ବିରୋଧୀଙ୍କ ହଟ୍ଟଗୋଳ, ଚାଲିଲା ମାତ୍ର ୫ ଦିନ
୪ ବିଧେୟକ ପାରିତ: ୩ କମିଟି ରିପୋର୍ଟ ଉପସ୍ଥାପିତ
ଭୁବନେଶ୍ୱର: ବିଧାନସଭା ୯ଦିନିଆ ମୌସୁମୀ ଅଧିବେଶନ ଅଧାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହୋଇଛି। ବିରୋଧୀ ବିଜେଡି ଓ କଂଗ୍ରେସ ସଦସ୍ୟମାନଙ୍କ ହଟ୍ଟଗୋଳ ଭିତରେ ୪ଟି କାର୍ଯ୍ୟ ଦିବସ ଥାଇ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ। ୨୨ତାରିଖରୁ ଆରମ୍ଭ ହୋଇଥିବା ଅଧିବେଶନ ଅକ୍ଟୋବର ୩ତାରିଖ ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟକ୍ରମ ରହିଥିଲା। ମାତ୍ର ପ୍ରଥମ ଦିନରୁ ଉଭୟ ବିଜେଡି ଓ କଂଗ୍ରେସ ସଦସ୍ୟମାନେ ଏମ୍ଏମ୍ଡିଆର ଏବଂ ପାଠ୍ୟ ପୁୁସ୍ତକରେ ତ୍ରୁଟି ପ୍ରସଙ୍ଗରେ ଗୃହରେ ହଟ୍ଟଗୋଳ କରିବା ଯୋଗୁ ଗୃହ ୫ଦିନ ଧରି ଚାଲିପାରିନଥିଲା। ଏପରିକି ସୋମବାର ପ୍ରଥମାର୍ଦ୍ଧରେ ମଧ୍ୟ ଗୃହ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଠପ୍ ହୋଇପଡ଼ିଥିଲା। ତେବେ ଦ୍ୱିତୀୟାର୍ଦ୍ଧରେ ବିରୋଧୀଙ୍କ ଅନୁପସ୍ଥିତିରେ ସରକାର ୪ଟି ବିଲ୍ ପାରିତ କରାଇ ନେବା ସହ ବିଭିନ୍ନ ରିପୋର୍ଟ ଉପସ୍ଥାପନ କରିବା ପରେ ଗୃହ ମୁଲତବୀ ହୋଇଥିଲା।
ସପ୍ତଦଶ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭରୁ ଉଷ୍ଣତା ଲାଗିଥିଲା। ଗୋଟିଏ ଦିନ ବି ସ୍ୱାଭାବିକ ଭାବେ ଗୃହ ଚାଲିପାରି ନଥିଲା। ଏମ୍ଏମ୍ଡିଆର୍ ସଂଶୋଧ ଆଇନ ଏବଂ ପାଠ୍ୟ ପୁୁସ୍ତକରେ ତ୍ରୁଟି ପ୍ରସଙ୍ଗରେ ବିରୋଧୀ ପ୍ରବଳ ହଟ୍ଟଗୋଳ କରି ସରକାରଙ୍କୁ ଘେରିଥିଲେ। ଫଳରେ ପ୍ରଥମ ଦିନ ୪୭ ମିନିଟ୍, ଦ୍ୱିତୀୟ ଦିନ ୧୧ ମିନିଟ୍ ଏବଂ ତୃତୀୟ ଦିନ ମାତ୍ର ୧୬ ମିନିଟ୍ ଏବଂ ଚତୁର୍ଥ ଦିନରେ ୯ ମିନିଟ୍ ଏବଂ ପଞ୍ଚମ ଦିନରେ ପ୍ରାୟ ସାଢ଼େ ତିନି ଘଣ୍ଟା ଚାଲିବାକୁ ଗୃହ ସକ୍ଷମ ହୋଇଥିଲା। ଏହା ସତ୍ତ୍ୱେ ବି ଅଧିବେଶନର ସ୍ୱଳ୍ପ କାର୍ଯ୍ୟକାଳ ଭିତରେ ବିଭିନ୍ନ ବିଭାଗର ୭ଟି ବିଲ୍ ଆସିଥିଲାବେଳେ ୪ଟି ପାସ୍ ହୋଇଛି। ଏଥିସହ ସିଏଜି ରିପୋର୍ଟ, ଚାରି ବିଧେୟକ, ୨ଟି ଅଧ୍ୟାଦେଶ, ୧୧ଟି ବାର୍ଷିକ ରିପୋର୍ଟ, ୩ଟି କମିଟି ରିପୋର୍ଟ ଉପସ୍ଥାପନ ସହ ୧ଟି ମୁଲତବି, ୧ଟି ବିବୃତ୍ତି,୧୩୬୬ ଅଣତାରକା ପ୍ରଶ୍ନ, ୮ଟି ତାରକା ପ୍ରଶ୍ନର ଉତ୍ତର ଦେଇଥିଲେ ବିଭାଗୀୟ ମନ୍ତ୍ରୀ।
ଶେଷ ଅର୍ଥାତ ସୋମବାର ଦିନ ପ୍ରଥମାର୍ଦ୍ଧ ବୈଠକ ଅଚଳ ହୋଇଥିଲାବେଳେ, ଅପରାହ୍ନ ବୈଠକ ଚାଲି ବନ୍ଦ୍ ହୋଇଥିଲା। ପୂର୍ବଦିନ ଭଳି ପଞ୍ଚମ ଦିନ ବିଭ ଗୃହ ସ୍ୱାଭାବିକ ହୋଇ ପାରୁନଥିଲା। ଜିଦରେ ଅଟଳ ଥିଲେ ବିରୋଧୀ। ଏମ୍ଏମ୍ଡିଆର ସଂଶୋଧନ ଆଇନ୍ ବିରୁଦ୍ଧରେ ବିରୋଧୀ କଂଗ୍ରେସ ଏବଂ ବିଜୁ ଜନତା ଦଳ ସଦସ୍ୟମାନେ ଗୃହ ମଧ୍ୟ ଭାଗରେ ହଟ୍ଟଗୋଳ ଓ ନାରାବାଜି କରିବା ଯୋଗୁଁ ବାଚସ୍ପତି ଗୃହକୁ ବାରମ୍ବାର ମୁଲତବି କରିଥିଲେ। ପ୍ରଶ୍ନକାଳ ଆରମ୍ଭ ହେବା କ୍ଷଣି ବିରୋଧୀ ଦଳର ବିଧାୟକମାନେ ସରକାରୀ ବିରୋଧୀ ପ୍ଲାକାର୍ଡ଼ ଧରି ଓ କଳା ସ୍କାର୍ଫ ପିନ୍ଧି ବାଚସ୍ପତିଙ୍କ ପୋଡ଼ିଅମ ସମ୍ମୁଖରେ ବିରୋଧ ପ୍ରଦର୍ଶନ କରିଥିଲେ। ‘ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ସଂଶୋଧନ ଆଇନ୍’ ପ୍ରତ୍ୟାହାର ଦାବିରେ ସ୍ଲୋଗାନ ବି ଦେଇଥିଲେ। ଏହି ନୂତନ ଖଣି ଆଇନ୍କୁ ‘ଓଡ଼ିଶା-ବିରୋଧୀ’ ଏବଂ ‘ଆଦିବାସୀ-ବିରୋଧୀ’ ବୋଲି ଆଖ୍ୟା ଦେଇ ସେମାନେ ଏହାକୁ ପ୍ରତ୍ୟାହାର କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଦାବିରେ ଅଡ଼ି ବସିଥିଲେ।
ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ବାଚସ୍ପତି ସୁରମା ପାଢ଼ୀ ପ୍ରଶ୍ନକାଳ ଜାରି ରଖିବାକୁ ଚେଷ୍ଟା କରିଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ଏକ ପ୍ରଶ୍ନର ଉତ୍ତର ଦେବାକୁ ଅନୁମତି ଦେବାରୁ ସେ ଉତ୍ତର ରଖୁଥିଲାବେଳେ ବିରୋଧୀ ସଦସ୍ୟମାନେ ଏଥିରେ କ୍ଷୁବ୍ଦ ହୋଇ ହଟ୍ଟଗୋଳକୁ ଆହୁରି ତୀବ୍ର କରିଥିଲେ। କିଛି ସଦସ୍ୟ ରିପୋର୍ଟରଙ୍କ ଟେବୁଲ୍ ଉପରେ ଛିଡ଼ା ହୋଇଥିବାବେଳେ କଂଗ୍ରେସ ସଦସ୍ୟ ତାରା ବାହିନୀପତି ବାଚସ୍ପତିଙ୍କ ପୋଡିୟମ୍ ଉପରକୁ ଉଠିବାକୁ ଚେଷ୍ଟା କରିଥିଲେ। ବିରୋଧୀ ସଦସ୍ୟଙ୍କୁ ବାରମ୍ବାର ଅନୁରୋଧ କରାଯାଇଥିଲେ ହେଁ କେହି ଶୁଣିନଥିଲେ। ଫଳସ୍ୱରୂପ ବାଚସ୍ପତି ଗୃହକୁ ପ୍ରଥମେ ୧୦.୩୬ରୁ ସାଢ଼େ ୧୧ଟା ଯାଏ ମୁଲତବି କରିଥିଲେ। ଏତିକିବେଳେ ବିରୋଧୀ ସଭ୍ୟମାନେ ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତ୍ତିତଳେ ଧାରଣା ଦେଇଥିଲେ। ପୁଣି ଗୃହ ଆରମ୍ଭ ହେବା କ୍ଷଣି ଅନୁରୂପ ପରିସ୍ଥିତି ଦେଖିବାକୁ ମିଳିଥିଲା। ଗୃହର ମଧ୍ୟଭାଗରେ ବିରୋଧୀଙ୍କ ବିରୋଧ ଜାରି ରହିଥିଲା। ବାଚସ୍ପତି ‘ଶୂନ୍ୟକାଳ’ ଆଲୋଚନା ପାଇଁ ଅନୁମତି ଦେଇଥିଲେ। ବିଜେଡି ବିଧାୟକମାନେ ଏହାକୁ ବିରୋଧ କରି ଗୃହରୁ ବାହାରି ଯାଇ ଏମ୍ଏମ୍ଡିଆର୍ ଆଇନ ପ୍ରତ୍ୟାହାର କର ବୋଲି ନାରାବାଜି କରି କକ୍ଷତ୍ୟାଗ ସହ ଲୋୟର ପିଏମଜି ଆଡ଼େ ଦଳର ଚାଲିଥିବା ପ୍ରତିବାଦ ରାଲିରେ ଯୋଗ ଦେଇଥିଲେ। ହେଲେ କଂଗ୍ରେସ ସଭ୍ୟମାନେ ବିରୋଧ ଜାରି ରଖିଥିେଲେ। ବାଚସ୍ପତି ଶ୍ରୀମତୀ ପାଢ଼ୀ ଗୃହକୁ ୧୨ଟା୧୮ରେ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କରିଥିଲେ। ଗୃହ ଆରମ୍ଭ ପରେ ଚାରୋଟି ବିଧେୟକ ପାରିତ ହୋଇଥିଲା। ପରେ ବାଚସ୍ପତିଠିକ୍ ୬ଟା ୫୪ରେ ଗୃହକୁ ଅନିର୍ଦ୍ଦିଷ୍ଟ କାଳପାଇଁ ମୁଲତବି ଘୋଷଣା କରିଥିଲେ।










