42.1 C
Bhubaneswar
Saturday, April 27, 2024
Homeଅପରାଧମରଣାନ୍ତକ ଆକ୍ରମଣ ପରେ ଯୁବକ ମୃତ: ପରିବାର କହିଲେ ଯୋଜନାବଦ୍ଧ ହତ୍ୟାକାଣ୍ଡ

ମରଣାନ୍ତକ ଆକ୍ରମଣ ପରେ ଯୁବକ ମୃତ: ପରିବାର କହିଲେ ଯୋଜନାବଦ୍ଧ ହତ୍ୟାକାଣ୍ଡ

କଲେଜ ପ୍ରିନ୍ସିପାଲ, ଅଧ୍ୟାପକ ସମେତ ୫ ଅଟକ
ସିନାପାଲି : ନୂଆପଡା ଜିଲ୍ଲା ସିନାପାଲି ଥାନା କାପସି ଗ୍ରାମର ଜଣେ ଯୁବକଙ୍କୁ ଡାକିନେଇ ମରଣାତ୍ମକ ଆକ୍ରମଣ କରାଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ ଘଟିଛି । ଏନେଇ ପରିବାର ପକ୍ଷରୁ ଏକ ଯୋଜନା ବଦ୍ଧ ହତ୍ୟାକାଣ୍ଡ ବୋଲି ସିନାପାଲି ଥାନାରେ ଅଭିଯୋଗ ହୋଇଛି । ମୃତ ବ୍ୟକ୍ତି ଜଣକ କାପସି ନିବାସୀ ଥିବ ତାଣ୍ଡିଙ୍କ ପୁଅ ମଣ୍ଟୁ ଓରଫ ତୁଲାରାମ ତାଣ୍ଡି(୩୨) ବୋଲି ଜଣାପଡିଛି । ପ୍ରାପ୍ତ ଖବର ଅନୁସାରେ, ଗତ ଶୁକ୍ରବାର ଅପରାହ୍ନ ୪.୩୦ ମିନିଟ୍‌ରେ କାପସିସ୍ଥିତ ଦ୍ରୌପଦୀ ମହିଳା ମହାବିଦ୍ୟାଳୟର ପ୍ରିନ୍ସିପାଲ ମାନସରଞ୍ଜନ ଦାସ, ଅଧ୍ୟାପକ କମଲଲୋଚନ ଦାସ, ସିନାପାଲି ସ୍ୱାସ୍ଥ୍ୟକେନ୍ଦ୍ର ଆମ୍ବୁଲାନ୍ସ ଡ୍ରାଇଭର ବୁଲୁ ପଟେଲ ଓ କଲେଜ କର୍ମଚାରୀଙ୍କ ଶାଳକ ଗଣେଶ ବାଗ ଏବଂ ଭିଣୋଇ ରାଜପୁର ନିବାସୀ ଅଭିରାମ ଜଗତ ମୃତକ ତୁଲାରାମ ତାଣ୍ଡିଙ୍କୁ ଡାକିନେଇ କଲେଜ କାର୍ଯ୍ୟାଳୟ ତଥା ପ୍ରିନ୍ସିପାଲଙ୍କ ବସାରେ ମିଳିତ ଭାବେ ମଦ ପିଇଥିଲେ ।

ପରେ ସନ୍ଧ୍ୟା ୬ଟାରେ ଆମ୍ବୁଲାନ୍ସ ଡ୍ରାଇଭର ବୁଲୁ ପଟେଲ ଓ ଗଣେଶ ବାଗର ଭିଣୋଇ ତୁଲାରାମ ତାଣ୍ଡିଙ୍କୁ ନିଶାସକ୍ତ ଅବସ୍ଥାରେ ମୋଟର ସାଇକେଲରେ ବସାଇ ହାତିବନ୍ଧା ପଟକୁ ନେଇଥିଲେ । ପରେ ରାତ୍ରି ପ୍ରାୟ ୮ଟା ୩୦ମିନିଟରେ ତୁଲାରାମଙ୍କ ମୋବାଇଲରୁ ସିନାପାଲି ନିବାସୀ ନବୀନ ମେହେରଙ୍କୁ ତୁମ ଡ୍ରାଇଭର ତୁଲାରାମଙ୍କ ଘଣ୍ଟିଗୁଡା ଗ୍ରାମ ଏକ ଦେବୀ ପୀଠରେ ବାଇକ୍ ଦୁର୍ଘଟଣା ଘଟିଥିବା କୁହା ଯାଇଥିଲା । ତାଙ୍କୁ କିଏ ବୋଲି ପଚାରିବାରୁ ସେ କୌଣସି ଉତ୍ତର ଦେଇ ନଥିଲେ । ଏହି ଖବର ପାଇଁ ଦୀର୍ଘ ସମୟ ଖୋଜାଖୋଜି ପରେ ପରିବାର ବର୍ଗ ଘଟଣାସ୍ଥାନରେ ପହଞ୍ଚି ତୁଲାରାମଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ସିନାପାଲି ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ନୂଆପଡା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ।

ହେଲେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ହେଲେ ଉକ୍ତ ଘଟଣାକୁ ପରିବାର ଲୋକେ ସହଜେ ଗ୍ରହଣ କରିନପାରି ଏକ ଯୋଜନା ବଦ୍ଧ ହତ୍ୟାକାଣ୍ଡ ବୋଲି ସିନାପାଲି ଥାନାରେ ଅଭିଯୋଗ ଆଣିଛନ୍ତି । ଯେହେତୁ ପୂର୍ବରୁ ଏକ ଗାଡିକିଣା ଘଟଣାକୁ ନେଇ ପ୍ରିନ୍ସିପାଲ୍ ମାନସ ସହିତ ତୁଲାରାମର ମନୋମାଳିନ୍ୟ ରହିଥିଲା । ପୁଣି ନୂଆଁଖାଇ ବାସିଭଳି ଏକ ଗୁରୁତ୍ୱପୂର୍ଣ୍ଣ ଦିନରେ ପାଞ୍ଚ ଜଣ ବ୍ୟକ୍ତିଙ୍କୁ ଘରେ ରଖି ତୁଲାରାମକୁ ମଦ ପିଇବା ପାଇଁ ଘରକୁ ଡାକିଥିଲା । ଉକ୍ତ ବ୍ୟକ୍ତିମାନଙ୍କ ମାଧ୍ୟମରେ ହତ୍ୟାକାଣ୍ଡ ଘଟାଇଥିଲା ବୋଲି ପରିବାର ଅଭିଯୋଗ ଆଣିଛନ୍ତି । ଏନେଇ ଉଚ୍ଚସ୍ତରୀୟ ନିରପେକ୍ଷ ତଦନ୍ତ ନିମନ୍ତେ ପରିବାର ସମେତ ରାଜ୍ୟ ଦଳିତ ଅଧିକାର ମଞ୍ଚ ସଭାପତି କମଲ ଚରଣ ତାଣ୍ଡି ଓ ସିନାପାଲି ଡ୍ରାଇଭର ମହାସଂଘ ଦାବି କରିଛନ୍ତି । ନଚେତ୍ ଆଗାମୀ ଦିନରେ ଭୟାଭୟ ଆନ୍ଦୋଳନ କରି ରାଜରାସ୍ତାକୁ ଓଲ୍ଲାଇବୁ ବୋଲି ପ୍ରକାଶ କରିଛନ୍ତି । ଜିଲ୍ଲା ଆରକ୍ଷୀ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ମୋବାଇଲ ଟ୍ରାକିଂ କରି ଫୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି । ଏନେଇ ସିନାପାଲି ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଚଲାଇଥିବା ଜଣାପଡିଛି । ଉକ୍ତ ଘଟଣା ନେଇ ସାଇଣ୍ଟିଫିକ୍ ଓ ଡଗ୍ସ ସ୍କ୍ୱାଡ୍ ଟିମ୍ ପହଞ୍ଚି ତଦନ୍ତ ଚଲାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking