ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାର ବିଶିମୁଣ୍ଡା–ଡୁଙ୍ଗୁରିପାଲି ରାସ୍ତା ମଝିରେ ସୋମବାର ସକାଳେ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ସୋନପୁର ଥାନା ଓ ହରଡୋଖୋଲ ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ମୃତକଙ୍କ ପରିଚୟ ଅନିଲ ମେହେର ବୋଲି ହୋଇଛି । ସେ ମେଣ୍ଡା ଗ୍ରାମର ବାସିନ୍ଦା ହୋଇଥିବାବେଳେ ଗତ ପ୍ରାୟ ଏକ ବର୍ଷ ଧରି ଡୁଙ୍ଗୁରିପାଲିରେ ରହି ଏକ ୱେଲ୍ଡିଂ ଦୋକାନ ଚଳାଉଥିଲେ । ପରିବାର ସଦସ୍ୟଙ୍କ କହିବା ଅନୁସାରେ, ରଥଯାତ୍ରା ଦିନ କିଛି ବ୍ୟକ୍ତିଙ୍କ ସହ ଅନିଲଙ୍କ ବଚସା ହୋଇଥିଲା । ତେଣୁ ଏହି ପୂର୍ବ ବିବାଦର ସହ ମୃତ୍ୟୁ ଘଟଣାର କୌଣସି ସମ୍ପର୍କ ରହିଛି କି ନାହିଁ, ସେହି ଦିଗକୁ ମଧ୍ୟ ପୋଲିସ ଗୁରୁତ୍ୱର ସହ ତଦନ୍ତ କରୁଛି । ଘଟଣାସ୍ଥଳରୁ ବିଭିନ୍ନ ପ୍ରମାଣ ସଂଗ୍ରହ କରାଯାଇଥିବାବେଳେ ମୃତଦେହକୁ ଶବବ୍ୟବଚ୍ଛେଦ ପାଇଁ ପଠାଯାଇଛି । ମୃତ୍ୟୁର ପ୍ରକୃତ କାରଣ ଶବବ୍ୟବଚ୍ଛେଦ ରିପୋର୍ଟ ଏବଂ ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ ।










