30 C
Bhubaneswar
Wednesday, June 17, 2026
Homeଓଡିଶାସେବାରୁ ସ୍ୱାବଲମ୍ବନ: ଚାରୁଲତାଙ୍କ ‘ସହଯୋଗ’ ଯାତ୍ରା

ସେବାରୁ ସ୍ୱାବଲମ୍ବନ: ଚାରୁଲତାଙ୍କ ‘ସହଯୋଗ’ ଯାତ୍ରା

ଭୁବନେଶ୍ୱର: କେନ୍ଦୁଝର ପୌରାଞ୍ଚଳର ଜଣେ ‘ସହଯୋଗ’ ସମ୍ମୁଖଭାଗ ସହଯୋଗୀ (ଫ୍ରଣ୍ଟଲାଇନ୍ ଫାସିଲିଟେଟର) ଚାରୁଲତା ଦାସଙ୍କ ପାଇଁ ଏକ ସମ୍ବଲପୁରୀ ଶାଢ଼ୀ କେବଳ ପରିଧାନର ବସ୍ତ୍ର ନୁହେଁ; ଏହା ସ୍ୱାଭିମାନ, ସଶକ୍ତିକରଣ ଏବଂ ଶତାଧିକ ସହରୀ ଗରିବ ପରିବାରଙ୍କ ଜୀବନରେ ପରିବର୍ତ୍ତନ ଆଣିବାର ତାଙ୍କ ନିଷ୍ଠାପୂର୍ଣ୍ଣ ସେବାର ଏକ ଜୀବନ୍ତ ପ୍ରତୀକ । ଏହି ଶାଢ଼ୀର ବିଶେଷତ୍ୱ ଏହାର ସୂକ୍ଷ୍ମ ବୁଣାକାରୀ କିମ୍ବା ଆକର୍ଷଣୀୟ ରଙ୍ଗରେ ସୀମିତ ନୁହେଁ । ଚାରୁଲତା ଏହାକୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅଭିନବ କାର୍ଯ୍ୟକ୍ରମ ‘ସହଯୋଗ’ ଅଧୀନରେ ତାଙ୍କ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ମିଳିଥିବା ପ୍ରୋତ୍ସାହନ ରାଶିରୁ କ୍ରୟ କରିଛନ୍ତି । ତେଣୁ ଏହି ଶାଢ଼ୀର ପ୍ରତ୍ୟେକ ସୂତା କଠିନ ପରିଶ୍ରମ, ସହାନୁଭୂତି ଓ ଗୋଷ୍ଠୀ-ଭିତ୍ତିକ ଶାସନ ବ୍ୟବସ୍ଥାର ସଫଳତାର ଏକ ସୁନ୍ଦର କାହାଣୀ ବୟାନ କରେ ।

ଜଣେ ସମ୍ମୁଖଭାଗ ସହଯୋଗୀ ଭାବେ ଚାରୁଲତା ପ୍ରତିଦିନ ବିଭିନ୍ନ ପରିବାର ନିକଟକୁ ପହଞ୍ଚି ଅସହାୟ ଓ ବଞ୍ଚିତ ନାଗରିକଙ୍କୁ ଚିହ୍ନଟ କରନ୍ତି, ସେମାନଙ୍କୁ ସରକାରୀ ଯୋଜନାର ସୁଫଳ ପାଇବାରେ ସହାୟତା କରନ୍ତି ଏବଂ କୌଣସି ଯୋଗ୍ୟ ହିତାଧିକାରୀ ଯେପରି ବଞ୍ଚିତ ନ ରୁହନ୍ତି, ତାହା ସୁନିଶ୍ଚିତ କରନ୍ତି। ଅନେକ ବୃଦ୍ଧବୃଦ୍ଧା, ମହିଳା ଏବଂ ଆର୍ଥିକ ଭାବେ ଅନଗ୍ରସର ପରିବାର ପାଇଁ ସେ ଆଜି ସରକାରୀ ସେବାର ଏକ ବିଶ୍ୱସ୍ତ ମୁହଁ ପାଲଟିଛନ୍ତି । ତାଙ୍କ କାର୍ଯ୍ୟଜୀବନର ଏକ ଘଟଣା ଆଜି ମଧ୍ୟ ତାଙ୍କ ମନରେ ଅମ୍ଳାନ ରହିଛି । ଗୃହ ପରିଦର୍ଶନ ସମୟରେ ସେ ଜଣେ ବୃଦ୍ଧାଙ୍କୁ ଭେଟିଥିଲେ, ଯିଏ ଗୁରୁତର ଆର୍ଥିକ ସଙ୍କଟ ମଧ୍ୟରେ ଜୀବନ ବିତାଉଥିଲେ । ନିଜ ପାଇଁ ଉପଲବ୍ଧ ସରକାରୀ ସହାୟତା ଓ କଲ୍ୟାଣକାରୀ ଯୋଜନା ବିଷୟରେ ସେ ସମ୍ପୂର୍ଣ୍ଣ ଅଜ୍ଞ ଥିଲେ । ଚାରୁଲତା ତାଙ୍କୁ ଧୈର୍ଯ୍ୟର ସହ ବୁଝାଇବା ସହିତ ସମ୍ପୃକ୍ତ ଯୋଜନାରେ ସାମିଲ କରିବାରେ ସହଯୋଗ କରିଥିଲେ । ଫଳସ୍ୱରୂପ, ପରିବାରଟି ଆବଶ୍ୟକୀୟ ଆର୍ଥିକ ସହାୟତା ପାଇଥିଲା ଏବଂ ଜୀବନରେ ଏକ ନୂଆ ସ୍ଥିରତା ଫେରିଥିଲା ।

ଏହାର ପ୍ରଭାବ ଥିଲା ତତ୍କାଳ ଓ ସୁଦୂରପ୍ରସାରୀ । ପରିବାରର ଆର୍ଥିକ ସ୍ଥିତିରେ ସୁଧାର ଆସିବା ସହ ପିଲାମାନଙ୍କ ଶିକ୍ଷାଗତ ଆଶା-ଆକାଂକ୍ଷାକୁ ସହାୟତା ମିଳିଥିଲା ଏବଂ ନିରାଶାର ସ୍ଥାନ ନେଇଥିଲା ଆଶା । ଏପରି ପରିବର୍ତ୍ତନର ସାକ୍ଷୀ ହେବା ଚାରୁଲତାଙ୍କ ପାଇଁ କେବଳ ସନ୍ତୋଷର ବିଷୟ ନୁହେଁ, ବରଂ ସମାଜସେବା ପ୍ରତି ତାଙ୍କ ପ୍ରତିବଦ୍ଧତାକୁ ଆହୁରି ଦୃଢ଼ କରିଦେଇଛି । “ଯେତେବେଳେ ଜଣେ ହିତାଧିକାରୀ ସହାୟତା ପାଇ ଆଶ୍ୱସ୍ତିର ହସ ହସନ୍ତି, ମୋତେ ଲାଗେ ମୋର ପରିଶ୍ରମ ସାର୍ଥକ ହୋଇଛି,” ବୋଲି କୁହନ୍ତି ଚାରୁଲତା । “ମୋର ଆୟରୁ କିଣିଥିବା ଏହି ସମ୍ବଲପୁରୀ ଶାଢ଼ୀ ମୋତେ ସବୁବେଳେ ମନେ ପକାଇଦିଏ ଯେ, ଯେତେବେଳେ ଆମେ ଅନ୍ୟମାନଙ୍କୁ ସଶକ୍ତ କରୁ, ସେତେବେଳେ ଆମେ ନିଜେ ମଧ୍ୟ ସଶକ୍ତ ହୋଇଥାଉ ” ବୋଲି କୁହନ୍ତି ଚାରୁଲତା । ଚାରୁଲତାଙ୍କ ଏହି ଯାତ୍ରା ‘ସହଯୋଗ’ କାର୍ଯ୍ୟକ୍ରମର ପ୍ରକୃତ ଆଭିମୁଖ୍ୟକୁ ପ୍ରତିଫଳିତ କରେ । ମହିଳା-ଚାଳିତ ଗୋଷ୍ଠୀ ସହଭାଗିତା ମାଧ୍ୟମରେ ସହରୀ ଓଡ଼ିଶାରେ ନାଗରିକ ସମ୍ପର୍କ ଓ କଲ୍ୟାଣକାରୀ ସେବା ପ୍ରଦାନ ବ୍ୟବସ୍ଥାକୁ ଅଧିକ ଫଳପ୍ରଦ ଏବଂ ମାନବିକ କରିବାରେ ଏହି କାର୍ଯ୍ୟକ୍ରମ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି ।

ଏହିପରି ତୃଣମୂଳ ସ୍ତରର ପରିବର୍ତ୍ତନର ସାରଥୀମାନଙ୍କ ଅବଦାନକୁ ସ୍ୱୀକୃତି ଦେଇ ନିକଟରେ ବିଭାଗ ପକ୍ଷରୁ ଅନେକ କୃତି ସମ୍ମୁଖଭାଗ ସହଯୋଗୀଙ୍କୁ “ପରିବର୍ତ୍ତନର ସାରଥୀ” ଭାବେ ସମ୍ମାନିତ କରାଯାଇଛି । ଏହି ଅବସରରେ ‘ସହଯୋଗ ସହାୟତା’ ମଧ୍ୟ ଉନ୍ମୋଚିତ ହୋଇଛି, ଯାହା ସହଯୋଗୀମାନଙ୍କ ଦକ୍ଷତା ବୃଦ୍ଧି ଏବଂ ନାଗରିକ ସେବା ପ୍ରଦାନକୁ ଆହୁରି ସୁଦୃଢ଼ କରିବା ପାଇଁ ଏକ ବ୍ୟାପକ ଜ୍ଞାନକୋଷ ଭାବେ କାର୍ଯ୍ୟ କରିବ ।କାର୍ଯ୍ୟକ୍ରମ ଆରମ୍ଭ ହେବା ପରଠାରୁ ‘ସହଯୋଗ’ ସହରୀ ପରିବାରଗୁଡ଼ିକୁ ବିଭିନ୍ନ କଲ୍ୟାଣକାରୀ ଯୋଜନା ସହିତ ସଂଯୋଗ କରିବାରେ ଏକ ପ୍ରଭାବଶାଳୀ ମାଧ୍ୟମ ଭାବେ ଉଭା ହୋଇଛି। ବର୍ତ୍ତମାନ ସୁଦ୍ଧା ୫,୩୬୭ ଜଣ ସମ୍ମୁଖଭାଗ ସହଯୋଗୀ ୬.୩୬ ଲକ୍ଷରୁ ଅଧିକ ପରିବାରର ପ୍ରାୟ ୨୦ ଲକ୍ଷ ଲୋକଙ୍କୁ ନେଇ ସର୍ଭେ ସମ୍ପନ୍ନ କରିଛନ୍ତି। ସେମାନଙ୍କ ଉଦ୍ୟମ ଯୋଗୁଁ ବିଭିନ୍ନ ସରକାରୀ ଯୋଜନାରେ ୨.୫ ଲକ୍ଷରୁ ଅଧିକ ଆବେଦନ ଓ ସଂଯୋଗୀକରଣ ସମ୍ଭବ ହୋଇପାରିଛି, ଯାହା ଶେଷ ଧାଡ଼ିର ହିତାଧିକାରୀଙ୍କ ପାଖରେ ସରକାରୀ ସୁଫଳ ପହଞ୍ଚାଇବାରେ ସହାୟକ ହୋଇଛି ।

ତେବେ ପରିସଂଖ୍ୟାନଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ଚାରୁଲତାଙ୍କ ଭଳି କାହାଣୀ, ଯେଉଁଠାରେ ସାଧାରଣ ମହିଳାମାନେ ଅସାଧାରଣ ପରିବର୍ତ୍ତନର ପ୍ରତିନିଧି ପାଲଟିଛନ୍ତି। ସେମାନଙ୍କ ଉତ୍ସର୍ଗୀକୃତ ସେବା ଯୋଗୁଁ ଶାସନ ବ୍ୟବସ୍ଥା ଅଧିକ ସହଜ, ସମାବେଶୀ ଓ ସହାନୁଭୂତିଶୀଳ ହୋଇପାରିଛି । ଆଜି ଯେତେବେଳେ ଚାରୁଲତା ତାଙ୍କ ପ୍ରିୟ ସମ୍ବଲପୁରୀ ଶାଢ଼ୀ ପିନ୍ଧନ୍ତି, ସେ କେବଳ ଏକ ପରିଧାନ ପିନ୍ଧନ୍ତି ନାହିଁ; ବରଂ ନିଜ ସେବା ମାଧ୍ୟମରେ ସ୍ପର୍ଶ କରିଥିବା ଅଗଣିତ ଜୀବନର କାହାଣୀକୁ ସାଙ୍ଗରେ ବହନ କରନ୍ତି। ଏହା ଆମକୁ ମନେ ପକାଇଦିଏ ଯେ, ପ୍ରକୃତ ବିକାଶ କେବଳ ନୀତି ଓ କାର୍ଯ୍ୟକ୍ରମ ଦ୍ୱାରା ମାପାଯାଏ ନାହିଁ; ବରଂ ଏହା ଲୋକଙ୍କ ଜୀବନରେ ସୃଷ୍ଟି କରୁଥିବା ଆତ୍ମବିଶ୍ୱାସ, ସୁଯୋଗ ଓ ସକାରାତ୍ମକ ପରିବର୍ତ୍ତନ ଦ୍ୱାରା ହିଁ ପରିମାପିତ ହୁଏ। ଅନେକ ଦୃଷ୍ଟିକୋଣରୁ, ସେହି ସମ୍ବଲପୁରୀ ଶାଢ଼ୀ ‘ସହଯୋଗ’ର ମୂଳ ଦର୍ଶନର ଏକ ଜୀବନ୍ତ ପ୍ରତୀକ—ଯେଉଁଠାରେ ପ୍ରଶାସନ ସହ ସହାନୁଭୂତିର ମିଳନ ଘଟେ, ସେବା ସଶକ୍ତିକରଣର ପଥ ଖୋଲିଦିଏ ଏବଂ ପ୍ରତ୍ୟେକ ଦୁଆରମୁହଁ ଆଶା ଓ ସମ୍ଭାବନାର ଏକ ନୂଆ କାହାଣୀ ରଚନା କରେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking