କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନିୟମଗିରି ପାର୍ସାଲି ପଞ୍ଚାୟତ ଅଧୀନ ଗୁମ୍ମା ଗାଁରେ ଶ୍ୱଶୁର ଘରେ ଜ୍ୱାଇଁଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକ ଜଣକ ହେଲେ ସୁରେନ୍ଦ୍ର ବିବର (୨୫)। ସେ ୨ବର୍ଷରୁ ଅଧିକ ସମୟ ହେବ ସେଠାରେ ରହି ଟ୍ରାକ୍ଟର ଚଳାଉଥିଲେ। ଗତକାଲି ନିଜ ଗାଁ କଳାକୁପାକୁ ଯାଇ ପୁଣି ଫେରିଥିଲେ। କିନ୍ତୁ ଆଜି ସକାଳ ପ୍ରାୟ ୬ଟାରେ ଶ୍ୱଶୁର ସେ ମୃତ ଅବସ୍ଥାରେ ମିଳିଥିଲେ। ମୃତ୍ୟୁର ସଠିକ କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି।
ପରିବାର ପକ୍ଷରୁ ଲିଖିତ ଅଭିଯୋଗ ପରେ କଲ୍ୟାଣସିଂହପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏସଡିପିଓ ଗୌରହରି ସାହୁ, ଜେକେପୁର ଚାନ୍ଦେଲି ଥାନାଧିକାରୀ ଉତ୍ତମ କୁମାର ସାହୁ ଓ କଲ୍ୟାଣସିଂହପୁର ଏସଆଇ ହେମନ୍ତ କୁମାର ବରିହା ପହଞ୍ଚି ତଦନ୍ତ କରିଥିଲେ। ପରେ ସାଇଣ୍ଟିଫିକ ଟିମ ଏସଆଇ ଦୀପଙ୍କ ନେତୃତ୍ୱରେ ପହଞ୍ଚି ପ୍ରମାଣ ସଂଗ୍ରହ କରିଥିଲା। ପୁଲିସ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଶବକୁ ବ୍ୟବଛେଦ ପାଇଁ କଲ୍ୟାଣସିଂହପୁର ପଠାଯାଇଥିବା ବେଳେ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି। ଶବ ବ୍ୟବଛେଦ ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରାଯିବ।










