ୱାଶିଂଟନ୍: ଡୋନାଲ୍ଡ ଟ୍ରମ୍ପ୍ ଆମେରିକା ରାଷ୍ଟ୍ରପତି ହେବା ପରଠାରୁ ପୂର୍ବରୁ ରହିଆସିଥିବା ନୀତିଗତ ନିଷ୍ପତ୍ତିରେ ବ୍ୟାପକ ପରିବର୍ତ୍ତନ କରୁଥିବାର ଦେଖିବାକୁ ମିଳୁଛି । ଏହିକ୍ରମେ ଟ୍ରମ୍ପ୍ ଶୁକ୍ରବାର (୨୩ ମଇ, ୨୦୨୫) ଆଇଫୋନ୍ ନିର୍ମାତା ଆପଲ୍ କମ୍ପାନୀକୁ ଏକ ବଡ଼ ଚେତାବନୀ ଦେଇଛନ୍ତି । ଟ୍ରମ୍ପ୍ କହିଛନ୍ତି ଯେ ଯଦି ଆପଲ୍ କମ୍ପାନୀ ନିଜ ଆଇଫୋନଗୁଡ଼ିକୁ ଅନ୍ୟ ଦେଶରେ ତିଆରି କରେ ଏବଂ ଆମେରିକାରେ ବିକ୍ରି କରିବାକୁ ଚାହେଁ ତେବେ ଏଥିପାଇଁ କମ୍ପାନୀକୁ ୨୫% ଶୁଳ୍କ ଦେବାକୁ ପଡିବ । ଡୋନାଲ୍ଡ ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲରେ ଏନେଇ ଏକ ଲେଖା ମଧ୍ୟ ପୋଷ୍ଟ କରିଛନ୍ତି । ଆମେରିକାରେ ବିକ୍ରି ହେଉଥିବା ଆଇଫୋନଗୁଡ଼ିକ ଭାରତରେ କିମ୍ବା ଅନ୍ୟ କୌଣସି ଦେଶରେ ନୁହେଁ ବରଂ ଆମେରିକାରେ ହିଁ ନିର୍ମିତ ହେବା ଉଚିତ୍ ବୋଲି ଟ୍ରମ୍ପ୍ ଲେଖିଛନ୍ତି । ସେହିପରି ଟ୍ରମ୍ପ୍ଙ୍କ କହିବାନୁସାରେ ସେ ଆପଲ୍ କମ୍ପାନୀ ସିଇଓ ଟିମ୍ କୁକଙ୍କୁ ମଧ୍ୟ ଏସମ୍ପର୍କରେ ଅବଗତ କରାଇଦେଇଛନ୍ତି । ଆଶା କରୁଛି ଯେ, କମ୍ପାନୀ ନିଜ ଦେଶର ସ୍ୱାର୍ଥକୁ ପ୍ରାଥମିକତା ଦେବ ଏବେ ଆମେରିକାରେ ହିଁ ନିଜ ଉତ୍ପାଦ (ଆଇଫୋନ୍ ସମେତ ଅନ୍ୟ ଉପକରଣ)କୁ ପ୍ରସ୍ତୁତ କରିବ । ଯଦି ଏହା ନହୁଏ, ତେବେ ଆପଲ୍ କମ୍ବାନୀକୁ ଆମେରିକାକୁ ଅତି କମ୍ରେ ୨୫% ଶୁଳ୍କ ଦେବାକୁ ପଡିବ ବୋଲି ମଧ୍ୟ ଟ୍ରମ୍ପ୍ ଉଲ୍ଲେଖ କରିଛନ୍ତି ।
ଟ୍ରମ୍ପ୍ଙ୍କ ଏପ୍ରକାର ଧମକ ଏପରି ଏକ ସମୟରେ ଆସିଛି ଯେତେବେଳେ କି ଆପଲ୍ ନିଜ ଉତ୍ପାଦଗୁଡ଼ିକୁ ଏବେ ଭାରତ ତଥା ଅନ୍ୟ ଦେଶଗୁଡ଼ିକରେ ପ୍ରସ୍ତୁତ କରିଆସୁଛି । ସେହିପରି ନିକଟରେ ଆପଲ୍ ଘୋଷଣା କରିଥିଲା ଯେ, ଗତ ୫ ବର୍ଷ ମଧ୍ୟରେ, ଭାରତ ଆପଲର ଆଇଫୋନ ପାଇଁ ସବୁଠାରୁ ବଡ଼ ଉତ୍ପାଦନ କେନ୍ଦ୍ର ଭାବରେ ଉଭା ହୋଇଛି । ଆମେରିକାର ଏହି କମ୍ପାନୀ ଗତ ବର୍ଷ ତୁଳନାରେ ଭାରତରେ ୬୦ ପ୍ରତିଶତ ଅଧିକ ଆଇଫୋନ ଉତ୍ପାଦନ କରିଛି । ଗତ ମାସରେ, ରଏଟର୍ସ ରିପୋର୍ଟ କରିଥିଲା ଯେ, ଚୀନ୍ ଉପରେ ଟ୍ରମ୍ପ୍ଙ୍କ ଅତିରିକ୍ତ ଶୁଳ୍କ ଲାଗୁ କରାଯିବା ଯୋଗୁ ଯୋଗାଣ-ଶୃଙ୍ଖଳା ଚିନ୍ତା ଏବଂ ଆଇଫୋନ ମୂଲ୍ୟ ବୃଦ୍ଧିର ଭୟ ମଧ୍ୟରେ ଆପଲ ଭାରତକୁ ଏକ ବିକଳ୍ପ ଉତ୍ପାଦନ କେନ୍ଦ୍ର ଭାବରେ ସ୍ଥାପନ କରୁଛି । ଗତ ସପ୍ତାହରେ, ଟ୍ରମ୍ପ ଆପଲ ସିଇଓ ଟିମ କୁକଙ୍କୁ ଭାରତରେ ଆଇଫୋନ ଉତ୍ପାଦନ ନକରି ଆମେରିକାରେ ଉତ୍ପାଦନ ଉପରେ ଧ୍ୟାନ ଦେବାକୁ କହିଥିଲେ । ପ୍ରକାଶ, ଟ୍ରମ୍ପ୍ଙ୍କ ଶୁଳ୍କ ନୀତି ବିଶ୍ୱ ବଜାରକୁ ବିଚଳିତ କରିଛି । କତାରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଟ୍ରମ୍ପ୍ କହିଥିଲେ ଯେ, ସେ ଚାହାଁନ୍ତି ନାହିଁ କୌଣସି ଆମେରିକୀୟ କମ୍ପାନୀ ଅନ୍ୟ କୌଣସି ଦେଶରେ ନିଜ ଉତ୍ପାଦଗୁଡ଼ିକୁ ଉତ୍ପାଦନ କରନ୍ତୁ ବୋଲି । ଏହିକ୍ରମେ ଆପଲ୍ ମଧ୍ୟ ଭାରତରେ ଉତ୍ପାଦନ କରୁ ବୋଲି ଟ୍ରମ୍ପ୍ ଚାହୁଁନାହାନ୍ତି ।
ଏସବୁ ମଧ୍ୟରେ ଆପଲ୍ କମ୍ପାନୀ ସ୍ପଷ୍ଟ କରିଛି ଯେ, ଟ୍ରମ୍ପ୍ଙ୍କ ବିରୋଧ ସତ୍ତ୍ୱେ ଏହା ଭାରତରେ ଥିବା ଫକ୍ସକନ୍ ପ୍ଲାଣ୍ଟରେ ଏକ ବଡ଼ ପରିମାଣର ନିବେଶ ଜାରି ରଖିବ । ଆପଲ୍ ଭାରତରେ ତା’ର ଯୋଗାଣ ଶୃଙ୍ଖଳାକୁ ବିସ୍ତାର କରିବାକୁ ନିଷ୍ପତ୍ତି ନେଇଛି । ଏହି ଯୋଜନାରେ ଆପଲ୍ର ପ୍ରମୁଖ ଉତ୍ପାଦନ ଅଂଶୀଦାର ଫକ୍ସକନ୍ ତାମିଲନାଡୁର ଓରାଗାଡ଼ମ ପ୍ଲାଣ୍ଟରେ ଏକ ନୂଆ କମ୍ପୋନେଣ୍ଟ ଫ୍ୟାକ୍ଟ୍ରି ପାଇଁ ୧.୫ ବିଲିୟନ ଡଲାର (ପ୍ରାୟ ୧୨,୫୦୦ କୋଟି ଟଙ୍କା) ନିବେଶ କରୁଛି । ଏହି ପ୍ଲାଣ୍ଟ ୧୪,୦୦୦ ନୂଆ ନିଯୁକ୍ତି ସୃଷ୍ଟି କରିବ ବୋଲି ଆଶା କରାଯାଉଛି । ପ୍ରକାଶ, ୨୦୨୪ରେ ଭାରତ ବିଶ୍ୱର ଆଇଫୋନ୍ ଉତ୍ପାଦନର ୧୮% ଅଂଶ ହାସଲ କରିଥିଲା ଏବଂ ୨୦୨୫ ସୁଦ୍ଧା ଏହା ୩୨%କୁ ବୃଦ୍ଧି ପାଇବ ବୋଲି କାଉଣ୍ଟରପଏଣ୍ଟ ରିସର୍ଚ୍ଚ ଅନୁମାନ କରିଛି । ଆପଲ୍ ୨୦୨୫ ମାର୍ଚ୍ଚ ସୁଦ୍ଧା ଭାରତରେ ୨୨ ବିଲିଅନ ଡଲାର ମୂଲ୍ୟର ଆଇଫୋନ ଉତ୍ପାଦନ କରିଛି, ଯାହା ପୂର୍ବ ବର୍ଷ ତୁଳନାରେ ୬୦% ଅଧିକ । ଆପଲ୍ ଆମେରିକାରେ ବିକ୍ରି ହେଉଥିବା ୬୦ ନିୟୁତ ଆଇଫୋନ୍କୁ ୨୦୨୬ ସୁଦ୍ଧା ଭାରତରୁ ଆମଦାନୀ କରିବାକୁ ଲକ୍ଷ୍ୟ ରଖିଛି ।