29.1 C
Bhubaneswar
Monday, June 16, 2025
Homeଓଡିଶାପୂର୍ବ ସରକାର କେବଳ ପ୍ରତିଶ୍ରୁତି ଦେଉଥିଲେ : ଧର୍ମେନ୍ଦ୍ର ପ୍ରଧାନ

ପୂର୍ବ ସରକାର କେବଳ ପ୍ରତିଶ୍ରୁତି ଦେଉଥିଲେ : ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର: ପୂର୍ବ ସରକାର କେବଳ ପ୍ରତିଶ୍ରୁତି ଦେଉଥିଲେ, ମାତ୍ର ଜନଆଶୀର୍ବାଦରେ ଓଡ଼ିଶାରେ ହୋଇଥିବା ଡବଲ ଇଞ୍ଜିନ ସରକାର କଥା ଦେଇ କଥା ରଖୁଥିବାର ସରକାର ବୋଲି ଶୁକ୍ରବାର “କେନ୍ଦୁପତ୍ର ଶ୍ରମିକଙ୍କର ସଶକ୍ତିକରଣ – ଅଧିକାର, ସୁଯୋଗ ଓ କଲ୍ୟାଣ” କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସମ୍ବଲପୁରରେ ରାଜ୍ୟ ସରକାରଙ୍କ ଜଙ୍ଗଲ ଏବଂ ଶ୍ରମ ବିଭାଗର ମିଳିତ ଉଦ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି, ଗ୍ରାମ୍ୟ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ କେନ୍ଦୁପତ୍ର ଭାଇ ଭଉଣୀମାନଙ୍କର ବଡ଼ ଯୋଗଦାନ ରହିଛି । ସେମାନଙ୍କୁ ସଶକ୍ତ କରିବା ସହ ସ୍ଥାୟୀ ସମସ୍ୟାର ସମାଧାନ କରିବା ପାଇଁ ଆମ ଡବଲ ଇଞ୍ଜିନ ସରକାର ଯତ୍ନଶୀଳ । କେନ୍ଦୁପତ୍ର ଶ୍ରମିକଙ୍କର ସବୁ ପ୍ରତିଶ୍ରୁତି ପୂରଣ କରାଯିବ । ଏ ଦିଗରେ ଆଜିର କାର୍ଯ୍ୟକ୍ରମ ସ୍ୱାଗତଯୋଗ୍ୟ ପଦକ୍ଷେପ । ପୂର୍ବ ସରକାର ଲୋକମାନଙ୍କୁ କେବଳ ପ୍ରତିଶ୍ରୁତି ଦେଉଥିଲେ ମାତ୍ର ତାହାକୁ ପୂରଣ କରୁନଥିଲେ । ସୋହେଲାରେ ଧାନ ଉପରେ ୧୦୦ ଟଙ୍କା ଅତିରିକ୍ତ ବୋନସ ଦେବା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହାକୁ ପୂରଣ କରିଥିଲେ। ଆମ ସରକାର ସବକା ସାଥ୍- ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସରେ କାମ କରୁଥିବା ସରକାର। ଏବେ ଡବଲ ଇଞ୍ଜିନ ସରକାରରେ ଧାନର ଏମଏସପି କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ବୃଦ୍ଧି କରାଯାଇଛି ।

ସୁଭଦ୍ରା ଯୋଜନା ପ୍ରାୟ ଏକ କୋଟି ମାଆ ଭଉଣୀମାନଙ୍କୁ ସଶକ୍ତ କରିଛି । ରାଜ୍ୟର ପ୍ରାୟ ୮୦୦୦ କୋଟି ଟଙ୍କା ମୂଲ୍ୟର ୭ ଲକ୍ଷ ମେଟ୍ରିକ୍ ଟନ ଖରିଫ ଧାନ ସଂଗ୍ରହ ଏବଂ ହିତାଧିକାରୀଙ୍କୁ ଡିବିଟି ଜରିଆରେ ସିଧାସଳଖ ସହାୟତା ରାଶି ପ୍ରଦାନ ସହ ବିଭିନ୍ନ କଲ୍ୟାଣକାରୀ ଯୋଜନାର ଶୁଭାରମ୍ଭ ଡବଲ ଇଞ୍ଜିନ ସରକାରର କାମ କରିବାର ପ୍ରତିଫଳନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଶ୍ରମିକଙ୍କ ସାମାଜିକ ସୁରକ୍ଷା, ସେମାନଙ୍କ ସମ୍ମାନ ବଢାଇବା ସହ କଲ୍ୟାଣକାରୀ ଯୋଜନା କରିବା ପାଇଁ କଟିବଦ୍ଧ । ସମ୍ବଲପୁରରେ ପ୍ରାୟ ୨ ଲକ୍ଷରୁ ୨.୫ ଲକ୍ଷ ପରିବାର ବସବାସ କରନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସମସ୍ତଙ୍କର କଲ୍ୟାଣ ତଥା ଆୟ ବୃଦ୍ଧି କରାଇବା ଡବଲ ଇଞ୍ଜିନ ସରକାରର ଦାୟିତ୍ୱ ରହିଛି ।

ଆମ ଡବଲ ଇଞ୍ଜିନ ସରକାରରେ ଆସନ୍ତା ୫ ବର୍ଷ ମଧ୍ୟରେ ପିଲାଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବ ବଢାଇବା ପାଇଁ ସରକାରୀ ବିଦ୍ୟାଳୟଗୁଡ଼ିକରେ ୫୦,୦୦୦ ଅଟଳ ଟିଙ୍କରିଂ ଲ୍ୟାବ୍ ପ୍ରତିଷ୍ଠା କରାଯିବାର ବ୍ୟବସ୍ଥା ହୋଇଛି । ସେହିପରି ରାଜ୍ୟରେ ୬୭୯୪ ଗ୍ରାମ ପଞ୍ଚାୟତରେ ଗୋଟିଏ ଗୋଟିଏ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନା କରିବା ପାଇଁ ଡବଲ ଇଞ୍ଜିନ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ମଧ୍ୟାହ୍ନ ଭୋଜନ ସମ୍ପ୍ରସାରଣ ହୋଇଛି । ରାଜ୍ୟରେ ଡ୍ରପ ଆଉଟ୍ ହାର କମାଇବା ପାଇଁ ରାଜ୍ୟ ସରକାର ‘ମାଧୋ ସିଂହ ହାତ ଖର୍ଚ୍ଚ’ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି, ଯାହା ପ୍ରଶଂସନୀୟ । ଏହି ଅବସରରେ ଶ୍ରୀ ପ୍ରଧାନ କେନ୍ଦୁପତ୍ର ତୋଳାଳୀ ଏବଂ ନିର୍ମାଣ ଶ୍ରମିକ ହିତାଧିକାରୀମାନଙ୍କୁ ଶିକ୍ଷାବୃତ୍ତି, ମୃତ୍ୟୁକାଳୀନ, ଅନୁକମ୍ପାମୂଳକ ଏବଂ ଅନ୍ୟାନ୍ୟ ସହାୟତା ରାଶି ଆଦି ବିତରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାଏକ, ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ ଓ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ପ୍ରମୁଖ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking