ଭୁବନେଶ୍ୱର : ଦୀଘା ମନ୍ଦିରରୁ ହଟିଲା ‘ଜଗନ୍ନାଥ ଧାମ’ ନାମ। ଏଣିକି ମନ୍ଦିରର ନାମ ରହିବ ‘ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର’। ସେହିପରି ମନ୍ଦିର ପରିସରକୁ ‘ଶ୍ରୀ ଶ୍ରୀ ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର’ ଭାବେ ନାମିତ କରାଯିବ। ଏହି ନିଷ୍ପତ୍ତିକୁ ସ୍ୱାଗତ କରିବା ସହ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ସାଧୁବାଦ ଜଣାଯାଇଛି। ଶ୍ରୀକ୍ଷେତ୍ରର ସ୍ୱତନ୍ତ୍ର ଧାର୍ମିକ ମର୍ଯ୍ୟାଦା ଓ ମହାପ୍ରଭୁଙ୍କ ପ୍ରତି ଓଡ଼ିଆଙ୍କ ଆସ୍ଥାକୁ ସମ୍ମାନ ଦେଇ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଇଛି।
ମହାପ୍ରଭୁ ଶ୍ରୀଜଗନ୍ନାଥ କେବଳ ଓଡ଼ିଆଙ୍କ ଆରାଧ୍ୟ ନୁହନ୍ତି, ସେ ସମଗ୍ର ବିଶ୍ୱର ଆଧ୍ୟାତ୍ମିକ ପ୍ରାଣକେନ୍ଦ୍ର। କୋଟି କୋଟି ଓଡ଼ିଆଙ୍କ ଆସ୍ଥା, ବିଶ୍ୱାସ ଓ ସାଂସ୍କୃତିକ ପରିଚୟର ପ୍ରତୀକ ହେଉଛନ୍ତି ମହାପ୍ରଭୁ। ଏଭଳି ସ୍ଥିତିରେ ଦୀଘା ମନ୍ଦିର ପରିସର ପାଇଁ ‘ଜଗନ୍ନାଥ ଧାମ’ ନାମ ବ୍ୟବହାରକୁ ନେଇ ପୂର୍ବରୁ ବିବାଦ ଓ ଅସନ୍ତୋଷ ଦେଖାଦେଇଥିଲା। ଶ୍ରୀକ୍ଷେତ୍ରର ଅନନ୍ୟ ଧାର୍ମିକ ମର୍ଯ୍ୟାଦାକୁ ଅଣଦେଖା କରାଯାଉଥିବା ଅଭିଯୋଗ ଉଠିଥିଲା।ତେବେ ଏବେ ଦୀଘା ମନ୍ଦିର ପରିସରରୁ ‘ଧାମ’ ଶବ୍ଦ ହଟାଇବା ନିଷ୍ପତ୍ତିକୁ ଆନୁଷ୍ଠାନିକ ସ୍ୱୀକୃତି ମିଳିଥିବା ନେଇ ଘୋଷଣା କରାଯାଇଛି। ନୂଆ ନାମ ଅନୁଯାୟୀ, ମନ୍ଦିର ପରିସର ‘ଶ୍ରୀ ଶ୍ରୀ ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର’ ଏବଂ ମନ୍ଦିର ‘ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର’ ଭାବେ ପରିଚିତ ହେବ। ଏହି ପଦକ୍ଷେପ ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ଧନ୍ୟବାଦ ଜଣାଯାଇଛି।










