ଗଞ୍ଜାମ : ଏନକାଉଣ୍ଟର ପରେ ସୁସ୍ଥ ହୋଇ ଜଙ୍ଗଲ କିଙ୍ଗ୍ କୁନା ବେହେରା ପୁଣି ଟାମଣା ଘାଟି ଏବଂ ଆଖପାଖ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି । କୁନା ଏବଂ ତାଙ୍କ ସହଯୋଗୀମାନେ ପୁଲିସକୁ ଚ୍ୟାଲେଞ୍ଜ ଦେଇ ପୁଣି ଦୁଇ ମାଛ ଚାଷୀଙ୍କୁ ଗୁଳି କରିବା ସହ ଟାଙ୍ଗିଆରେ ଆକ୍ରମଣ କରି ଗୁରୁତର କରିଦେଇଥିବା ଜଣାପଡିଛି । ଗୁରୁତରମାନେ ହେଲେ ଗୋଲନ୍ଥରା ଥାନା ଅନ୍ତର୍ଗତ ମେଦିିନିପୁର ଅଞ୍ଚଳର ଦୁଇ ଭାଇ ପ୍ରଶାନ୍ତ ବେହେରା ଏବଂ ପ୍ରଦୀପ ବେହେରା । ଉଭୟେ ବଡମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଗତକାଲି ମଧ୍ୟ ରାତ୍ରରେ ଗୋଳନ୍ଥରା ଥାନାରେ ଏତଲା ଦିଆଯାଇଛି । ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ବର୍ତ୍ତମାନ ଯାଏଁ କେହି ଗିରଫ ହୋଇ ନଥିବା ଜଣାପଡିଛି । କୁନା ଏବଂ ତାଙ୍କ ୪ ଜଣ ସହଯୋଗୀ ଜଙ୍ଗଲ ଭିତରକୁ ଚାଲିଯାଇଥିବା ଆହତମାନେ କହିଛନ୍ତି ।
ସୂଚନା ଅନୁଯାୟୀ, ମେଦିନିପୁର ଗ୍ରାମର ୩ ଭାଇ ସୁଶାନ୍ତ ବେହେରା, ପ୍ରଦୀପ ବେହେରା ଏବଂ ପ୍ରଶାନ୍ତ ବେହେରା ଟାମଣା ଘାଟି ନିକଟସ୍ଥ ମହୁରୀଗଡ ଗ୍ରାମରେ ଥିବା ଏକ ୩ ଏକର ବନ୍ଧକୁ ମାଛ ଚାଷ କରିବା ପାଇଁ ବ୍ଲକ ତରଫରୁ ଲିଜରେ ନେଇଛନ୍ତି । ୩ ବର୍ଷ ହେଲା ଉକ୍ତ ଲିଜ୍ ଏହି ୩ ଭାଇ ନେଇଥିବା ବେଳେ ଏହାକୁ ନେଇ କୁନା ବେହେରା ଏବଂ ତାଙ୍କ ସହଯୋଗୀମାନଙ୍କ ମଧ୍ୟରେ ଶତ୍ରୁତା ଲାଗି ରହିଥିଲା । ଗୁରୁବାରସନ୍ଧ୍ୟାବେଳେ ୩ଭାଇ ମାଛ ବନ୍ଧକୁ ଯିବା ପାଇଁ ବାହାରିଥିବା ବେଳେ ମହୁରୀଗଡ ନିକଟରେ କୁନା ବେହେରା ସେମାନଙ୍କୁ ଅଟକାଇଥିଲା । ମାଛ ବନ୍ଧକୁ କାହିଁକି ଯାଉଛ ବୋଲି କହି ଗାଳିଗୁଲଜ କରିଥିଲା । ଏହି ସମୟରେ କୁନା ଏକୁଟିଆ ଥିବା ଯୋଗୁଁ ୩ ଭାଇଙ୍କୁ କିଛି କହିନଥିଲା । ପୁଣି ରାତି ୯ଟା ବେଳେ ମାଛ ବନ୍ଧ କାମ ସାରି ୩ ଭାଇ ପ୍ରଶାନ୍ତ, ପ୍ରଦୀପ ଏବଂ ସୁଶାନ୍ତ ଘରକୁ ଫେରୁଥିବା ବେଳେ କୁନା ହାତରେ ଏକ ଶିକାର ବନ୍ଧୁକ ଧରିବା ସହ ତା’ର ୪ଜଣ ସହଯୋଗୀଙ୍କୁ ଧରି ସେଠାରେ ଛିଡା ହୋଇଥିଲେ । ପରେ ମାଛ ବନ୍ଧକୁ ନେଇ କୁନା ତାଙ୍କୁ ଗାଳିଗୁଲଜ କରିଥିଲା । ଏହି ସମୟରେ ମାଛ ବନ୍ଧ ଲିଜ୍ ନେଇଥିବା ୩ ଭାଇ କାହିିଁକି ଗାଳି କରୁଛ ବୋଲି କୁନାକୁ ପଚାରିଥିଲେ । ଏଥିରେ କୁନା ଏବଂ ତାର ସହଯୋଗୀମାନେ ଉତକ୍ଷିପ୍ତ ହୋଇ ଉକ୍ତ ମାଛ ବନ୍ଧ ଲିଜ୍ ଛାଡ଼ ନହେଲେ ଅବସ୍ଥା ଗୁରୁତର ହେବ ବୋଲି କହିଥିଲେ । ପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହି ସମୟରେ କୁନା ଧରିଥିବା ଶିକାର ବନ୍ଧୁକରେ ପ୍ରଶାନ୍ତଙ୍କ ଉପରେ ଗୁଳି ଚଳାଇ ଦେଇଥିଲା । ଦୁଇଟି ଗୁଳି ପ୍ରଶାନ୍ତଙ୍କ ଦୁଇଟି ଗୋଡରେ ବାଜିଥିଲା । ପ୍ରଶାନ୍ତଙ୍କୁ ରକ୍ତାକ୍ତ ଅବସ୍ଥାରେ ଦେଖି ତାଙ୍କ ଦୁଇ ଭାଇ ସୁଶାନ୍ତ ଏବଂ ପ୍ରଦୀପ ପ୍ରତିରୋଧ କରିବା ବେଳେ ସେମାନଙ୍କୁ ମଧ୍ୟ ଟାଙ୍ଗିଆରେ ଆକ୍ରମଣ କରାଯାଇଥିଲା । ଏଥିରେ ପ୍ରଦୀପ ଗୁରୁତର ଆହତ ହୋଇଥିଲେ । ପରେ କୁନା ଏବଂ ତା’ର ସହଯୋଗୀମାନେ ନିକଟସ୍ଥ ଜଙ୍ଗଲକୁ ଚାଲି ଯାଇଥିଲେ ।