29.4 C
Bhubaneswar
Tuesday, June 23, 2026
Homeଓଡିଶାଓଡ଼ିଶାରେ ୧୦୦୦ ମେଗାୱାଟର ସବୁଜ ଶକ୍ତି ପ୍ରକଳ୍ପ ବିକାଶ ଲକ୍ଷ୍ୟ

ଓଡ଼ିଶାରେ ୧୦୦୦ ମେଗାୱାଟର ସବୁଜ ଶକ୍ତି ପ୍ରକଳ୍ପ ବିକାଶ ଲକ୍ଷ୍ୟ

ଭୁବନେଶ୍ୱର: ରାଜ୍ୟରେ ସ୍ଥାୟୀ ଶକ୍ତିର ପ୍ରସାରକୁ ତ୍ୱରାନ୍ୱିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, NLC ଇଣ୍ଡିଆ ଲିମିଟେଡର ସମ୍ପୂର୍ଣ୍ଣ ମାଲିକାନାଧୀନ ସହାୟକ କମ୍ପାନୀ ‘NLC ଇଣ୍ଡିଆ ରିନ୍ୟୁଏବଲ୍ସ ଲିମିଟେଡ୍’ (NIRL) ଏବଂ ‘ଓଡ଼ିଶା ଅକ୍ଷୟ ଶକ୍ତି ଉନ୍ନୟନ ସଂସ୍ଥା’ (OREDA) ମଧ୍ୟରେ ଆଜି ଭୁବନେଶ୍ୱରସ୍ଥିତ ଖାରବେଳ ଭବନଠାରେ ଏକ ଯୌଥ ଉଦ୍ୟୋଗ (Joint Venture) ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଉପସ୍ଥିତିରେ ଏହି ସ୍ୱାକ୍ଷର ସମାରୋହ ଅନୁଷ୍ଠିତ ହୋଇଛି। ଏହି ଯୌଥ ଉଦ୍ୟୋଗ କମ୍ପାନୀ (JVC) ଓଡ଼ିଶାରେ ୧୦୦୦ ମେଗାୱାଟର ସବୁଜ ଶକ୍ତି ପ୍ରକଳ୍ପ ବିକାଶ କରିବା ଲକ୍ଷ୍ୟ ରଖିଛି। ଏହି ସହାଭାଗିତା ମାଧ୍ୟମରେ ୨୫୦ ମେଗାୱାଟ ପବନ ଶକ୍ତି (Wind Power) ଏବଂ ୨୨୫ ମେଗାୱାଟ ଭାସମାନ ସୌର ଶକ୍ତି (Floating Solar Power) ପ୍ରକଳ୍ପ ସମେତ ଅନ୍ୟାନ୍ୟ ଅକ୍ଷୟ ଶକ୍ତି ପ୍ରକଳ୍ପ ରହିଛି। ଏହି ରଣନୈତିକ ସହାଭାଗିତା ସମ୍ପର୍କରେ ମତବ୍ୟକ୍ତ କରି ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ ସିଂହ ଦେଓ କହିଛନ୍ତି ଯେ, NIRL ଏବଂ OREDA ମଧ୍ୟରେ ଏହି ସହଭାଗିତା ଓଡ଼ିଶାର ଶକ୍ତି କ୍ଷେତ୍ର ପାଇଁ ଏକ ନିର୍ଣ୍ଣାୟକ ମୁହୂର୍ତ୍ତ। ରାଜ୍ୟର ଅପାର ଅକ୍ଷୟ ଶକ୍ତି ସମ୍ଭାବନା ସହିତ ବୈଷୟିକ ଏବଂ ଆର୍ଥିକ ଜ୍ଞାନକୌଶଳର ସମନ୍ୱୟ ଦ୍ୱାରା ଆମେ କେବଳ ସ୍ୱଚ୍ଛ ଶକ୍ତି ପାଇଁ ଆମର ପ୍ରତିଶ୍ରୁତି ପୂରଣ କରୁନାହୁଁ, ବରଂ ରାଜ୍ୟର ‘ଅକ୍ଷୟ ଶକ୍ତି କ୍ରୟ ଲକ୍ଷ୍ୟ’ (Renewable Purchase Obligation) ହାସଲ ଦିଗରେ ମଧ୍ୟ ସକ୍ରିୟ ଭାବେ କାର୍ଯ୍ୟ କରୁଛୁ। ଏହି ଉଦ୍ୟୋଗ ସ୍ଥାୟୀ ଶିଳ୍ପ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ସହ ଓଡ଼ିଶାକୁ ଭାରତର ଏକ ସବୁଜ ଶକ୍ତି କେନ୍ଦ୍ର ଭାବେ ପ୍ରତିଷ୍ଠିତ କରିବ। ଏହି ଯୌଥ ଉଦ୍ୟୋଗରେ NIRL ୫୧% ଏବଂ OREDA ୪୯% ଅଂଶଧନ ନିବେଶ କରିବେ। କମ୍ପାନୀର ପରିଚାଳନା ବୋର୍ଡରେ ମୋଟ ପାଞ୍ଚ ଜଣ ସଦସ୍ୟ ରହିବେ, ଯେଉଁଥିରେ NIRL ପକ୍ଷରୁ ତିନି ଜଣ ଏବଂ OREDA ପକ୍ଷରୁ ଦୁଇ ଜଣ ସଦସ୍ୟ ରହିବେ। ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ କହିଛନ୍ତି ଯେ, ବୃହତ ଆକାରର ଅକ୍ଷୟ ଶକ୍ତି ପ୍ରକଳ୍ପ ପରିଚାଳନା ନିମନ୍ତେ ଓଡ଼ିଶାର ପ୍ରତିଷ୍ଠାନିକ କ୍ଷମତାକୁ ସୁଦୃଢ଼ କରିବା ଦିଗରେ ଏହି ପଦକ୍ଷେପ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଏବଂ ଏହା ରାଜ୍ୟର ଏକ ସ୍ୱଚ୍ଛ ଓ ସବୁଜ ଭବିଷ୍ୟତ ପାଇଁ ଥିବା ଉତ୍ସର୍ଗୀକୃତ ଭାବନାକୁ ମଧ୍ୟ ପ୍ରମାଣିତ କରୁଛି। ଏହି କାର୍ଯ୍ୟକ୍ରମରେ ଡ. ପ୍ରସନ୍ନ କୁମାର ଆଚାର୍ଯ୍ୟ, ନିର୍ଦ୍ଦେଶକ (ଅର୍ଥ), ଶ୍ରୀ ଦେବେନ୍ଦ୍ର ପ୍ରତାପ ସିଂହ, ସିଇଓ, ଶକ୍ତି ବିଭାଗ, OREDA ଓ NIRL ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking