ନୂଆଦିଲ୍ଲୀ: ଆମେରିକାକୁ ଆସିପାରିବେନି ବାମପନ୍ଥୀ ଉଗ୍ରବାଦୀ! ଟ୍ରମ୍ପ ପ୍ରଶାସନ ପକ୍ଷରୁ ଦେଶରେ ପ୍ରବେଶ ଉପରେ ଲଗାଗଲା ନୂଆ ଭିସା କଟକଣା । ହିଂସା, ବୋମା ବିସ୍ଫୋରଣ, ଏବଂ ଅର୍ଥନୈତିକ ଅସ୍ଥିରତା ସୃଷ୍ଟି କରୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଏବେ ଆମେରିକାର ଦ୍ୱାର ବନ୍ଦ । ଦେଖନ୍ତୁ ଆମର ଏହି ସ୍ୱତନ୍ତ୍ର ରିପୋର୍ଟ।ଆମେରିକାରେ ବାମପନ୍ଥୀ ଉଗ୍ରବାଦ ବିରୋଧରେ କଠୋର ହୋଇଛନ୍ତି ଟ୍ରମ୍ପ ସରକାର। ବାମପନ୍ଥୀ ଆତଙ୍କବାଦୀ ଏବଂ ସେମାନଙ୍କୁ ସହାୟତା କରୁଥିବା ବିଦେଶୀ ନାଗରିକଙ୍କ ଆମେରିକା ପ୍ରବେଶ ଉପରେ କଟକଣା ଲଗାଯାଇଛି ।ଆମେରିକା ବୈଦେଶିକ ସଚିବ ମାର୍କୋ ରୁବିଓ କହିଛନ୍ତି ଯେ, ଯେଉଁମାନେ ବାମପନ୍ଥୀ ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା, ଉସ୍କାଉଛନ୍ତି କିମ୍ବା ସହଯୋଗ କରୁଛନ୍ତି, ସେମାନେ ଆମେରିକୀୟ ସଭ୍ୟତାର ଶତ୍ରୁ । ସେଭଳି ଲୋକଙ୍କୁ ଆମେରିକାରେ କୌଣସି ସ୍ଥାନ ମିଳିବ ନାହିଁ।ଏହି ନୂଆ ଭିସା ନୀତିର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗଣତାନ୍ତ୍ରିକ ଏବଂ ସ୍ୱାଧୀନ ସମାଜର ରାଜନୈତିକ ଭିତ୍ତିଭୂମିକୁ ସୁରକ୍ଷିତ ରଖିବା । ବୋମା ବିସ୍ଫୋରଣ, ହତ୍ୟା ଏବଂ ହିଂସା ମାଧ୍ୟମରେ ମୁକ୍ତ ଚିନ୍ତାଧାରାକୁ ଚପାଇବାକୁ ଚେଷ୍ଟା କରୁଥିବା ଗୋଷ୍ଠୀଙ୍କୁ ରୋକିବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ନୂଆ ନିୟମ ବଳରେ, ସାଧାରଣ ଲୋକଙ୍କ ଜୀବନକୁ ବିପଦରେ ପକାଉଥିବା, ଅର୍ଥନୈତିକ ଅସ୍ଥିରତା ସୃଷ୍ଟି କରୁଥିବା ଏବଂ ହିଂସାତ୍ମକ କାର୍ୟ୍ୟକଳାପ କରୁଥିବା ସଂଗଠନଗୁଡ଼ିକର ଭିସା ପଥ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ । ଟ୍ରମ୍ପ ପ୍ରଶାସନର ଏହି କଠୋର ଆଭିମୁଖ୍ୟ ପରେ ବିଶ୍ୱସ୍ତରରେ ବିଭିନ୍ନ ଉଗ୍ରବାଦୀ ସଂଗଠନଙ୍କ ଉପରେ ଚାପ ବୃଦ୍ଧି ପାଇଛି ।










