32.5 C
Bhubaneswar
Monday, June 29, 2026
Homeଓଡିଶାଏସସିବି ମେଡିକାଲରୁ ରୋଗୀଙ୍କ ଅନ୍ତର୍ଦ୍ଧାନ ଘଟଣାର ତଦନ୍ତ ପାଇଁ ରାଜ୍ୟ କଂଗ୍ରେସର ଯାଞ୍ଚ କମିଟିର ପରିଦର୍ଶନ

ଏସସିବି ମେଡିକାଲରୁ ରୋଗୀଙ୍କ ଅନ୍ତର୍ଦ୍ଧାନ ଘଟଣାର ତଦନ୍ତ ପାଇଁ ରାଜ୍ୟ କଂଗ୍ରେସର ଯାଞ୍ଚ କମିଟିର ପରିଦର୍ଶନ

ଭୁବନେଶ୍ୱର: ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରୁ ଗୋଟିଏ ମାସରେ 12 ଜଣ ରୋଗୀଙ୍କ ରହସ୍ୟଜନକ ଅନ୍ତର୍ଦ୍ଧାନ ଘଟଣାକୁ ରାଜ୍ୟ କଂଗ୍ରେସ ଅତ୍ୟନ୍ତ ଗମ୍ଭୀର, ଚିନ୍ତାଜନକ ଓ ଜନସ୍ୱାର୍ଥ ସହ ସିଧାସଳଖ ସମ୍ପୃକ୍ତ ବିଷୟ ଭାବେ ଗ୍ରହଣ କରିଛି। ଏହି ଘଟଣାର ସତ୍ୟାସତ୍ୟ ଅନୁଧ୍ୟାନ କରିବା ଓ ପ୍ରକୃତ ତଥ୍ୟ ସଂଗ୍ରହ କରିବା ନିମନ୍ତେ ରାଜ୍ୟ କଂଗ୍ରେସର ବରିଷ୍ଠ ନେତା ଶିବାନନ୍ଦ ରାୟଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ତଦନ୍ତ (Fact Finding) କମିଟି ଆଜି ଏସସିବି ମେଡିକାଲ ପରିଦର୍ଶନ କରିଥିଲା।

କମିଟି ହସ୍ପିଟାଲର ବିଭିନ୍ନ ୱାର୍ଡ, ସୁରକ୍ଷା ବ୍ୟବସ୍ଥା, ରୋଗୀ ନିବନ୍ଧନ ପ୍ରକ୍ରିୟା, ସିସିଟିଭି ନଜରଦାରି, ପ୍ରବେଶ ଓ ପ୍ରସ୍ଥାନ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିବା ସହ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ। ହସ୍ପିଟାଲ ଅଧ୍ୟକ୍ଷଙ୍କ ନିକଟରେ ଘଟଣାର ସମସ୍ତ ବିବରଣୀ, ଗ୍ରହଣ କରାଯାଇଥିବା ପଦକ୍ଷେପ, ସୁରକ୍ଷା ତ୍ରୁଟି ଏବଂ ଭବିଷ୍ୟତରେ ଏପରି ଘଟଣା ରୋକିବା ପାଇଁ ଗ୍ରହଣୀୟ ବ୍ୟବସ୍ଥା ସମ୍ପର୍କରେ ସ୍ପଷ୍ଟୀକରଣ ମଧ୍ୟ ମଗାଯାଇଥିଲା। କମିଟି ମତ ପ୍ରକାଶ କରିଛି ଯେ, ସରକାରୀ ମେଡିକାଲ ପରିସରରୁ 12 ଜଣ ରୋଗୀଙ୍କ ଅନ୍ତର୍ଦ୍ଧାନ କେବଳ ପ୍ରଶାସନିକ ଅବହେଳା ନୁହେଁ, ବରଂ ଏହା ରୋଗୀଙ୍କ ଜୀବନ ଓ ସୁରକ୍ଷାର ଅଧିକାର (Right to Life and Personal Liberty), ସ୍ୱାସ୍ଥ୍ୟ ସେବାରେ ରାଜ୍ୟର ସାମ୍ବିଧାନିକ ଦାୟିତ୍ୱ ଏବଂ ସରକାରୀ କର୍ତ୍ତବ୍ୟ ପାଳନରେ ଗୁରୁତର ତ୍ରୁଟିର ପ୍ରଶ୍ନ ସୃଷ୍ଟି କରୁଛି। ଏଭଳି ଘଟଣା ଉପରେ ଯଦି ତୁରନ୍ତ ଓ ନିରପେକ୍ଷ ତଦନ୍ତ ନ କରାଯାଏ, ତେବେ ଜନସାଧାରଣଙ୍କ ବିଶ୍ୱାସ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରୁ ସମ୍ପୂର୍ଣ୍ଣ ଉଠିଯିବ। କମିଟି ଦାବି କରିଛି ଯେ ଏହି ଘଟଣାର ନିରପେକ୍ଷ, ସ୍ୱଚ୍ଛ ଓ ସମୟବଦ୍ଧ ତଦନ୍ତ କରାଯାଇ ପ୍ରକୃତ ଦୋଷୀଙ୍କୁ ଆଇନ ଅନୁଯାୟୀ ଦାୟୀ କରାଯାଉ। ଯଦି କୌଣସି ପ୍ରଶାସନିକ ଅବହେଳା, କର୍ତ୍ତବ୍ୟରେ ଖାମଖିଆଲି (Dereliction of Duty), ସୁରକ୍ଷା ବ୍ୟବସ୍ଥାର ବିଫଳତା କିମ୍ବା କୌଣସି ଅପରାଧିକ ଷଡ଼ଯନ୍ତ୍ରର ସୂଚନା ମିଳେ, ତେବେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ପ୍ରଚଳିତ ଆଇନ ଅନୁଯାୟୀ କଠୋର ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ।

ଯାଞ୍ଚ କମିଟି ପକ୍ଷରୁ ହସ୍ପିଟାଲ ଅଧ୍ୟକ୍ଷଙ୍କୁ ଦାବି କରାଯାଇଛି ଯେ, ଆଜିଠାରୁ ସମସ୍ତ ରୋଗୀ ଓ ସେମାନଙ୍କ ସହ ଆସୁଥିବା ଆଟେଣ୍ଡାଣ୍ଟମାନଙ୍କୁ ଯଥେଷ୍ଟ ସୁରକ୍ଷା, ଆବଶ୍ୟକ ସହଯୋଗ, ତଥ୍ୟ ପ୍ରଦାନ ବ୍ୟବସ୍ଥା ଏବଂ ହସ୍ପିଟାଲ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା ତୁରନ୍ତ କାର୍ଯ୍ୟକାରୀ କରାଯାଉ। ସେହିପରି ସମସ୍ତ ସିସିଟିଭି କ୍ୟାମେରା ସକ୍ରିୟ ରଖିବା, ଭିଜିଟର ରେଜିଷ୍ଟରର ସଠିକ୍ ପରିଚାଳନା, ପ୍ରବେଶ ଓ ପ୍ରସ୍ଥାନ ନିୟନ୍ତ୍ରଣକୁ ଅଧିକ କଡ଼ାକଡ଼ି କରିବା ଏବଂ ରୋଗୀଙ୍କ ସୁରକ୍ଷା ପାଇଁ Standard Operating Procedure (SOP) କଡ଼ାକଡ଼ି ପାଳନ କରିବାକୁ ମଧ୍ୟ କୁହାଯାଇଛି। ଏହି ଯାଞ୍ଚ କମିଟିରେ ଜିଲ୍ଲା କଂଗ୍ରେସ ସଭାପତି ପ୍ରଦୀପ୍ତ ଦାସ, ନଗର କଂଗ୍ରେସ ସଭାପତି ଶାନ୍ତାୟନ ମିଶ୍ର, ରାଜ୍ୟ କଂଗ୍ରେସ ମୁଖପାତ୍ର ଅଶୋକ ସ୍ୱାଇଁ, ଅମ୍ରିତା ଦାସ, ଯୁବ ଓ ଛାତ୍ର ନେତା ହରିଶଙ୍କର ରାଉତ, ପୁର୍ବତନ ବିଧାୟକ ରବିନ୍ଦ୍ର କୁମାର ମଲ୍ଲିକ, ଯୁବ କଂଗ୍ରେସ ସଭାପତି ବିପ୍ଳବ ଶିଳାଦିତ୍ୟ, ଆଇନଜୀବୀ ରଞ୍ଜନ ନାୟକ, ଆଲୋକ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ। କମିଟି ଜଣାଇଛି ଯେ, ସମସ୍ତ ତଥ୍ୟ, ପ୍ରମାଣ, ସମ୍ପୃକ୍ତ ପକ୍ଷଙ୍କ ବୟାନ ଓ ସ୍ଥଳ ପରିଦର୍ଶନ ଆଧାରରେ ଏକ ବିସ୍ତୃତ ଫ୍ୟାକ୍ଟ ଫାଇଣ୍ଡିଂ ରିପୋର୍ଟ ପ୍ରସ୍ତୁତ କରାଯିବ। ଆବଶ୍ୟକ ହେଲେ ଏହି ରିପୋର୍ଟ ରାଜ୍ୟ ସରକାର, ସ୍ୱାସ୍ଥ୍ୟ ବିଭାଗ, ମାନବାଧିକାର କମିଶନ ଓ ଅନ୍ୟାନ୍ୟ ସମ୍ପୃକ୍ତ ସାମ୍ବିଧାନିକ ଓ ବୈଧାନିକ କର୍ତ୍ତୃପକ୍ଷଙ୍କ ନିକଟରେ ଉପସ୍ଥାପନ କରାଯିବ। ଯଦି ପ୍ରଶାସନ ପକ୍ଷରୁ ଯଥୋଚିତ ପଦକ୍ଷେପ ଗ୍ରହଣ କରାନଯାଏ, ତେବେ ରାଜ୍ୟ କଂଗ୍ରେସ ଆଇନଗତ ଓ ଗଣତାନ୍ତ୍ରିକ ପନ୍ଥାରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବ ବୋଲି କମିଟି ସ୍ପଷ୍ଟ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking