37.1 C
Bhubaneswar
Monday, May 20, 2024
Homeଓଡିଶାକୁମ୍ଭକର୍ଣ୍ଣ ନିଦ୍ରାରେ ଜଙ୍ଗଲ ବିଭାଗ

କୁମ୍ଭକର୍ଣ୍ଣ ନିଦ୍ରାରେ ଜଙ୍ଗଲ ବିଭାଗ

ମୟୁରଭଞ୍ଜ : ଜଙ୍ଗଲ କାଟୁଛନ୍ତି ମୁରୁମ ଓ ମାଟି ମାଫିଆ କିନ୍ତୁ ବନ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ। ଏବେ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅଞ୍ଚଳରେ ସକ୍ରିୟ ମାଟି ଓ ମୁରୁମ ମାଫିଆ । ବେଆଇନ ଭାବେ ଜଙ୍ଗଲରେ ଗଛକାଟି ବନାଇଲେ ରାସ୍ତା । ନିୟମକୁ ଆଖିଠାର ମାରି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ଅନ୍ତର୍ଗତ ବାଙ୍କବଣ ସଂରକ୍ଷିତ ଜଙ୍ଗଲ ରାସ୍ତାରେ ଚାଲାଣ ହେଉଛି ମାଟି ଓ ମୋରମ । ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଚାରିଚକିଆ ଯାନ ଚଳାଚଳ ସଂପୂର୍ଣ୍ଣ ନିଷେଧର ନିୟମ ଥାଇ ଅଙ୍କୁଶ ଲଗାଇବା ବଦଳରେ ନାକିଚୂଆ ଫରେଷ୍ଟର ଅଶୋକ ମାଝୀଙ୍କ ନୀରବତା ଅବଲମ୍ବନ କାହିଁକି ଓ କାହା ସ୍ୱାର୍ଥରେ ବୋଲି ପ୍ରଶ୍ନ ଉଠୁଛି। ଏହାସତ୍ତ୍ୱେ ମାଟି ଓ ମୁରୁମ ମାଫିଆ ଗୋଷ୍ଠୀ ପୁଣି ଜେସିବି ଲଗାଇ ଜଙ୍ଗଲ କାଟି ବନାଇଲେ ନୂଆରାସ୍ତା । ବିରୋଧ କଲେ ଆମ୍ବଡିହା ଗ୍ରାମବାସୀ । ଅଟକାଇଲେ ଜେସିବି ସାଙ୍ଗରେ ୧୧ଟି ଡମ୍ଫର । ବାଙ୍କବଣ ସଂରକ୍ଷିତ ଜଙ୍ଗଲ ଭିତରୁ ବେଆଇନ ଭାବେ ଜେସିବିରେ ମାଟି ଓ ମୁରୁମ ଉତ୍ତୋଳନ ସହ ଲୋଡ କରି ପୋଡ଼ଶୀ ବାଲେଶ୍ଵର ଜିଲ୍ଲା ଏବଂ ପଶ୍ଚମବଙ୍ଗକୁ ହେଉଥିଲା ଚାଲାଣ। ସରକାରୀ ଟିକସ ଫାଙ୍କି ଦୈନିକ ମାଫିଆମାନେ ରୋଜଗାର କରୁଥିଲେ ଲକ୍ଷ ଲକ୍ଷ ଟଙ୍କା। ସବୁ ଜାଣି ଅଜଣା ସ୍ଥାନୀୟ ବନବିଭାଗ। ଏହି ଘଟଣା ସାମ୍ନାକୁ ଆସିଲା ପରେ ସ୍ଥାନୀୟ ବନବିଭାଗ ଅଧିକାରୀ ଏବଂ କର୍ମାରୀମାନଙ୍କ ଜଙ୍ଗଲ ସୁରକ୍ଷା ପ୍ରତି କେତେ ଆନ୍ତରିକତା,ଆଗ୍ରହ ଏବଂ କର୍ତ୍ତବ୍ୟନିଷ୍ଠା ପ୍ରମାଣ ହେଉଛି। ରାସଗୋବିନ୍ଦପୁର ବ୍ଲକ୍ ନାକିଚୁଆ ପଞ୍ଚାୟତ ଅନ୍ତର୍ଗତ ଆମ୍ବଡ଼ିହା ବାଙ୍କବଣ ଫରେଷ୍ଟ ବିଟ ଅଧୀନ ଜଙ୍ଗଲରୁ ବେଆଇନ ଭାବେ ମାଟି ଓ ମୁରୁମ ଉତ୍ତୋଳନର ନେତୃତ୍ୱ ନେଉଥିଲେ ରାସଗୋବିନ୍ଦପୁର ଅଞ୍ଚଳର ଜନୈକ ମହରିର ବୋଲି ଆଲୋଚନା ହେଉଛି।
ପୂର୍ବରୁ ଜଙ୍ଗଲ ସଫା କରି ମାଫିଆଙ୍କର ଗୋଟିଏ ଦଳ ବେଆଇନ ଭାବେ ଦୀର୍ଘଦିନ ଧରି ମାଟି ଓ ମୋରମ ଉତ୍ତୋଳନ କରୁଥିଲେ ।ବାରମ୍ବାର ଅଭିଯୋଗ ପରେ ଭଦ୍ରକ ଓ ବାରିପଦା ଖଣି ବିଭାଗ ପକ୍ଷରୁ ଗତମାସ ଅତର୍କିତ ଭାବେ ଚଢାଉ କରାଯାଇ ୨ଟି ମାଟି ବୋଝେଇ ଡ଼ମ୍ଫରକୁ ଜବତ କରି ବେଆଇନ ମାଟି ଓ ମୋରମ ଚାଲାଣରେ ସମ୍ପୃକ୍ତ ୫ଜଣଙ୍କୁ ଧରି ଗାଡ଼ି ସହିତ ରାସଗୋବିନ୍ଦପୁର ପୁଲିସରେ ଜିମା ଦେଇଥିଲେ। ତହିଁ ପରଦିନ ପୁଲିସ ଉକ୍ତ ୫ଜଣଙ୍କୁ କୋର୍ଟ ଚାଲାଣ କରିଥିଲା। ପରେ ସେମାନେ ଜାମିନରେ ଆସିବା ପରେ ଏବେ ପୁଣି ସକ୍ରିୟ ହୋଇ ଜଙ୍ଗଲ କାଟି ରାସ୍ତା ବନାଇ ଚାଲାଣ କରୁଥିଲେ ମାଟି ଓ ମୋରମ । ସ୍ଥାନୀୟ ଅଞ୍ଚଳର ପୁରୁଣା ଜଣାଶୁଣା ମାଟି ମାଫିଆଙ୍କ ନୀତିକୁ ଅନୁସରଣ କରି ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ୍ ଅନ୍ତର୍ଗତ ପାଞ୍ଚବାଟିଆ ଓ ଡ଼ୁବୁଳିଆ ଅଞ୍ଚଳରୁ ୨ ମାଟି ମାଫିଆ ଆଜି ନାକିଚୁଆ ପରେଷ୍ଟ ବିଟ୍ ନିକଟ ଆମ୍ବଡ଼ିହା ଜଙ୍ଗଲରୁ ମୁଖ୍ୟରାସ୍ତାରୁ ୩ଶହ ମିଟର ଭିତରକୁ ପଶି ଜେସିବି ଦ୍ବାରା ଗଛକାଟି ମାଟି ଓ ମୋରମ ଉତ୍ତୋଳନ କରିବା ଲାଗି ରାସ୍ତା ନିର୍ମାଣ କରିଥିଲେ। ଗ୍ରାମବାସୀ ଜାଣିପାରି ଘଟଣାସ୍ଥଳରେ ପହଞ୍ଚି ଜେସିବି ନିକଟରେ ପହଞ୍ଚିବା ପରେ ଜେସିବି ଚାଳକ ଓ ମାଟି,ମୋରମ ମାଫିଆମାନେ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲେ। ଉକ୍ତ ଜେସିବିକୁ ଅଟକ ରଖି ବନବିଭାଗକୁ ଖବର ଦେଇଥିଲେ ଗ୍ରାମବାସୀ। ନାକିଚୁଆ ଫରେଷ୍ଟର ଅଶୋକ କୁମାର ମାଝୀ ସଦଳବଳେ ପହଞ୍ଚି ଗ୍ରାମବାସୀଙ୍କ ଠାରୁ ସବିଶେଷ ଘଟଣା ବାବଦରେ ପଚାରି ବୁଝିଥିଲେ । ମାତ୍ର ଗ୍ରାମବାସୀ ଜଙ୍ଗଲ କାଟିବା ଅଭିଯୋଗରେ ଉକ୍ତ ଜେସିବିକୁ ଜବତ୍ ସହ ଜଙ୍ଗଲ ମଧ୍ୟରେ ନୂତନ ରାସ୍ତା ନିର୍ମାଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଏବଂ ବେଆଇନ ମାଟି ଉତ୍ତୋଳନକୁ ବନ୍ଦ ପାଇଁ ଫରେଷ୍ଟରଙ୍କ ନିକଟରେ ପ୍ରତିବାଦ ସହ ଦାବି କରିଥିଲେ ଗ୍ରାମବାସୀ। ସୂଚନାଯୋଗ୍ୟ ନାକିଚୁଆ ଫରେଷ୍ଟ ବିଟରୁ ଅଳ୍ପଦୂର ଜଙ୍ଗଲରୁ ସ୍ପଷ୍ଟ ଦିବାଲୋକରେ ଜଙ୍ଗଲକାଟି ମାଟି ଓ ମୁରୁମମାଫିଆ ରାସ୍ତାନିର୍ମାଣ କରିବା ବନବିଭାଗର ପାରିବା ପଣିଆ ପ୍ରତି ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ଘଟଣାସ୍ଥଳରେ ଗଣମାଧ୍ୟମ ପହଞ୍ଚିବା ପରେ ମଧ୍ୟ ନାକିଚୁଆ ଫରେଷ୍ଟର ଅଶୋକ ମାଝୀ କେତେକ ଡମ୍ଫରରୁ ମାଟି ଅନଲୋଡ କରାଇଥିବା ଅଭିଯୋଗ ହୋଇଥିବା ବେଳେ ଏକ ମାଟି ବୋଝେଇ ଡମ୍ଫରକୁ ଖସାଇବାକୁ ଉଦ୍ୟମ କରିଥିଲେ ଯାହାର ଦୃଶ୍ୟ ଆମ କ୍ୟାମେରାରେ କୟେଦ ହୋଇଛି । ଏଥିରେ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ଠେଙ୍ଗା ଦେଖାଇ ଫରେଷ୍ଟରଙ୍କୁ ବିରୋଧ କରିଥିଲେ। ତେବେ ଏନେଇ ଫରେଷ୍ଟର ଶ୍ରୀ ମାଝୀଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିବାରୁ କ୍ୟାମେରା ସାମ୍ନାରୁ ମୁହଁ ଲୁଚାଇ ସେ ଖସି ଜଙ୍ଗଲ ଭିତରକୁ ଖସି ପଳାଇ ଯାଇଥିଲେ। ମାତ୍ର ସ୍ଥାନୀୟ ରାସଗୋବିନ୍ଦପୁର ପୋଲିସକୁ ଖବର ଦେଇଥିଲେ ମଧ୍ୟ ଘଟଣାସ୍ଥଳକୁ ଆସିନଥିଲା ପୋଲିସ। ହେଲେ ଗ୍ରାମବାସୀଙ୍କ ଠାରୁ ଖବରପାଇ ବାରିପଦାରୁ ଲଘୁଖଣିଜ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ସ୍ଥାନୀୟ ପୋଲିସ ନ ପହଞ୍ଚିବା ପଛରେ କି ରହସ୍ୟ ରହିଛି ତଦନ୍ତ ସାପେକ୍ଷ ବୋଲି ଅଭିଯୋଗ ହେଉଛି। ଅନ୍ୟପଟେ ପୂର୍ବରୁ ଘଟଣା ସମ୍ପର୍କରେ ଖବରପାଇ ମଧ୍ୟ ଘଟଣାସ୍ଥଳକୁ ରାସଗୋବିନ୍ଦପୁର ରେଞ୍ଜର ଘନଶ୍ୟାମ ସିଂ ଆସିନଥିଲେ। ପରେ ଆମ ପ୍ରତିନିଧି ଯୋଗାଯୋଗ କରିବାରୁ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ଉପସ୍ଥିତିରେ ଲଘୁଖଣିଜ ବିଭାଗ ଅଧିକାରୀ ଏବଂ ରେଞ୍ଜର ଆଲୋଚନା କରି ସମସ୍ତ ଡମ୍ଫରକୁ ରେଞ୍ଜ କାର୍ଯ୍ୟାଳୟ ମୋରଡ଼ାକୁ ଆଣିଥିବା ଦେଖିବାକୁ ମିଳିଛି। ତେବେ ବିଭାଗ ପକ୍ଷରୁ ଆଗକୁ କି କାର୍ଯ୍ୟାନୁଷ୍ଠାନ ହେଉଛି ତାଉପରେ ସମସ୍ତଙ୍କ ନଜର।ଅନ୍ୟପଟେ ବେଆଇନ ମାଟି ଓ ମୁରୁମ ଉତ୍ତୋଳନ କରୁଥିବା ମାଫିଆମାନଙ୍କ ଦଲାଲ ରେଞ୍ଜରଙ୍କ ସହିତ ସରକାରୀ ଗାଡ଼ିରେ ଘଟଣାସ୍ଥଳରେ ପହଞ୍ଚିବା ଭଳି ନିନ୍ଦନୀୟ ଘଟଣା ଆଉ କଣ ହୋଇପାରେ ବୋଲି ପ୍ରଶ୍ନ ଉଠାଇଛନ୍ତି ଗ୍ରାମବାସୀ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking