34.1 C
Bhubaneswar
Saturday, April 27, 2024
Homeଓଡିଶାନବୀନ ବାବୁଙ୍କ ୨୪ ବର୍ଷର ସରକାରରେ ଓଡ଼ିଶା ପାଇଛି କ’ଣ - ଯୁବ କଂଗ୍ରେସ

ନବୀନ ବାବୁଙ୍କ ୨୪ ବର୍ଷର ସରକାରରେ ଓଡ଼ିଶା ପାଇଛି କ’ଣ – ଯୁବ କଂଗ୍ରେସ

ଭୁବନେଶ୍ୱର: ଆଜି ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ସାଧାରଣ ସମ୍ପାଦକ ତଥା ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ସୁଦିପ ସାମଲ କଂଗ୍ରେସ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକମାନଙ୍କୁ ସମ୍ବୋର୍ଦ୍ଧିତ କରି ବିଜୁ ଜନତାଦଳ ସରକାରର ୨୪ ବର୍ଷ ଶାସନ କାଳରେ ଓଡ଼ିଶା ପାଇଛି କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି । ୨୦୦୦-୦୯ ମସିହା ପର୍ଯ୍ୟନ୍ତ ଦୀର୍ଘ ୯ ବର୍ଷ ଧରି ବିଜେଡ଼ି ଓ ବିଜେପି ଓଡ଼ିଶାରେ ଏକ ମିଳିତ ସରକାର ଗଠନ କରି ଶାସନରେ ଥିଲେ । ୨୦୦୯ ମସିହାରୁ ଆଜି ପର୍ଯ୍ୟନ୍ତ ଲଗାତର ୧୫ବର୍ଷ କାଳଧରି ବିଜୁ ଜନତା ଦଳ ଏକାକି ରାଜ୍ୟରେ ଶାସନ କରୁଥିଲା ବେଳେ ଏହି ୨୪ ବର୍ଷ ଭିତରେ ଶ୍ରୀ ନବୀନ ପଟ୍ଟନାୟକ ହିଁ ମୁଖ୍ୟମନ୍ତ୍ରୀ ଥାଇ ଏ ରାଜ୍ୟର ଯେଉଁ ମୌଳିକ ସମସ୍ୟାଗୁଡ଼ିକୁ କାହିଁକି ସମାଧାନ ହୋଇପାରିଲା ନାହିଁ ବୋଲି ପ୍ରଶ୍ନ କରିଥିଲେ । ଦୁଇ ଦଶନ୍ଧି, ୪ ବର୍ଷ କ’ଣ ଏକ ଛୋଟ ସମୟକି? ୨୦୦୦ ମସିହାରେ ଦେଇଥିବା ପ୍ରତିଶ୍ରୁତି ଗୁଡ଼ିକ ଆଜିପର୍ଯ୍ୟନ୍ତ ପୂରଣ କରିପାରିଲେ ନାହିଁ । ଏହି ୨୪ ବର୍ଷ ଭିତରେ ଓଡ଼ିଶାର ଦାରିଦ୍ର‌୍ୟତା କମିବା ପରିବର୍ତେ ଆଜି ମଧ୍ୟ ରାଜ୍ୟର ୧୦ଟି ଆଦିବାସୀ ପ୍ରବଣ ଜିଲ୍ଲା ମାନଙ୍କରେ ୪୨ ପ୍ରତିଶତରୁ ୫୨ ପ୍ରତିଶତ ଲୋକ ଦରିଦ୍ର କାହିଁକି? ପ୍ରତିବର୍ଷ ୨ଲକ୍ଷ ନିଯୁକ୍ତି ସୃଷ୍ଟି କରିବାପାଇଁ ଏ ସରକାର ପ୍ରତିଶ୍ରୁତି ଦେଇଥିଲା କିନ୍ତୁ ଆଜି ପର୍ଯ୍ୟନ୍ତ ସରକାରୀ ଦପ୍ତରରେ ଖାଲିପଡ଼ିଥିବା ୨ଲକ୍ଷ ୩୬ ହଜାର ପଦବୀ ବର୍ଷ ବର୍ଷ ଧରି କାହିଁକି ପୂରଣ କରାଯାଉନାହିଁ । ବେକାରୀ କ୍ଷେତ୍ରରେ ଓଡ଼ିଶା ଆଜି ୧ନମ୍ବର । ଓଡ଼ିଶାରୁ ୩୦ଲକ୍ଷରୁ ଉର୍ଦ୍ଧ୍ୱ ଯୁବକ ଯୁବତୀ ଦାଦନ ଖଟିବାପାଇଁ ବିଭିନ୍ନ ରାଜ୍ୟକୁ ଯାଉଛନ୍ତି । ରାଜ୍ୟରେ ୪୫ଲକ୍ଷରୁ ଅଧିକ ଯୁବକ ଯୁବତୀ ବେରୋଜଗାର । ମହିଳା ଅତ୍ୟାଚାର ଓ ହିଂସା କ୍ଷେତ୍ରରେ ଓଡ଼ିଶା ଆଜି ସାରା ଭାରତବର୍ଷରେ ଚତୁର୍ଥ ସ୍ଥାନ ଗ୍ରହଣ କରିଛି ।
୨୦୦୦ ମସିହାରେ ମହିଳା ଅତ୍ୟାଚାର ଓ ହିଂସା କାଁ ଭାଁ ଶୁଣିବାକୁ ମିଳୁଥିଲା କିନ୍ତୁ ଏବେ ପ୍ରତିଦିନ ୯ ଜଣ ମହିଳା ଧର୍ଷଣର ଶିକାର ହେଉଛନ୍ତି, ତନ୍ମ ମଧ୍ୟରୁ ୫ଜଣ ଅପ୍ରାପ୍ତ ବୟସ୍କା, ଏହା କ’ଣ ଠିକ ନୁହେଁକି? ମହିଳାମାନଙ୍କ ସଶକ୍ତିକରଣ କଥା କୁହାଯାଉଛି କିନ୍ତୁ ରାଜ୍ୟର ସମସ୍ତ ସ୍କୁଲ ଠାରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଶିକ୍ଷକମାନଙ୍କର ମରୁଡ଼ି ପଡ଼ିଛି । ମହିଳାମାନେ ଗୁଣାତ୍ମକ ଶିକ୍ଷା ପାଇବେ ନାହିଁ ସଶକ୍ତ କିପରି ହେବେ?  ଯେଉଁମାନେ ସ୍ୱୟଂସହାୟିକା ଗୋଷ୍ଠିରେ ସାମିଲ ହେଲେ ସେମାନେ ସଶକ୍ତ ହୋଇଗଲେ କହିବା ଠିକ ନୁହେଁ । ଏବେ ମହିଳା ଅସଦାଚରଣ ଏବଂ ଶିଶୁ ନିଖୋଜ ଠାରୁ ଆରମ୍ଭ କରି ମୋଲେଷ୍ଟ୍ରେସନ, ଧର୍ଷଣ ବର୍ଷକୁ ବର୍ଷ ବହୁପରିମାଣରେ ବୃଦ୍ଧି ପାଉଛି । ରାଜ୍ୟ ଋଣଗସ୍ତରେ ଉବୁଟୁବୁ ହେଉଛି । ୨୪ ବର୍ଷ ଶାସନକାଳ ଭିତରେ ରାଜ୍ୟର ଜନସାଧାରଣଙ୍କ ଆୟର କୌଣସି ବୃଦ୍ଧି ଘଟିନାହିଁ । ରାଜ୍ୟରେ ସମସ୍ତ ଠିକା କାମ ଅଣଓଡ଼ିଆ ଠିକାଦାରଙ୍କ ହାତରେ । ଓଡ଼ିଶାର ଠିକାଦାରମାନେ ଅଣଓଡ଼ିଆଙ୍କ ଉପରେ ନିର୍ଭରଶୀଳ । ଓଡ଼ିଶାର ଅସ୍ମିତା କଥା କହୁଥିବା ବିଜୁ ଜନତା ଦଳ କାହିଁକି ଜଣେ ଅଣଓଡ଼ିଆ ତାଲିମ ବ୍ୟକ୍ତି ଦ୍ୱାରା ପରିଚାଳିତ? ରାଜ୍ୟର ସବୁକ୍ଷେତ୍ରରେ ଆଜି ଦୁର୍ନୀତି ଅତି ମାତ୍ରାରେ ବୃଦ୍ଧି ପାଇଛି । ଦୁର୍ନୀତିକୁ ଏ ସରକାର ନୀତି ବୋଲି ଗ୍ରହଣ କରିନେଇଛନ୍ତି । ଖଣି, ଡାଲି, ଜମି, ପାଣି ଓ ଚିଟଫଣ୍ଡ ଦୁର୍ନୀତିରେ ଉଭୟ ବିଜଡ଼ି ଓ ବିଜେପିର ନେତା ତଥା ମନ୍ତ୍ରୀମାନେ ସଂପୃକ୍ତ । ରାଜ୍ୟର ସମସ୍ତ କାର୍ଯ୍ୟାଳୟରେ ୪୦ ପ୍ରତିଶତରୁ ଅଧିକ ପିସି କାରବାର ଚାଲିଛି ।
୨୪ ବର୍ଷ ଭିତରେ ରାଜ୍ୟରେ କୌଣସି ମନ୍ତ୍ରୀ, ବିଧାୟକ ଓ ସାଂସଦ ମାନଙ୍କର ଆୟ ବର୍ହିଭୂତ ସମ୍ପତିକୁ ନେଇ ମାମଲା ଦାୟର ହୋଇନାହିଁ । ଯେଉଁ ଅଣଓଡ଼ିଆ ଆଇଏସ, ଆଇପିଏସ ଅଫିସର ତୃତୀୟ ମହଲାରେ ସର୍ବମୟ କର୍ତା ସାଜିଛନ୍ତି ସେମାନଙ୍କ ବିରୁଦ୍ଧରେ ଭିଜିଲାନ୍ସ କେସ ଦାୟର ହେଉ ନାହିଁ । ଇଲୋକ୍ଟ୍ରରାଲ ବଣ୍ଡ ମାଧ୍ୟମରେ ୧୦୦୦ କୋଟି ରୁ ଉର୍ଦ୍ଧ୍ୱ ଟଙ୍କା ରାଜନୈତିକ ଚାନ୍ଦା ପାଇଥିବା ବିଜୁ ଜନତା ଦଳ ରାଜ୍ୟବାସୀଙ୍କ ସମ୍ମୁଖରେ ସ୍ପଷ୍ଟ କରନ୍ତୁ କେଉଁ କେଉଁ କମ୍ପାନୀ ଏବଂ ବ୍ୟବସାୟୀମାନେ ତାଙ୍କୁ କେଉଁ ଆଧାରରେ ଚାନ୍ଦା ଦେଇଛନ୍ତି ଏବଂ ସରକାର ତାଙ୍କୁ କ’ଣ ଲାଭ ପଂହଚାଇଛନ୍ତି । ଠିକ ସେହିଭଳି ଭାବରେ ଭାରତୀୟ ଜନତାପାର୍ଟି ପାଖାପାଖି ୭ ହଜାର କୋଟି ଟଙ୍କା ଇଲୋକ୍ଟ୍ରରାଲ ବଣ୍ଡ ମାଧ୍ୟମରେ ୨୦୧୮ ରୁ ଆଜି ପର୍ଯ୍ୟନ୍ତ ଚାନ୍ଦା ପାଇଛନ୍ତି । ଏତେଗୁଡ଼ିଏ ଟଙ୍କା କାହିଁକି ଶିଳ୍ପପତି ଓ ବ୍ୟବସାୟୀମାନେ ଦେଇଛନ୍ତି ଏହା ଦ୍ୱାରା ସେମାନେ ସରକାରଙ୍କ ଦ୍ୱାରା କ’ଣ ଲାଭ ପାଇଛନ୍ତି ତାହା ଭାରତୀୟ ଜନତାପାର୍ଟିର ନେତୃବୃନ୍ଦ ଜନସାଧାରଣଙ୍କ ସମ୍ମୁଖରେ ରଖନ୍ତୁ । ସ୍ୱଚ୍ଛତା କଥା କାଗଜ କଲମରେ କିନ୍ତୁ କାମରେ ଦେଖାନ୍ତୁ । ବିକାଶର ଚିତ୍ର କେବଳ ଗଣମାଧ୍ୟମରେ ପ୍ରଚାରିତ କରାଯାଉଛି । କିନ୍ତୁ ନଗଡ଼ାର ସୃଷ୍ଟିକର୍ତା କିଏ? ଓଡ଼ିଶାର ଯାଜପୁରରେ କେବଳ ନଗଡ଼ା ନାହିଁ, ସ୍ୱର୍ଣ୍ଣଗର୍ଭା କେନ୍ଦୁଝର, ସୁନ୍ଦରଗଡ଼, ମୟୁରଭଞ୍ଜ, ଝାରସୁଗୁଡ଼ା ଓ କଳାହାଣ୍ଡିର ଚିତ୍ର ମଧ୍ୟ ସମାନ ।
ଆଜି ମଧ୍ୟ ଶବବାହକ ଗାଡ଼ିଟିଏ ମିଳୁନାହିଁ ଏହାପରେ ମୁଖ୍ୟମନ୍ତ୍ରୀ ଓ ବିଜୁଜନତା ଦଳ ୧୦ବର୍ଷ ମାଗିବା ଅତ୍ୟନ୍ତ ଲଜ୍ଜାଦାୟକ କଥା । ରାଜସ୍ୱ ଆଦାୟ ନାମରେ ନିଶାକାରବାରକୁ ପ୍ରୋତ୍ସାହନ କରି ଯୁବବର୍ଗଙ୍କୁ ପଥଭ୍ରଷ୍ଟ କରାଇବା ଛଡ଼ା ନବୀନ ବାବୁ ଯୁବ ବର୍ଗମାନଙ୍କ ପାଇଁ କ’ଣ କରିଛନ୍ତି ଓଡ଼ିଶାବାସୀଙ୍କୁ ଜବାବ ରଖନ୍ତୁ ।  ବିଗତ ଦିନରେ ଯୁବ କଂଗ୍ରେସ ପକ୍ଷରୁ ଓଡ଼ିଶାର ପ୍ରତ୍ୟେକ କୋଣ ଅନୁକୋଣରୁ ଆସିଥିବା ଯୁବ କଂଗ୍ରେସ କର୍ମୀମାନେ ନବୀନ ବାବୁଙ୍କୁ  ପ୍ରଶ୍ନ ପଚାରିବା ପାଇଁ ନବୀନ ନିବାସ ଯାଉଥିବା ସମୟରେ ସେମାନଙ୍କୁ ରାସ୍ତାରେ ପୋଲିସ ଲଗାଇ ଅଟକାଯାଇଥିଲା । ଏବେ ସମୟ ଆସିଛି ନବୀନ ବାବୁ ଏବଂ ତାଙ୍କ ଦଳର ନେତାମାନେ ଭୋଟ ମାଗିବା ପାଇଁ ଗାଁ ଗଣ୍ଡାକୁ ଯିବା ସମୟରେ ଯୁବ କଂଗ୍ରେସର କର୍ମକର୍ତାମାନଙ୍କର ପ୍ରଶ୍ନର ଉତର ରଖିବେ ତାହାପରେ ଭୋଟ ମାଗିବାପାଇଁ ଜନସାଧାରଣଙ୍କ ପାଖକୁ ଯିବେ । ଏହି ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର ଜିଲ୍ଲା ଯୁବ କଂଗ୍ରେସ ସଭାପତି ମହମ୍ମଦ ଗୁଲଫାମ, ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସଂପାଦକ କେଦାର ଦଳାଇ, ଯୁବ କଂଗ୍ରେସ ନେତା ମହମ୍ମଦ ପରଭେଜ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking