ନୂଆଦିଲ୍ଲୀ : ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ସଂରକ୍ଷଣ ଅନ୍ତର୍ଗତ ଜାତି ଭିତ୍ତିକ ସଂରକ୍ଷଣ ପ୍ରସଙ୍ଗରେ ଗୁରୁବାର ସୁପ୍ରିମକୋର୍ଟ ଏକ ବଡ ରାୟ ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ୭ ଜଣିଆ ବିଚାରପତିଙ୍କ ବୃହତର ସାମ୍ବିଧାନିକ ବେଞ୍ଚ କହିଛନ୍ତି, ଏସ୍ସି/ଏସ୍ଟି ବର୍ଗରେ ଅଧିକ ପଛୁଆ ବର୍ଗର ଲୋକଙ୍କ ପାଇଁ ପୃଥକ୍ କୋଟା ଦିଆଯାଇପାରିବ । ସେହିପରି ରାଜ୍ୟ ସରକାର, ନିଯୁକ୍ତି ତଥା ଅନ୍ୟାନ୍ୟ କ୍ଷେତ୍ରରେ ଉଦ୍ଦିଷ୍ଟ ସଂରକ୍ଷଣ ବ୍ୟବସ୍ଥାରେ ଏସ୍ସି/ଏସ୍ଟିଙ୍କ ଉପବର୍ଗୀକରଣ କରିପାରିବେ । ତେବେ ଏଥିପାଇଁ ଖଣ୍ଡପୀଠ ରାଜ୍ୟ ସରକାରଙ୍କ ଆଗରେ ୨ଟି ସର୍ତ୍ତ ମଧ୍ୟ ରଖିଛନ୍ତି । ଖଣ୍ଡପୀଠ କହିଛନ୍ତି, ଉପବର୍ଗୀକରଣ ପ୍ରକ୍ରିୟା କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ମନମୁଖୀ ନିଷ୍ପତ୍ତି ନେଇପାରିବେ ନାହିଁ । ଏଥିପାଇଁ ରାଜ୍ୟ ସରକାରଙ୍କୁ ୨ଟି ସର୍ତ୍ତ ପାଳନ କରିବାକୁ ହେବ । ପ୍ରଥମତଃ ଅନୁସୂଚୀତ ଜାତି ମଧ୍ୟରେ କୌଣସି ଏକ ନିର୍ଦ୍ଦିଷ୍ଟ ଜାତିକୁ ୧୦୦% ସଂରକ୍ଷଣ ଦିଆଯାଇପାରିବନି । ଦ୍ୱିତୀୟତଃ ଅନୁସୂଚୀତ ଜାତିରେ ସାମିଲ କୌଣସି ଜାତଙ୍କ ପାଇଁ କୋଟା ବା ସଂରକ୍ଷଣ ମାତ୍ରା ସମ୍ପର୍କରେ ନିଷ୍ପତ୍ତି ନେବା ପୂର୍ବରୁ ଉକ୍ତ ଜାତି ସମ୍ପର୍କରେ ରାଜ୍ୟ ସରକାରଙ୍କ ପାଖରେ ସବିଶେଷ ତଥ୍ୟ ଉପଲବ୍ଧ ଥିବା ଅତ୍ୟନ୍ତ ଜରୁରି ।
ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ ଅଧ୍ୟକ୍ଷତାରେ ଗଠିତ ଏହି ଖଣ୍ଡପୀଠ ବହୁମତ (୬:୧) ଅନୁଯାୟୀ ଏହି ରାୟ ଶୁଣାଇବା ସହ ଅନୁସୂଚୀତ ଜାତି/ ଅନୁସୂଚୀତ ଜନଜାତି ସଂରକ୍ଷଣରେ ଜାତି ଭିତ୍ତିକ ସଂରକ୍ଷଣ ଉପରେ ମୋହର ଲଗାଇଛନ୍ତି । କେବଳ ଜଷ୍ଟିସ୍ ବେଲା ତ୍ରିବେଦୀ ବହୁମତ ନିଷ୍ପତ୍ତି ବିରୋଧରେ ରାୟ ଦେଇଛନ୍ତି । ତେବେ ବହୁମତ ଆଧାରରେ ଖଣ୍ଡପୀଠ କହିଥିଲେ ଯେ, ୨୦୦୪ର ଇଭି ଚିନ୍ନାୟା ରାୟ ମାମଲାରେ କିଛି ତ୍ରୁଟି ରହିଛି । ଏଠାରେ ଧାରା ୩୪୧ (ଯାହାକି ଯାହା ସିଟ୍ ଉପରେ ସଂରକ୍ଷଣ ସମ୍ବନ୍ଧିତ) ସେସମ୍ପର୍କରେ ଭଲଭାବେ ବୁଝିବାର ଆବଶ୍ୟକତା ଅଛି । ଧାରା ୩୪୧ ଏବଂ ୩୪୨ ସଂରକ୍ଷଣ ପ୍ରସଙ୍ଗ ସହିତ ଜଡିତ ନୁହେଁ । କୋଟା ଭିତରେ କୋଟା ସମାନତା ବିରୋଧୀ ନୁହେଁ ବୋଲି ସୁପ୍ରିମ୍କୋର୍ଟ କହଛନ୍ତି । ଉପବର୍ଗୀକରଣ ଅନୁଚ୍ଛେଦ ୧୪ର ଉଲ୍ଲଂଘନ କରୁନାହିଁ । କାରଣ ଉପବର୍ଗୀକରଣକୁ ସୂଚୀ ବାହାରେ ରଖାଯାଇନାହିଁ । ଅନୁଚ୍ଛେଦ ୧୫ ଓ ୧୬ରେ ଏଭଳି କିଛି ନାହିଁ, ଯାହା ରାଜ୍ୟଗୁଡ଼ିକୁ ଜାତି ଭିତରେ ଉପବର୍ଗୀକରଣ କରିବାରୁ ରୋକିପାରିବ । ସୁତରାଂ ଉପବର୍ଗୀକରଣ ପାଇଁ ଅନୁମତି ଦିଆଯିବାରେ କୌଣସି ସମସ୍ୟା ନାହିଁ । ବର୍ଗଗୁଡ଼ିକ ମଧ୍ୟରୁ ଅନୁସୂଚିତ ଜାତିଗୁଡ଼ିକୁ ଚିହ୍ନଟ କରିବା ଲାଗି ବ୍ୟବହାର କରାଯାଉଥିବା ମାନଦଣ୍ଡରୁ ଜଣାପଡ଼ୁଛି ଯେ, ବର୍ଗଗୁଡ଼ିକ ମଧ୍ୟରେ ବିବିଧତା ରହିଛି ।
ଆଜିର ଏହି ପରିବର୍ତ୍ତିତ ରାୟ ସହ ଇଭି ଚିନ୍ନାୟା ବନାମ ଆନ୍ଧ୍ରପ୍ରଦେଶ ରୂପକ ଏହି ମାମଲାରେ ସୁପ୍ରିମକୋର୍ଟ ଦୀର୍ଘ ୧୯/୨୦ ବର୍ଷ ପୂର୍ବେ ଦେଇଥିବା ନିଜ ରାୟକୁ ମଧ୍ୟ ପରିବର୍ତ୍ତନ କରିଛନ୍ତି । ପୁରୁଣା ନିଷ୍ପତ୍ତିକୁ ଖାରଜ କରି ନୂଆ ରାୟ ଶୁଣାଇଛନ୍ତି ଖଣ୍ଡପୀଠ । ପ୍ରକାଶ ସେତେବେଳେ ସୁପ୍ରିମକୋର୍ଟ ନିଜ ରାୟରେ କହିଥିଲେ ଯେ, ଅନୁସୂଚୀତ ଜାତି ଏମିତିରେ ଏକ ବର୍ଗ ଯାହାକୁ ସଂରକ୍ଷଣ ବ୍ୟବସ୍ଥାରେ ସାମିଲ କରାଯାଇଛି । ଏଥିରେ ଜାତିଗତ ସଂରକ୍ଷଣ ଆଳରେ ଆଉ ଭାଗ ଭାଗ କରାଯାଇପାରିବନି ।