31.1 C
Bhubaneswar
Monday, May 20, 2024
Homeଦେଶ ବିଦେଶସନ୍ଦେଶଖାଲି ମାମଲାରେ ୟୁ-ଟର୍ଣ୍ଣ: ଏଫ୍‌ଆଇଆର୍ ପ୍ରତ୍ୟାହାର ସହ ଦୁଷ୍କର୍ମ ପୀଡ଼ିତାଙ୍କ ଚାଞ୍ଚଲ୍ୟକର ଖୁଲାସା

ସନ୍ଦେଶଖାଲି ମାମଲାରେ ୟୁ-ଟର୍ଣ୍ଣ: ଏଫ୍‌ଆଇଆର୍ ପ୍ରତ୍ୟାହାର ସହ ଦୁଷ୍କର୍ମ ପୀଡ଼ିତାଙ୍କ ଚାଞ୍ଚଲ୍ୟକର ଖୁଲାସା

କୋଲକାତା: ପଶ୍ଚିମବଙ୍ଗର ବହୁଚର୍ଚ୍ଚିତ ସନ୍ଦେଶଖାଲି ଘଟଣାରେ ଏବେ ଏକ ନାଟକୀୟ ମୋଡ ଦେଖିବାକୁ ମିଳିଛି । ଶାସକ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ନେତା ଶେଖ୍ ଶାହାଜାହାନ୍‌ଙ୍କ ବିରୋଧରେ ଯେଉଁ ମହିଳାମାନେ ଶାରୀରିକ ଶୋଷଣ (ଦୁଷ୍କର୍ମ) ଭଳି ଗୁରୁତର ଅଭିଯୋଗ ଆଣିଥିଲେ ଏବଂ ଯେଉଁ ଆଧାରରେ ଦେଶର ନ୍ୟାୟପାଳିକା ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ଗଭୀର ଉଦ୍‌ବେଗ ପ୍ରକାଶ କରିଥିଲେ, ଆଜି ଦିନରେ ସେସାନଙ୍କ ମଧ୍ୟରୁ ଜଣେ (ପୂର୍ବରୁ ନିଜକୁ ପୀଡ଼ିତା ବୋଲି ଦର୍ଶାଇଆସୁଥିବା ମହିଳା) ଏକ ବଡ଼ ଖୁଲାସା କରିଛନ୍ତି । ଟିଏମ୍‌ସି ନେତା ଶାହାଜାହାନ୍ ଶେଖ୍‌ଙ୍କ ବିରୋଧରେ ମିଥ୍ୟା ଅଭିଯୋଗ କରିବା ପାଇଁ ତାଙ୍କୁ ପ୍ରଥମେ ମିଥ୍ୟା ପ୍ରଲୋଭନ ଦିଆଯାଇଥିଲା ବୋଲି ଏହି ମହିଳାଜଣକ କହିଛନ୍ତି ।
ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁସାରେ ଅଭିଯୋଗ ଫେରାଇ ନେଇଥିବା ଏହି  ମହିଳାଜଣକ ତାଙ୍କ ପ୍ରତି ଶେଖ ଶାହାଜାହାନ୍ କିମ୍ବା ତାଙ୍କର କୌଣସି ସହଯୋଗୀଙ୍କ ପକ୍ଷରୁ ଯୌନ ଉତ୍ପୀଡନ ହୋଇନଥିବା ସ୍ପଷ୍ଟ କରିଛନ୍ତି । ଓଲଟା ବିଜେପି ମହିଳା ମୋର୍ଚ୍ଚାର କିଛି ସ୍ଥାନୀୟ ନେତା ତାଙ୍କ ଘରକୁ ଆସି ଏକ ଧଳା ସାଧାକାଗଜରେ ସେମାଙ୍କର ହସ୍ତାକ୍ଷର ନେଇଥିଲେ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସେମାନଙ୍କୁ ସମସ୍ତ ଲାଭ ମିଳିବ ବୋଲି କହିଥିଲେ । ଏହାପରେ ଥାନାରେ ଶେଖ୍ ଶାହାଜାହାନ୍ ବିରୋଧରେ ମିଛ ଦୁଷ୍କର୍ମ ଅଭିଯୋଗ କରାଯାଇଥିଲା । ତେବେ ଟିଏମ୍‌ସି ନେତାଙ୍କ ଯୌନ ଉତ୍ପୀଡନର ଶିକାର ହୋଇଥିବା ମହିଳାଙ୍କ ତାଲିକା ପ୍ରକାଶ ପାଇବା ଏବଂ ସେଥିରେ ଏହି ମହିଳାଜଣକ ନିଜ ନିଜ ନାମ ସାମିଲ ଥିବା ଦେଖି ଆଶ୍ଚର୍ଯ୍ୟବ୍ୟକ୍ତ କରିଥିଲେ । ଏହା ଏକ ପୂର୍ବ ଯୋଜନାବଦ୍ଧ ଓ ମିଛ ଅଭିଯୋଗ ଜାଣିବା ପରେ ଏପ୍ରକାର ଏକ ମିଛ ଅଭିଯୋଗର ଭାଗିଦାରୀ ହେବେ ନାହିଁ ବୋଲି ଚିନ୍ତା କରି ଆଜି ସାହସ କରି ସେ ନିଜ ଅଭିଯୋଗକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଥିବା ଏହି ମହିଳାଜଣକ କହିଛନ୍ତି । କେବଳ ସେତିକି ନୁହେଁ ଅଭିଯୋଗ ଫେରାଇ ନେଇଥିବା ମହିଳାଜଣକ ସନ୍ଦେଶଖାଲି ପୁଲିସ ଷ୍ଟେସନରେ ଏକ ଏଫ୍‌ଆଇଆର୍ ମଧ୍ୟ ରୁଜୁ କରିଛନ୍ତି । ଦୁଷ୍କର୍ମ ଅଭିଯୋଗ ଫେରାଇ ନେଇଥିବା ଯୋଗୁ ତାଙ୍କୁ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଧମକ ଦିଆଯାଉଥିବା ଏବଂ ସେମାନଙ୍କୁ ବାସନ୍ଦ କରିବା ପାଇଁ ଚେଷ୍ଟା କରାଯାଉଥିବା ମହିଳାଜଣକ ନିଜ ଏଫ୍‌ଆଇଆର୍‌ରେ କହିଛନ୍ତି ।
ତେବେ ମହିଳାଙ୍କ ଏବେର ସ୍ପଷ୍ଟୀକରଣ ଯଦି ସତ୍ୟ ହୋଇଥାଏ ତେବେ ଏହା ଏକ ବଡ଼ ସାଂଘାତିକ ଘଟଣା ଭାବେ ରୂପ ନେଇପାରେ ବୋଲି ଆଶଙ୍କା କରାଯାଉଛି । ଅନ୍ୟ ମହିଳା ଅଭିଯୋଗକାରିଣୀଙ୍କ କ୍ଷେତ୍ରରେ ମଧ୍ୟ ସମାନ ଘଟଣା ଘଟିଥିବା ନେଇ ସନ୍ଦେହରେ ଏହି ମାମଲାରେ ଉଚ୍ଚସ୍ତରୀୟ ତଦନ୍ତ ହୋଇପାରେ । ଅନ୍ୟପକ୍ଷେ ଯଦି ଶାସକ ଦଳ ଟିଏମ୍‌ସି ପକ୍ଷରୁ ମହିଳାଙ୍କ ଉପରେ ଚାପ ପକାଯାଇ ଏପରି କରାଯାଉଥାଏ  ତେବେ ଏହା ମଧ୍ୟ ଏକ ବଡ଼ ଧରଣର ରାଜନୈତିକ ବିବାଦର ସୂତ୍ର ପାଲଟିବ ବୋଲି ଅନୁମାନ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking