ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥ ରତ୍ନସିଂହାସନ ଛାଡ଼ି ସ୍ନାନବେଦୀକୁ ବିଜେ କରିବା ପରେ ଶ୍ରୀମନ୍ଦିର ଗର୍ଭଗୃହରେ ଏକ ସ୍ୱତନ୍ତ୍ର ପରମ୍ପରା ପାଳନ କରାଯାଏ । ମହାପ୍ରଭୁଙ୍କ ଅନୁପସ୍ଥିତିରେ ଗର୍ଭଗୃହରୁ ପୁରୁଣା ଚାନ୍ଦୁଆକୁ କଢ଼ାଯାଇଛି । ବର୍ଷ ସାରା ଗର୍ଭଗୃହରେ ଜଳୁଥିବା ଦୀପର କଳା ଏହି ଚାନ୍ଦୁଆରେ ଲାଗି ରହିଥାଏ । ଯେତେବେଳେ ଚୂନରା ସେବାୟତମାନେ ଏହି ଚାନ୍ଦୁଆକୁ କାଢ଼ିଥିଲେ, ସେଥିରେ ଲାଗିଥିବା ଦୀପର କଳାରେ ସେମାନେ ସମ୍ପୂର୍ଣ୍ଣ ରୂପେ ବୋଳି ହୋଇଯାଇଥିଲେ ।ଏହି ଚାନ୍ଦୁଆକୁ ସିଂହଦ୍ଵାର ଦେଇ ବାହାରକୁ ଅଣାଯିବା ସମୟରେ ଏକ ଭାବପୂର୍ଣ୍ଣ ଦୃଶ୍ୟ ଦେଖିବାକୁ ମିଳିଥିଲା । ସେବାୟତ ଆଉ ଭକ୍ତ ମାନେ ମଧ୍ୟ ଏହି କଳାକୁ ବୋଳି ହୋଇ ଭାବବିହ୍ୱଳ ହୋଇ ପଡ଼ିଥିଲେ । ଏ ସମ୍ପର୍କରେ ଚୂନରା ସେବାୟତ ଡାକ୍ତର ଶରତ ମହାନ୍ତି ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଏହି କାଳିଆ କଳା ମହାପ୍ରଭୁଙ୍କ ସେବାର ଏକ ପବିତ୍ର ଅଂଶ । ସାରା ବର୍ଷ ମହାପ୍ରଭୁଙ୍କ ଗର୍ଭଗୃହରେ ଜଳୁଥିବା ଦୀପର ଏହି ଅଂଶକୁ ସ୍ପର୍ଶ କରିବା ଏବଂ ଦେହରେ ଲଗାଇବା ଦ୍ୱାରା ଅପୂର୍ବ ଆଧ୍ୟାତ୍ମିକ ଶାନ୍ତି ମିଳିଥାଏ ।










