ଢେଙ୍କାନାଳ: ହାତୀ ଆକ୍ରମଣରେ ମହିଳା ମୃତ । ଢେଙ୍କାନାଳ ଜିଲ୍ଲା ଭାଲିଆ ପଞ୍ଚାୟତ ସଂସାଇଲୋ ଗାଁରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ , ଗାଁର ଗୀତାଞ୍ଜଳି ସାହୁ ସକାଳ ସମୟରେ ଆମ୍ବ ଗୋଟାଇବା ପାଇଁ ନିକଟସ୍ଥ ଜଙ୍ଗଲ ଅଞ୍ଚଳକୁ ଯାଇଥିଲେ । ସେ ସମୟରେ ଏକ ଦନ୍ତାହାତୀ ହଠାତ ସେଠାରେ ପହଞ୍ଚି ମହିଳାଙ୍କୁ ଆକ୍ରମଣ କରିଥିଲା । ଆକ୍ରମଣ ଏତେ ଭୟାବହ ଥିଲା ଯେ, ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଘଟଣା ପରେ ଅଞ୍ଚଳରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି । ସ୍ଥାନୀୟ ଲୋକମାନେ ବନ ବିଭାଗଙ୍କୁ ତୁରନ୍ତ ପଦକ୍ଷେପ ନେବା ପାଇଁ ଦାବି କରିଛନ୍ତି, ଯଦ୍ୱାରା ଏପରି ଘଟଣା ପୁଣି ଘଟିବାକୁ ରୋକାଯାଇପାରିବ । ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।










