ନାପିଦ୍ବ: ମିଆଁମାର ସେନା ପଶ୍ଚିମ ରାଖାଇନ୍ ରାଜ୍ୟରେ ବିଦ୍ରୋହୀ ଗୋଷ୍ଠୀ ଦ୍ୱାରା ନିୟନ୍ତ୍ରିତ ଅଞ୍ଚଳର ଏକ ବଜାର ନିକଟରେ ଏକ ବଡ଼ ଧରଣର ଏୟାର ଷ୍ଟ୍ରାଇକ୍ କରିଛି। ଆକ୍ରମଣରେ ୪୯ ଜଣ ଲୋକ ପ୍ରାଣ ହରାଇଛନ୍ତି ଏବଂ ୫୮ ଜଣ ଆହତ ହୋଇଛନ୍ତି। ଆକ୍ରମଣ ଦେଶର ଦ୍ୱିତୀୟ ବୃହତ୍ତମ ସହର ମାଣ୍ଡାଲେରୁ ପ୍ରାୟ ୩୪୦ କିଲୋମିଟର ପଶ୍ଚିମରେ ଥିବା କ୍ୟାଉକଟାଉ ଟାଉନସିପରେ ଘଟିଛି। ଏହି ଛୋଟ ସହର ସଶସ୍ତ୍ର ଗୋଷ୍ଠୀ ଆରାକାନ୍ ଆର୍ମି ଦ୍ୱାରା ନିୟନ୍ତ୍ରିତ ହେଉଛି।ମଙ୍ଗଳବାର ପ୍ରତ୍ୟୁଷରେ ଜାରି ଏକ ବିବୃତିରେ, ଆରାକାନ୍ ଆର୍ମି କହିଛି ଯେ, ଏକ ଲଢୁଆ ବିମାନ ମଧ୍ୟାହ୍ନ ସମୟରେ ସ୍ଥାନୀୟ ବଜାର ନିକଟରେ ଦୁଇଟି ବୋମା ପକାଇଥିଲା, ଯାହା ଫଳରେ ବିକ୍ରେତା, ଦୋକାନୀ ଏବଂ ପଦଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା। ଗୋଷ୍ଠୀ କହିଛି, ଆହତଙ୍କ ମଧ୍ୟରୁ ୨୨ ଜଣ ଗୁରୁତର ଅଛନ୍ତି। ଆହତଙ୍କୁ ଚିକିତ୍ସା ଲାଗି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖୁବ୍ ଶୀଘ୍ର ଏହାର ପ୍ରତିଶୋଧମୂଳକ ପାଲଟା ଜବାବ ଦିଆଯିବ।
ରାଖାଇନରେ ଉଦ୍ଧାର କାର୍ଯ୍ୟରେ ସାମିଲ ଥିବା ଜଣେ ବରିଷ୍ଠ ଅଧିକାରୀ ୱାଇ ହୁନ୍ ଅଙ୍ଗ ଘଟଣାସ୍ଥଳରେ ଥିବା ଉଦ୍ଧାରକାରୀଙ୍କ ସୂଚନା ଆଧାରରେ ଆସୋସିଏଟେଡ୍ ପ୍ରେସକୁ କହିଛନ୍ତି ବଜାରଟି ଅଞ୍ଚଳର ମୁଖ୍ୟ ପାଇକାରୀ କେନ୍ଦ୍ର। ଏଠାକୁ ରାଜ୍ୟର ସବୁ ଅଞ୍ଚଳରୁ ବ୍ୟବସାୟୀ ଏବଂ କ୍ରେତା ଆସିଥାନ୍ତି।୧ ଫେବ୍ରୁଆରି ୨୦୨୧ରେ ସାମରିକ ବାହିନୀ ଅଙ୍ଗ ସାନ ସୁ କିଙ୍କ ନିର୍ବାଚିତ ସରକାରଙ୍କ ଠାରୁ କ୍ଷମତା ଦଖଲ କରିବା ପରଠାରୁ ମିଆଁମାର ଅଶାନ୍ତ ହୋଇପଡ଼ିଥିଲା।ଯାହା ଫଳରେ ବ୍ୟାପକ ବିରୋଧ ପ୍ରଦର୍ଶନ ହୋଇଥିଲା। ସୁରକ୍ଷା ବାହିନୀ ଶାନ୍ତିପୂର୍ଣ୍ଣ ପ୍ରତିବାଦକୁ ଦମନ କରିବା ପାଇଁ ମାରାତ୍ମକ ଶକ୍ତି ବ୍ୟବହାର କରିଥିଲେ। ସାମରିକ ଶାସନର କିଛି ବିରୋଧୀ ଅସ୍ତ୍ର ଉଠାଇଥିଲେ। ଏହା ଯୋଗୁଁ ଦେଶର ବହୁ ଅଞ୍ଚଳରେ ଘମାଘୋଟ ସଂଘର୍ଷ ଆରମ୍ଭ ହୋଇଥିଲା। ତାହା ଏପର୍ଯ୍ୟନ୍ତ ଜାରି ରହିଛି।










