ଭୁବନେଶ୍ୱର : ଝାରସୁଗୁଡା ଜିଲ୍ଲାରେ ସରକାରୀ କଲେଜ ପ୍ରତିଷ୍ଠା କରିବା ବିଷୟ ରାଜ୍ୟ ସରକାରଙ୍କର ସକ୍ରିୟ ବିଚାରାଧିନ ରହିଛି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଝାରସୁଗୁଡା ଜିଲ୍ଲାରେ ୧୦ଟି କଳେଜ ଥିବାବେଳେ ୭୦୦୮ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ସବୁଠାରୁ ଅଧିକ ୧୪୪୦ ଜଣ ଛାତ୍ରଛାତ୍ରୀ ବ୍ରଜରାଜନଗର ଡିଗ୍ରୀ କଲେଜରେ ପଢୁଥିବାବେଳେ ଲକ୍ଷ୍ମୀ ନାରାୟଣ ଡିଗ୍ରୀ କଲେଜରେ ୯୬୦ ଏବଂ ବେଲ ପାହାଡ ଡିଗ୍ରୀ କଲେଜରେ ୯୬୦ ଜଣ ଛାତ୍ରଛାତ୍ରୀ ପଢୁଛନ୍ତି । ପଞ୍ଚାୟତ ଆଞ୍ଚଳିକ ଡିଗ୍ରୀ କଲେଜ, ମହିମା ଡିଗ୍ରୀ କଲେଜ, ପଞ୍ଚାୟତ ସମିତି ଡିଗ୍ରୀ କଲେଜ ଲାଇକେରା ଓ କୋଲାବିରା ଏବଂ ସୋଭନ ମେମୋରିଆଲ ଡିଗ୍ରୀ କଲେଜରେ ୩୮୪ଜଣ କରି ଛାତ୍ରଛାତ୍ରୀ ପଢୁଛନ୍ତି । ପ୍ରଦୋଷ କୁମାର ସ୍ମୃତି ସ୍ମାରକୀ ଡିଗ୍ରୀ କଲେଜରେ ୫୭୬ ଜଣ ଛାତ୍ରଛାତ୍ରୀ ଅଛନ୍ତି । ତେବେ ଜିଲ୍ଲାରେ ସରକାରୀ କଲେଜ ପ୍ରତିଷ୍ଠା ସରକାରଙ୍କର ସକ୍ରିୟ ବିଚାରାଧିନ ଥିବା ମନ୍ତ୍ରୀ କହିଛନ୍ତି ।










