ମୁମ୍ଵାଇ : ଆମେରିକାର ୨୭ ବର୍ଷୀୟ ମହିଳା ଡ୍ରେକା ମାର୍ଟିନ୍ ପ୍ରତିଦିନ ବେବି ପାଉଡର୍ ଖାଉଛନ୍ତି । ଏ ବାବଦରେ ସେ ଅଦ୍ୟାବଧି ୪ ହଜାର ଡଲାର ଖର୍ଚ୍ଚ କରିଛନ୍ତି । ଡ୍ରେକା କହିଛନ୍ତି, ନିଜ ପିଲାଙ୍କୁ ସ୍ନାନ କରାଇବା ପରେ ସର୍ବଦା ଜନ୍ସନ୍ସ ବେବି ପାଉଡର୍ ଚାଖିବାର ଆନନ୍ଦ ଉଠାଉଥିଲେ । ଧୀରେ ଧୀରେ ଏହା ତାଙ୍କର ନିଶା ପାଲଟିଲା । ଲୁଇସିଆନାର ନ୍ୟୁ ଓର୍ଲିନ୍ସ ବାସିନ୍ଦା ଡ୍ରେକା ପ୍ରତିଦିନ ୬୨୩ ଗ୍ରାମ୍ର ଜନ୍ସନ୍ସ ଆଲୋଏ ଆଣ୍ଡ୍ ଭିଟାମିନ୍-ଇ ପାଉଡର୍ ଖାଆନ୍ତି । ପାଟିରେ ମିଳେଇ ଯାଉଥିବାରୁ ଏହି ବେବି ପାଉଡର୍ ତାଙ୍କର ଖୁବ୍ ପସନ୍ଦ ବୋଲି ଡ୍ରେକା କହିଛନ୍ତି । ଗତ ଜାନୁଆରୀ ମାସରୁ ସେ ଦିନକୁ ଏ ବାବଦରେ ୧୪ ଡଲାର ଖର୍ଚ୍ଚ କରୁଛନ୍ତି ।
କିନ୍ତୁ କୌଣସି ପ୍ରକାର ସ୍ୱାସ୍ଥ୍ୟ କିମ୍ବା ପାଚନ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହୋଇନାହାନ୍ତି ବୋଲି ସେ ଦାବି କରିଛନ୍ତି। ଏ ମାମଲାରେ ଜନ୍ସନ୍ସ ସ୍ପଷ୍ଟ କରିଛି, ଏହାର ବେବି ପାଉଡର୍ କେବଳ ତ୍ୱଚା ପାଇଁ ପ୍ରସ୍ତୁତ କରାଯାଇଛି । ଡ୍ରେକାଙ୍କୁ ଦେଖି ତାଙ୍କ ପୁଅ ମଧ୍ୟ ପାଉଡର୍ ଖାଇବା ଅଭ୍ୟାସ ଆରମ୍ଭ କଲାଣି ବୋଲି ସେ କହିଛନ୍ତି । ଡ୍ରେକା ଏକ ଖାଦ୍ୟ ବିକାରରେ ପୀଡ଼ିତ, ଯେଉଁଥିରେ ବ୍ୟକ୍ତି ଚକ୍ ଭଳି ଅଖାଦ୍ୟ ଖାଇଥାଏ । ପରିବାର ଓ ସାଙ୍ଗସାଥୀ ଡ୍ରେକାଙ୍କର ଅଜବଅଭ୍ୟାସ ଜାଣିବା ପରେ ତାଙ୍କୁ ପାଉଡର୍ ନ ଖାଇବାକୁ ବୁଝାଉଛନ୍ତି । ସେ କିନ୍ତୁ ଛାଡ଼ିପାରୁ ନାହାନ୍ତି ।
ଡ୍ରେକା କହନ୍ତି ‘ମୁଁ ବେବି ପାଉଡର୍ ଖାଇବାକୁ ଭଲପାଏ । ବାସ୍ନା ଯେମିତି ଏହାର ସ୍ୱାଦ ଠିକ୍ ସେମିତି । ଏହା ମୋତେ ଖୁସି ଦେଉଛି । ମୁଁ ଜାଣେ ଏହା ଏକ ନିଶା । କିନ୍ତୁ ଛାଡ଼ିବାକୁ ଚାହିଁ ବି ପାରୁନି । ଏ କଥା ଭାବିଲେ ମୋ ପାଟିରେ ଲାଳ ଆସିଯାଉଛି । ଖାଦ୍ୟ ଓ ବେବି ପାଉଡର୍ ମଧ୍ୟରେ ମୋତେ ଯଦି ଗୋଟିଏ ଚୟନ କରିବାକୁ କୁହାଯିବ, ତେବେ ମୁଁ ବେବି ପାଉଡର୍ ଚୟନ କରିବି । ମୋର ଶେଷ ଅର୍ଥକୁ ମଧ୍ୟ ଏ ବାବଦରେ ଖର୍ଚ୍ଚ କରିଦେବି ।’ ଯାତ୍ରାରେ ଯିବାବେଳେ ସେ ବେବି ପାଉଡର୍ ସାଙ୍ଗରେ ନେଇଥାନ୍ତି ।