32.1 C
Bhubaneswar
Monday, May 20, 2024
Homeଦେଶ ବିଦେଶଭୋଟ୍‌ଦେଲେ ବିଜେପି ନେତାଙ୍କ ନାବାଳକ ପୁଅ; ଭିଡିଓ ଭାଇରାଲ ପରେ ତେଜୁଛି ବିବାଦ

ଭୋଟ୍‌ଦେଲେ ବିଜେପି ନେତାଙ୍କ ନାବାଳକ ପୁଅ; ଭିଡିଓ ଭାଇରାଲ ପରେ ତେଜୁଛି ବିବାଦ

ଭୋପାଳ: ମଧ୍ୟପ୍ରଦେଶରେ ଭାଇରାଲ୍ ହେଉଥିବା ଏକ ଭିଡିଓକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି । ଭିଡିଓଟିରେ ମଧ୍ୟପ୍ରଦେଶର ଭୋପାଳସ୍ଥିତ ବେରସିଆ ଅଞ୍ଚଳରେ ଲୋକସଭା ନିର୍ବାଚନ ପାଇଁ ମତଦାନ ପ୍ର୍ରକ୍ରିୟା ଚାଲିଥିବା ବେଳେ ଜଣେ ନାବାଳକ ଭୋଟ୍ ଦେଉଥିବାର ଦେଖିବାକୁ ମିଳିଛି । ବାସ୍ତବରେ ଭୋଟ୍ ଦେଇଥିବା ଏହି ନାବାଳକଜଣକ ବିଜେପିର ଜିଲା ପଞ୍ଚାୟତ ସଦସ୍ୟ ବିନୟ ମେହେରଙ୍କ ପୁଅ । ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଥିବା ମତଦାନ ସମୟରେ ନାବାଳକ ନିଜ ବାପା ବିନୟ ମେହରଙ୍କ ସହ ମତଦାନ କେନ୍ଦ୍ରକୁ ଆସିଥିବା ଏବଂ ଇଭିଏମ୍‌ରେ ନିଜ ବାପାଙ୍କ ପାଇଁ ଭୋଟ୍ ଦେଇଥିଲେ । ତେବେ ଏହି ଘଟଣାକୁ କେହି ମୋବାଇଲ୍‌ରେ ରେକର୍ଡ କରିନେଇଥିଲେ ଏବଂ ୧୪ ସେକେଣ୍ଡର ଏହି ଭିଡିଓକୁ ଫେସ୍‌ବୁକ୍ ପେଜ୍‌ରେ ଶେୟାର କରାଯିବା ପରେ ଏହା ଏବେ ଭାଇରାଲ୍ ହେବାରେ ଲାଗିଛି ।
ଅନ୍ୟପକ୍ଷେ ମଧ୍ୟପ୍ରଦେଶ କଂଗ୍ରେସର ବରିଷ୍ଠ ନେତା କମଲନାଥଙ୍କ ଗଣମାଧ୍ୟମ ପରାମର୍ଶଦାତା ପୀୟୁଷ ବବେଲେ ଏହି ଭିଡିଓକୁ ଏକ୍ସରେ ରିପୋଷ୍ଟ କରିବା ସହ ବିଜେପି ଏବଂ ନିର୍ବାଚନ ଆୟୋଗଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି, “ନିର୍ବାଚନ ବୁଥକୁ ମୋବାଇଲ୍ ନେବା ବାରଣ ଥିବା ବେଳେ ଏହା କିପରି ସମ୍ଭବ ହୋଇପାରିଲା । ବିଜେପିର ଜଣେ ସକ୍ରିୟ ନେତା ନିଜ ନାବାଳକ ପୁଅଙ୍କୁ ନିଜ ପାଇଁ ଭୋଟ୍ ଦେବାକୁ କିପରି ଆଣିଲେ ଏବଂ ମତଦାନ କେନ୍ଦ୍ରରେ ଥିବା ନିର୍ବାଚନ ଅଧିକାରୀମାନେ ଏହାକୁ କିପରି ଅନୁମତି ପ୍ରଦାନ କଲେ? ବିଜେପି ନିର୍ବାଚନ ଆୟୋଗଙ୍କୁ ପିଲାଖେଳରେ ପରିଣତ କରିଛି ।” ଅନ୍ୟପକ୍ଷେ ନିର୍ବାଚନ ଆୟୋଗ ଏପର୍ଯ୍ୟନ୍ତ ଏହି ଭିଡିଓ ଉପରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ସେହିପରି ଭିଡିଓକୁ ଜିଲା ଅଧିକାରୀମାନଙ୍କୁ ପଠାଯାଇଛି । ଜିଲାପାଳ କୌଶଳେନ୍ଦ୍ର ବିକ୍ରମ ସିଂହ ଏହି ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି ।  ପୁଲିଂ ବୁଥର ପ୍ରିଜାଇଡିଂ ଅଫିସର ଓ ଘଟଣା ପଛରେ ଥିବା ସବୁ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking