ରାୟଗଡା: ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା, ଦୁଇଜଣ ଆରୋହୀଙ୍କ ମୃତ୍ୟୁ ସୂଚନା । ଗୁଣପୁର ବଡ଼ ବାରିଡ଼ି ନିକଟରେ ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇଟି ଜୀବନ ଚାଲିଯାଇଛି । ମୃତକ ୨ଜଣ ଶିବା ମାଣ୍ଡାଙ୍ଗି, ଆରକା ଭୁଗାନା । ଶିବା କୌଣସି ବ୍ୟକ୍ତିଗତ କାମରେ ଚିନାରୀଗୁଡ଼ା ଗାଁକୁ ଆସିଥିଲେ । ସେଠାରୁ ନିଜ ଘରକୁ ଫେରୁଥିବା ସମୟରେ ବାରିଡ଼ି ନିକଟରେ ବିପରୀତ ଦିଗରୁ ଆସୁଥିବା ଆରକାଙ୍କ ବାଇକ ସହ ତାଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା । ଉଭୟ ଗୁରୁତର ଅବସ୍ଥାରେ ରାସ୍ତାରେ ପଡ଼ିଥିଲେ । ଖବର ପାଇ ଗୁଣପୁର ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଗୁଣପୁର ପୁଲିସ ମେଡିକାଲରେ ପହଞ୍ଚି ମୃତଦେହ ଜବତ କରିବା ସହ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।










