ଭୁବନେଶ୍ୱର:ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଆର. ଏସ. ଗୋପାଲନ ଙ୍କ ଅଧ୍ୟକ୍ଷତାରେ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକର ପ୍ରତିନିଧିମାନଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।। ଏହି ବୈଠକରେ ବିଭିନ୍ନ ସ୍ଵୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନେ ଯୋଗ ଦେଇ ରାଜ୍ୟରେ ଚାଲିଥିବା ସ୍ଵତନ୍ତ୍ର ସଘନ ସଂଶୋଧନ ର ଅଗ୍ରଗତି ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।ବୈଠକରେ ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ୨୦୨୬ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ବିସ୍ତୃତ ସମୀକ୍ଷା କରାଯାଇଥିଲା। ସମଗ୍ର ରାଜ୍ୟରେ ଚାଲିଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏବଂ ଡିଜିଟାଇଜେସନର ବର୍ତ୍ତମାନର ସ୍ଥିତି ଉପରେ ଏଥିରେ ଆଲୋଚନା ହୋଇଥିଲା। ଏହା ସହିତ ଆସନ୍ତା ୦୫ ଜୁଲାଇ ରେ ପ୍ରକାଶ ପାଇବାକୁ ଥିବା ‘ଚିଠା ଭୋଟର ତାଲିକା’ (Draft Electoral Roll) ଏବଂ ଏହି ସଂଶୋଧନ ପ୍ରକ୍ରିୟାର ପରବର୍ତ୍ତୀ ପର୍ଯ୍ୟାୟଗୁଡ଼ିକର ସୁପରିଚାଳନା ନେଇ ରଣନୀତି ପ୍ରସ୍ତୁତ କରାଯାଇଛି। ଏକ ସମ୍ପୂର୍ଣ୍ଣ, ସଠିକ୍ ଏବଂ ଅଦ୍ୟତନ ଭୋଟର ତାଲିକା ପ୍ରସ୍ତୁତ କରିବା ପାଇଁ ବୈଠକରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏହି ପ୍ରକ୍ରିୟାରେ ପ୍ରଭାବଶାଳୀ ସହଭାଗିତା ବୃଦ୍ଧି କରିବା ଓ କେହି ଜଣେ ବି ଯୋଗ୍ୟ ଭୋଟର ଯେମିତି ବାଦ୍ ନ ପଡିବେ ସେ ଲାଗି ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବୁଥ୍ ସ୍ତରୀୟ ଅଧିକାରୀ ଏବଂ ବୁଥ୍ ସ୍ତରୀୟ ଏଜେଣ୍ଟ ମାନଙ୍କ ମଧ୍ୟରେ ଏକ ସମନ୍ୱୟ ବୈଠକ ଆସନ୍ତା ଜୁନ ୨୪ ଓ ୨୫ ତାରିଖରେ ଅନୁଷ୍ଠିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।
ଏହି ଚିଠା ଭୋଟର ତାଲିକାକୁ ନେଇ କୌଣସି ପ୍ରକାରର ଆପତ୍ତି କିମ୍ବା ଅଭିଯୋଗ ଥିଲେ, ୦୫ ଜୁଲାଇ ରୁ ୦୪ ଅଗଷ୍ଟ ୨୦୨୬ ମଧ୍ୟରେ ଆପତ୍ତି ଦାଖଲ କରାଯାଇପାରିବ। ୦୫ ଜୁଲାଇ ପରେ ଯଦି ଚିଠା ଭୋଟର ତାଲିକାରେ କୌଣସି ତ୍ରୁଟି ପରିଲଖିତ ହୁଏ, ଫର୍ମ-୬ (Form 6)ମାଧ୍ୟମରେ ନୂତନ ନାମ ଯୋଡ଼ିପାରିବେ,ଫର୍ମ-୭ (Form 7) ଦେଇ ଭୋଟର ତାଲିକାରୁ ନାମ ବାଦ୍ ଓ ଫର୍ମ-୮ (Form 8) ମାଧ୍ୟମରେ ଯେକୌଣସି ପ୍ରକାରର ସଂଶୋଧନ କରିପାରିବେ ସେହିପରି ରାଜ୍ୟରେ ଆଜି ସୁଦ୍ଧା ୯୯.୯୧ ପ୍ରତିଶତ ଅର୍ଥାତ ୩କୋଟି ୩୩ଲକ୍ଷ ୬୯ହଜାର ୬୨୭ ଜଣ ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟନ ହୋଇଥିବା ବେଳେ ,ସେଥି ମଧ୍ୟରୁ ୯୦.୮୬ ପ୍ରତିଶତ ଅର୍ଥାତ ୩କୋଟି ୩୪ଲକ୍ଷ ୬ହଜାର ୭୨୯ଜଣ ଭୋଟରଙ୍କର ଡିଜିଟାଇଜେସନ କରାଯାଇଛି। ଏହି ବୈଠକରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଆର ଏସ ଗୋପାଲନ ,ଅତିରିକ୍ତି ସିଇଓ ଶ୍ରୀ ସୁଶାନ୍ତ କୁମାର ମିଶ୍ର ,ଯୁଗ୍ମ ସିଇଓ ଶ୍ରୀ ଗୋପୀନାଥ କୁଅଁର ,ଡେ଼ପୁଟି ସିଇଓ ଡ଼. ଲକ୍ଷ୍ମୀପ୍ରସାଦ ସାହୁ ଓ ଶ୍ରୀମତୀ ଅନାମିକା ସିଂ ଙ୍କ ସମେତ ସମସ୍ତ ରାଜନୈତିକ ଦଳର ପ୍ରତିନିଧିମାନେ ଉପସ୍ଥିତ ଥିଲେ।










