ଭୁବନେଶ୍ବର : ନୟାଗଡ଼ବିଧାୟକ ଅରୁଣ କୁମାର ସାହୁଙ୍କୁ ପୁଣି ଅଦାଲତୀ ଝଟ୍କା ଲାଗିଛି। ସୁପ୍ରିମ୍ କୋର୍ଟ ତାଙ୍କ ଆବେଦନକୁ ଖାରଜ କରିଛନ୍ତି। ତାଙ୍କ ସଦସ୍ୟତା ରଦ୍ଦ ମାମଲା ଓଡ଼ିଶା ହାଇକୋର୍ଟରେ ଚାଲିବ। ଏହି ମାମଲାର ଶୁଣାଣି ୬ ମାସ ଭିତରେ ଶେଷ କରିବାକୁ ସୁପ୍ରିମ୍ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।ସୂଚନାଯୋଗ୍ୟ, ମୂଳ ନିର୍ବାଚନୀ ମକଦ୍ଦମାକୁ ଖାରଜ କରିବାକୁ ନିବେଦନ କରି ମାମଲାର ପ୍ରତିପକ୍ଷ ତଥା ବିଧାୟକ ଶ୍ରୀ ସାହୁଙ୍କ ତରଫରୁ ଦାୟର ତିନୋଟି ଅନ୍ତରୀଣ ଆବେଦନକୁ ହାଇକୋର୍ଟ ଖାରଜ କରିଥିଲେ। ଜଷ୍ଟିସ ଆନନ୍ଦ ଚନ୍ଦ୍ର ବେହେରାଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀ ସାହୁଙ୍କ ଅନ୍ତରୀଣ ଆବେଦନକୁ ଖାରଜ କରିଥିଲେ। ମୂଳ ନିର୍ବାଚନୀ ମକଦ୍ଦମାର ଅନ୍ୟତମ ପ୍ରତିପକ୍ଷ ହେମନ୍ତ କୁମାର ପୃଷ୍ଟିଙ୍କ ପକ୍ଷରୁ ସମାନ ପ୍ରସଂଗ ନେଇ ଦାୟର କରାଯାଇଥିବା ଅନ୍ତରୀଣ ଆବେଦନକୁ ମଧ୍ୟ ହାଇକୋର୍ଟ ଅଗ୍ରାହ୍ୟ କରିଥିଲେ। ଏଥି ସହିତ ଜୁନ ୨୫କୁ ପ୍ରତ୍ୟୁଷା ରାଜେଶ୍ବରୀ ସିଂଙ୍କ ତରଫରୁ ଦାୟର ମୂଳ ନିର୍ବାଚନୀ ମକଦ୍ଦମାର ଶୁଣାଣି ପାଇଁ ହାଇକୋର୍ଟ ଧାର୍ଯ୍ୟ କରିଥିଲେ।










