ନୂଆଦିଲ୍ଲୀ : ସିବିଏସଇ (CBSE) ପକ୍ଷରୁ ନୂତନ ୩-ଭାଷା ନୀତି ସମ୍ପର୍କରେ ବିସ୍ତୃତ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଜାତୀୟ ଶିକ୍ଷା ନୀତି (NEP) ୨୦୨୦ ଅନୁଯାୟୀ ପ୍ରଣିତ ଏହି ନିୟମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭାରତୀୟ ଭାଷାର ପ୍ରଚାର ଓ ପ୍ରସାର ପାଇଁ ଉଦ୍ଦିଷ୍ଟ । ତେବେ ବୋର୍ଡ ସ୍ପଷ୍ଟ କରିଛି ଯେ, ଏହି ପରିବର୍ତ୍ତନ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ ହେବ, ଯାହାଫଳରେ ଛାତ୍ରଛାତ୍ରୀଙ୍କ ଉପରେ ହଠାତ୍ କୌଣସି ଚାପ ପଡ଼ିବ ନାହିଁ ।
ନିର୍ଦ୍ଦେଶାବଳୀ ଅନୁସାରେ, ବର୍ତ୍ତମାନର ଦଶମ ଶ୍ରେଣୀ ଏବଂ ୨୦୨୬-୨୭ ବର୍ଷର ଦଶମ ଶ୍ରେଣୀ ପରୀକ୍ଷାର୍ଥୀଙ୍କ ପାଇଁ କୌଣସି ପରିବର୍ତ୍ତନ ହେବ ନାହିଁ। ସେମାନେ ପୂର୍ବ ପରି ଦୁଇଟି ଭାଷା ପଢ଼ିବେ। କିନ୍ତୁ ୨୦୨୬-୨୭ ଶିକ୍ଷାବର୍ଷରୁ ନବମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ତିନୋଟି ଭାଷା ପଢ଼ିବାକୁ ପଡ଼ିବ, ଯେଉଁଥିରୁ ଅତିକମରେ ଦୁଇଟି ଭାରତୀୟ ଭାଷା ହେବା ବାଧ୍ୟତାମୂଳକ। ଏହି ଶ୍ରେଣୀ ପାଇଁ ତୃତୀୟ ଭାଷାର ମୂଲ୍ୟାୟନ କେବଳ ସ୍କୁଲ ସ୍ତରରେ କରାଯିବ। ପୂର୍ଣ୍ଣ ମାତ୍ରାରେ ଏହି ନୀତି ୨୦୨୬-୨୭ ବର୍ଷର ଷଷ୍ଠ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ ହେବ, ଯେଉଁମାନେ ପରବର୍ତ୍ତୀ ସମୟରେ ତିନୋଟି ଯାକ ଭାଷାରେ ବୋର୍ଡ ପରୀକ୍ଷା ଦେବେ ।
ନୂତନ ନିୟମରୁ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ, ବିଦେଶରେ ଥିବା ସିବିଏସଇ ସ୍କୁଲର ପିଲା ଏବଂ ବିଦେଶରୁ ଫେରିଥିବା ଶିକ୍ଷାର୍ଥୀଙ୍କୁ ରିହାତି ପ୍ରଦାନ କରାଯାଇଛି। ଶିକ୍ଷାଦାନରେ ସୁବିଧା ପାଇଁ ଏନସିଇଆରଟି (NCERT) ୨୨ଟି ଭାରତୀୟ ଭାଷାରେ ପୁସ୍ତକ ଯୋଗାଇ ଦେବା ସହ ସ୍କୁଲଗୁଡ଼ିକୁ ଅନଲାଇନ୍ ଓ ହାଇବ୍ରିଡ୍ ମାଧ୍ୟମରେ ଶିକ୍ଷାଦାନ ପାଇଁ ଅନୁମତି ଦିଆଯାଇଛି। ବୋର୍ଡର ଏହି ପଦକ୍ଷେପ ଶିକ୍ଷା ବ୍ୟବସ୍ଥାକୁ ଅଧିକ ସମୃଦ୍ଧ ଓ ସରଳ କରିବାକୁ ଲକ୍ଷ୍ୟ ରଖିଛି ।










