍ତ ଓଡ଼ିଶା ପାଇଁ କାର୍ଯ୍ୟ କରିବାକୁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ ।
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଶ୍ରମ ଏବଂ ଇଏସ୍ଆଇ ମନ୍ତ୍ରୀ ସାରଦା ନାୟକ କହିଥିଲେ ଯେ, ଅଧିକାଂଶ କ୍ଷେତ୍ରରେ ଓଡ଼ିଶା ଏବେ ଏକନମ୍ବର ରାଜ୍ୟ ହୋଇଛି । ଓଡ଼ିଶାବାସୀ ରାଜ୍ୟରେ ରୂପାନ୍ତରଣର ଫାଇଦା ପାଉଛନ୍ତି । ୫-ଟି ଉପକ୍ରମକୁ ଅନୁକରଣ କରିବାକୁ ଦୁଇ ମନ୍ତ୍ରୀ ନବନିଯୁକ୍ତ କର୍ମଚାରୀଙ୍କୁ କହିଥିଲେ । ବିଭିନ୍ନ ବିଭାଗର ୪ ନବନିଯୁକ୍ତ ପ୍ରିୟଙ୍କା ମିଶ୍ର, ଦୀପଜ୍ୟୋତି ବାଘର, ସ୍ୱରାଜ କୁମାର ତ୍ରିପାଠୀ ଏବଂ କଳ୍ପନା ବେହେରା ନିଜ ଅନୁଭୂତି ବର୍ଣ୍ଣନା କରି କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ନିଯୁକ୍ତିକୁ ନେଇ ସେମାନେ ବେଶ୍ ଖୁସି । ଉତ୍ସର୍ଗୀକୃତ ଭାବେ ଲୋକଙ୍କ ସେବା କରିବା ସହ ୫-ଟି ଉପକ୍ରମକୁ ଅନୁକରଣ କରିବେ ବୋଲି ସେମାନେ କହିଥିଲେ । ହସ୍ତତନ୍ତ, ହସ୍ତଶିଳ୍ପ ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀ ସ୍ୱାଗତ ଭାଷଣ, ଶ୍ରମ ଏବଂ ଇଏସ୍ଆଇ ବିଭାଗ ସଚିବ ଆରଏସ ଗୋପାଳନ୍ ଧନ୍ୟବାଦ ପ୍ରଦାନ କରିଥିଲେ । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ସଚିବ ବୀର ବିକ୍ରମ ଯାଦବ ଉପସ୍ଥିତ ଥିଲେ ।