39.1 C
Bhubaneswar
Friday, April 26, 2024
Homeଓଡିଶାଶୋଷ ମେଣ୍ଟାଉଛି ଦୂଷିତ ଚୁଆ ପାଣି

ଶୋଷ ମେଣ୍ଟାଉଛି ଦୂଷିତ ଚୁଆ ପାଣି

କନ୍ଧମାଳ : ଜଳ ହିଁ ଜୀବନ ହୋଇଥିବା ବେଳେ ଆଜିବି ଅନେକ ଅଞ୍ଚଳ ରହିଛି ଯେଉଁଠି ଟୋପେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଅଞ୍ଚଳବାସୀ । ଏହା ବର୍ଷ ବର୍ଷର ସମସ୍ୟା ହୋଇଥିଲେ ମଧ୍ୟ ଏଥିପ୍ରତି କାହାରି ଦୃଷ୍ଟି ପଡୁନାହିଁ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ବାଟାଗୁଡ଼ା ଗ୍ରାମ ପଞ୍ଚାୟତର ସବାରକିଆ ଗାଁରେ ଦେଖିବାକୁ ମିଳିଛି ଗ୍ରାମବାସୀଙ୍କ ଏଭଳି ଚିତ୍ର । ଦୂଷିତ ଚୁଆ ପାଣି ଭରସାରେ ଗାଁ’ଲୋକ ରହିଛନ୍ତି । ଖରା ହେଉ ବା ବର୍ଷା ସବୁବେଳେ ସ୍ଥିତି ସମାନ । ଟୋପେ ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସବାରକିଆ ଗ୍ରାମବାସୀ । ଗାଁ’ରେ ରହନ୍ତି ୧୦ ପରିବାର । ହେଲେ ପିଛା ଛାଡୁନି ଜଳ କଷ୍ଟ । ବିଲ ମଝିରେ ଥିବା ଏକମାତ୍ର ଚୁଆ ହିଁ ଏମାନଙ୍କ ସାହା ଭରସା । ଖରାଦିନେ ଚୁଆର ପାଣି ଶୁଖି ଯାଉଥିବାବେଳେ ବର୍ଷାଦିନେ ବିଲ ପାଣିରେ ଭରିଯାଉଛି ଚୁଆ ।
ଦୂଷିତ ପାଣି ପିଇ ବିଭିନ୍ନ ସମୟରେ ରୋଗାକ୍ରାନ୍ତ ମଧ୍ୟ ଅଞ୍ଚଳବାସୀ ହେଉଥିବା ଅଭିଯୋଗ କରିଛନ୍ତି । ବାରମ୍ୱାର ଅଭିଯୋଗ ପରେ ମଧ୍ୟ ପ୍ରଶାସନର ନିଘା ନାହିଁ । ଗାଁ’ରେ ଏଯାଏଁ ଗୋଟିଏ ବି କୂଅ କିମ୍ୱା ନଳକୂପର ବ୍ୟବସ୍ଥା ହୋଇପାରି ନାହିଁ । ସେପଟେ ଖରାଦିନେ ଚୁଆ ଶୁଖିଯିବା ଯୋଗୁଁ ଦୂର ଦୂରାନ୍ତରୁ ଜଳ ସଂଗ୍ରହ କରିବାକୁ ପଡ଼େ ଗାଁ’ଲୋକଙ୍କୁ । ପୁଣି ବର୍ଷାଦିନେ ସେହି ଦୂଷିତ ଚୁଆ ପାଣିକୁ ବ୍ୟବହାର କରିବାକୁ ପଡ଼େ ଏମାନଙ୍କୁ ।
ଯଥାଶୀଘ୍ର କୂଅ କିମ୍ୱା ନଳକୂପର ବ୍ୟବସ୍ଥା କରାଇବା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ଅଞ୍ଚଳବାସୀ । ଗତବର୍ଷ ବାଟାଗୁଡ଼ା ଗ୍ରାମ ପଞ୍ଚାୟତ ପକ୍ଷରୁ ସବାରକିଆ ଗାଁ’ପାଇଁ କୂଅ ମଞ୍ଜୁରୀ ହୋଇଥିଲା । ହେଲେ ଗାଁ’ ଲାକେ କୂଅ ଖୋଳିଲେନି । ଫଣ୍ଡ୍ ଆସିଲେ ଏ ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ବାଟାଗୁଡ଼ା ସରପଞ୍ଚ ମେନକା ମଲ୍ଲିକ । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ଯଥାଶୀଘ୍ର ଜଳ ସମସ୍ୟାର ସମାଧାନ କରିବାକୁ ଅଞ୍ଚଳବାସୀ ନିବେଦନ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking