30 C
Bhubaneswar
Wednesday, June 17, 2026
Homeଓଡିଶାଜଳ ସମ୍ପଦ ବିଭାଗ ସମ୍ପର୍କରେ ଆଲୋଚନା କଲେ ରାଜ୍ୟପାଳ

ଜଳ ସମ୍ପଦ ବିଭାଗ ସମ୍ପର୍କରେ ଆଲୋଚନା କଲେ ରାଜ୍ୟପାଳ

ଭୁବନେଶ୍ୱର: ରାଜ୍ୟରେ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର ଉପରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଗୁରୁତ୍ଵାରୋପ କରିଛନ୍ତି lବୁଧବାର ଦିନ ଲୋକ ଭବନର ନ୍ୟୁ ଅଭିଷେକ ହଲ ଠାରେ ଜଳ ସମ୍ପଦ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ବିଭାଗର କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ଅବସରରେ ରାଜ୍ଯପାଳ ଏପରି ଗୁରୁତ୍ୱ ଆରୋପ କରିଛନ୍ତି l ସୌରଶକ୍ତିଚାଳିତ ଜଳସେଚନ ପମ୍ପର ବ୍ୟାପକ ବ୍ୟବହାର କୃଷକମାନଙ୍କ ଜମିରେ ଜଳସେଚନ ଖର୍ଚ୍ଚ ହ୍ରାସ କରିବା ସହ ସେମାନଙ୍କ ଆୟ ବୃଦ୍ଧି କରିବ ଏବଂ ରାଜ୍ୟର ନବୀକରଣଯୋଗ୍ୟ ଶକ୍ତି ଲକ୍ଷ୍ୟ ହାସଲରେ ସହାୟକ ହେବ ବୋଲି ରାଜ୍ୟପାଳ କହିଛନ୍ତି l

କୃଷକମାନଙ୍କ ମଧ୍ୟରେ ସୌରଚାଳିତ ଜଳସେଚନ ବ୍ୟବସ୍ଥାର ପ୍ରଚାର ଓ ପ୍ରସାର ପାଇଁ ଅଧିକାରୀମାନଙ୍କୁ ଆହ୍ୱାନ ଜଣାଇ ରାଜ୍ଯପାଳ କହିଥିଲେ ଯେ, ଏହି ବ୍ୟବସ୍ଥା ମାଧ୍ୟମରେ ଉତ୍ପାଦିତ ଅତିରିକ୍ତ ବିଦ୍ୟୁତକୁ ଗ୍ରିଡ୍‌କୁ ଯୋଗାଇ ଦିଆଯାଇପାରିବ ଏବଂ ଏହା କୃଷକମାନଙ୍କ ପାଇଁ ଅତିରିକ୍ତ ଆୟର ଏକ ଉତ୍ସ ସୃଷ୍ଟି କରିବା ସହ ସ୍ଥାୟୀ କୃଷି ଓ ସ୍ୱଚ୍ଛ ଶକ୍ତି ପଦକ୍ଷେପକୁ ସୁଦୃଢ଼ କରିବ।

ପିଏମ୍-କୁସୁମ ଯୋଜନା ସଂପର୍କରେ ଉଲ୍ଲେଖ କରି ବିଭାଗର ସଚେତନତା ଅଭିଯାନକୁ ଆହୁରି ତ୍ୱରାନ୍ୱିତ କରିବା ଏବଂ ପାରମ୍ପରିକ ବିଦ୍ୟୁତଚାଳିତ ପମ୍ପ ପରିବର୍ତ୍ତେ ସୌରଚାଳିତ ପମ୍ପ ବ୍ୟବହାରକୁ ବ୍ୟାପକ କରିବା ପାଇଁ ଉପଯୁକ୍ତ ରଣନୀତି ପ୍ରସ୍ତୁତ କରିବାକୁ ରାଜ୍ଯପାଳ ପରାମର୍ଶ ଦେଇଥିଲେ।

ବୈଠକରେ ବିଭାଗୀୟ ଅଧିକାରୀମାନେ ଜଳ ସଂପଦ ବିଭାଗର କାର୍ଯ୍ୟାବଳୀ, ଭୂପୃଷ୍ଠ ଓ ଭୂତଳ ଜଳ ସମ୍ପଦ, ବୃହତ୍ ଓ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ଭୂତଳ ଜଳ ବିକାଶ, କମାଣ୍ଡ ଏରିଆ ବିକାଶ, ବର୍ଷୱାରୀ ଜଳସେଚନ ସଫଳତା, ସୃଷ୍ଟି ହୋଇଥିବା ଓ ପ୍ରସ୍ତାବିତ ସେଚନ କ୍ଷମତା, ଭିତ୍ତିଭୂମି ବିକାଶ ପଦକ୍ଷେପ, ଜଳବାୟୁ ସହନଶୀଳ ବ୍ୟବସ୍ଥା, ୨୦୪୭ ରୋଡମ୍ୟାପ୍ ଏବଂ ଭବିଷ୍ୟତ ଯୋଜନା ସମ୍ପର୍କରେ ବିସ୍ତୃତଭାବେ ଉପସ୍ଥାପନ କରିଥିଲେ।

ରାଜ୍ୟ ବଜେଟ୍‌ରେ ଜଳ ସମ୍ପଦ ବିଭାଗ ପାଇଁ ୧୪,୫୦୦ କୋଟି ଟଙ୍କା ବ୍ୟୟବରାଦ କରିଥିବାରୁ ରାଜ୍ଯପାଳ ଓଡ଼ିଶା ସରକାରଙ୍କୁ ପ୍ରଶଂସା କରିଥିଲେ। ରାଜ୍ଯପାଳ କହିଥିଲେ ଯେ, ଏହା ଜଳସେଚନ ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ କୃଷକମାନଙ୍କ ପାଇଁ ଜଳ ନିରାପତ୍ତା ସୁନିଶ୍ଚିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ବର୍ଦ୍ଧିତ ବ୍ୟୟବରାଦ ବିଭାଗକୁ ତାହାର କାର୍ଯ୍ୟକ୍ରମଗୁଡ଼ିକ ଫଳପ୍ରଦ ଭାବେ କାର୍ଯ୍ୟକାରୀ କରିବା ଏବଂ ରାଜ୍ୟର ଜଳସେଚନ ନେଟୱର୍କର ବିକାଶକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ।

ଜଳସେଚନ ବ୍ୟବସ୍ଥାର ଟେଲ୍-ଏଣ୍ଡ ଅଞ୍ଚଳଗୁଡ଼ିକରେ, ଯେଉଁଠାରେ କୃଷିଜମିକୁ ପର୍ଯ୍ୟାପ୍ତ ଜଳ ପହଞ୍ଚି ନପାରେ, ସେଠାରେ ମତ୍ସ୍ୟଚାଷର ସମ୍ଭାବନା ଅନ୍ୱେଷଣ କରିବାକୁ ପରାମର୍ଶ ଦେଇଥିଲେ। ଏପରି ପଦକ୍ଷେପ କୃଷକମାନଙ୍କ ପାଇଁ ଅତିରିକ୍ତ ଆୟର ଉତ୍ସ ସୃଷ୍ଟି କରିବା ସହ ଗ୍ରାମୀଣ ଜୀବିକା ବିକାଶର ଏକ ଉତ୍ତମ ମଡେଲ୍ ହୋଇପାରିବ ବୋଲି ସେ କହିଥିଲେ। ମତ୍ସ୍ୟଚାଷ ବିକାଶ ମୁଖ୍ୟତଃ ମତ୍ସ୍ୟ ବିଭାଗର ଅଧୀନରେ ଥିଲେ ମଧ୍ୟ, ଜଳ ଉପଲବ୍ଧତା ସୁନିଶ୍ଚିତ କରି ଜଳ ସମ୍ପଦ ବିଭାଗ ଏଥିରେ ସହାୟକ ଭୂମିକା ନିଭାଇପାରିବ ବୋଲି ରାଜ୍ୟପାଳ ମତ ପ୍ରକାଶ କରିଥିଲେ।

ଆଲୋଚନା ସମୟରେ ରାଜ୍ୟପାଳ ଇନ୍-ଷ୍ଟ୍ରିମ୍ ଷ୍ଟୋରେଜ୍ ସଂରଚନା, ବୃହତ୍ ଓ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଏବଂ ସେଗୁଡ଼ିକର ସେଚନ କ୍ଷମତା ସମ୍ପର୍କରେ ଅବଗତ ହୋଇଥିଲେ। ରାଜ୍ଯପାଳ ଜଳ ସଂରକ୍ଷଣ ଓ ପରିଚାଳନା କ୍ଷେତ୍ରରେ ବିଭାଗର ପ୍ରୟାସକୁ ପ୍ରଶଂସା କରିବା ସହ ରାଜ୍ୟ ସରକାରଙ୍କ ପୁନର୍ବାସ ଓ ଥଇଥାନ ନୀତି ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ। ହାତକୁ ନିଆଯାଇଥିବା ଜଳସେଚନ ପ୍ରକଳ୍ପଗୁଡ଼ିକର ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମାପ୍ତ ହେବା ଉପରେ ଗୁରୁତ୍ୱାରୋପ କରି ରାଜ୍ଯପାଳ କହିଥିଲେ ଯେ, ଏହା ଦ୍ୱାରା କୃଷକ ଓ ଗ୍ରାମୀଣ ଗୋଷ୍ଠୀ ମାନେ ସର୍ବାଧିକ ଲାଭ ପାଇପାରିବେ। ଏହି ବୈଠକରେ ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା, ବିଭାଗର ବରିଷ୍ଠ ଅଧିକାରୀମାନେ ଏବଂ ଲୋକସେବା ଭବନର ଅଧିକାରୀ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking