ନୂଆଦିଲ୍ଲୀ: ୱାଶିଂଟନ ଡିସି ହୋଟେଲ ଗୁଳିକାଣ୍ଡକୁ ନିନ୍ଦା କଲେ ପ୍ରଧାନମନ୍ତ୍ରୀ ମୋଦି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୁରକ୍ଷିତ ଥିବାରୁ ମୁଁ ଆଶ୍ୱସ୍ତ ଅଛି । ଉପରାଷ୍ଟ୍ରପତି ଜେଡି ଭାନ୍ସ ଓ ଟ୍ରମ୍ପଙ୍କ ପତ୍ନୀ ମେଲାନିଆଙ୍କ ଶୁଭକାମନା କଲେ । ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ, ସ୍ପଷ୍ଟ ଭାବେ ନିନ୍ଦା କରିବା ଉଚିତ ବୋଲି ମୋଦି କହିଛନ୍ତି । ସୂଚନା ଥାଉକି, ଆମେରିକାର ୱାସିଂଟନ ହିଲଟନ ହୋଟେଲରେ ହ୍ୱାଇଟ ହାଉସ କରେସପେଣ୍ଡେଣ୍ଟଙ୍କ ରାତ୍ରୀ ଭୋଜନ ପୂର୍ବରୁ ଘଟିଥିଲା ଗୁଳିକାଣ୍ଡ । ଡୋନାଲ୍ଡ ଟ୍ରମ୍ପ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ ଏବଂ ଉପରାଷ୍ଟ୍ରପତି ଜେ.ଡି. ଭାନ୍ସଙ୍କ ସହିତ ରାତ୍ରୀଭୋଜନରେ ଯୋଗଦେବା ପାଇଁ ସେଠାରେ ପହଞ୍ଚିଥିଲେ। ରିପୋର୍ଟ ଅନୁଯାୟୀ, ଟ୍ରମ୍ପ ଏବଂ ଅନ୍ୟାନ୍ୟ ଶୀର୍ଷ ନେତାମାନେ ଯେଉଁ ବଲ୍ ରୁମ୍ରେ ଉପସ୍ଥିତ ଥିଲେ, ସେଠାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଥିଲା, କିନ୍ତୁ ହୋଟେଲର ଅନ୍ୟାନ୍ୟ ଅଂଶ, ବିଶେଷକରି ଲବି ଏବଂ ସାର୍ବଜନୀନ କ୍ଷେତ୍ରଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କମ୍ ଥିଲା। ଏହି ସୁରକ୍ଷା ତ୍ରୁଟି ଘଟଣାର ଏକ ପ୍ରମୁଖ କାରଣ ବୋଲି ଅନୁମାନ କରାଯାଉଛି।










