ଭୁବନେଶ୍ୱର: ସମ୍ବିଧାନ ଓ ଗଣତନ୍ତ୍ରର ସୁରକ୍ଷା ଦାବିରେ ରାଜଧାନୀର ରାଜରାସ୍ତାରେ ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ । ଦଳ ପକ୍ଷରୁ ଆଜି ସମ୍ବିଧାନ ବଞ୍ଜାଅ ରାଲି ଆୟୋଜନ କରାଯାଉଛି । ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲା ଓ ବ୍ଲକରୁ କଂଗ୍ରେସ ନେତା ଏବଂ କର୍ମୀ ସାମିଲ ହେବ । ଏହି ସମାବେଶରେ ପ୍ରାୟ ୧୦ରୁ ୧୫ ହଜାର ନେତା ଓ କର୍ମୀଙ୍କ ୫ ହଜାର ବାଇକ ସାମିଲ ହେବାର ଆକଳନ କରିଛି ଦଳ । ବିଭିନ୍ନ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହୋଇଛି କଂଗ୍ରେସ । କଂଗ୍ରେସର ପ୍ରମୁଖ ଅଭିଯୋଗ ମଧ୍ୟରେ ରହିଛି ଏମଏମଡିଆର ପ୍ରସଙ୍ଗ । ଓଡିଶାର ଖଣିଜ ସମ୍ପଦ ଓ ରାଜସ୍ୱ ଅଧିକାର କ୍ଷୁର୍ଣ୍ଣ ହେଉଥିବାର ଅଭିଯୋଗ କରିବା ସହ ରାଜ୍ୟ ପ୍ରାୟ ୧ ଲକ୍ଷ ୧୦ ହଜାର କୋଟି ଟଙ୍କା ହରାଇଛି ବୋଲି ଦଳ ଦାବି କରିଛି । ସେହିପରି ଗଞ୍ଜାମ ଜିଲ୍ଲାର ବନ୍ୟା କ୍ଷୟକ୍ଷତି ଓ ଏହାର ପରିଚାଳନାରେ ସରକାରଙ୍କ ବିଫଳତା ଅଭିଯୋଗ ଉଠାଇବ କଂଗ୍ରେସ । କୋଟିଆ ସୀମା ବିବାଦର ସମାଧାନ ହୋଇପାରିନଥିବା ଏବଂ ପୋଲାଭରମ ପ୍ରକଳ୍ପ ଓ ମହାନଦୀ ଜଳ ବିବାଦ ପ୍ରସଙ୍ଗ ମଧ୍ୟ ଆନ୍ଦୋଳନରେ ଉଠିବ । ଏହାବ୍ୟତୀତ ପାଠ୍ୟ ପୁସ୍ତକରେ ତ୍ରୁଟି ଥିବା ଅଭିଯୋଗ କରି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରିବାକୁ ଯୋଜନା ରଖିଛି ଦଳ । ଏହି ସବୁ ପ୍ରସଙ୍ଗକୁ ନେଇ ସମ୍ବିଧାନ ବଞ୍ଚାଅ ରାଲିରେ ସରକାରଙ୍କ ବିରୋଧରେ ସ୍ୱର ଉଠାଇବ କଂଗ୍ରେସ ।










