ଗଞ୍ଜାମ: ଗଞ୍ଜେଇ ହବ୍ ପାଲଟିଗଲାଣି ଗଞ୍ଜାମ । ଓଡ଼ିଶାରୁ ରାଜସ୍ଥାନ ପର୍ଯ୍ୟନ୍ତ ରାଜପଥରେ ହେଉଥିଲା କୋଟି କୋଟି ଟଙ୍କାର ଗଞ୍ଜେଇ କାରବାର । ପରଦା ପଛରୁ ଆନ୍ତଃରାଜ୍ୟ ଡ୍ରଗ୍ସ ସିଣ୍ଡିକେଟ୍ ଅପରେଟ୍ କରୁଥିଲେ । ଗଞ୍ଜେଇ କାରବାର ହେଉଥିବା ନେଇ ଏସ୍ଟିଏଫ୍ ସୁରାକ୍ ପାଇଥିଲା । ଯାହାପରେ ପୂରା ନେଟ୍ୱର୍କକୁ ଧ୍ୱଂସ କରିବା ପାଇଁ ଏସ୍ଟିଏଫ୍ ଡାଟା ଡ୍ରିଭେନ୍ ଟାର୍ଗେଟିଂ ଅଭିଯାନ ଆରମ୍ଭ କରିଥିଲା । ଏପ୍ରିଲ ୧୮ ତାରିଖରେ ଏସ୍ଟିଏଫ୍ ଖୋର୍ଦ୍ଧା ଜିଲ୍ଲା ଜଟଣୀ ନିକଟ ପିତାପଲ୍ଲୀ ଅଞ୍ଚଳରୁ ୨୨୭ କେଜି ୪୦୦ ଗ୍ରାମ ଗଞ୍ଜେଇ ଭର୍ତ୍ତି କଣ୍ଟେନର ଜବତ କରିଥିଲା । ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ରାଜସ୍ଥାନର ପାରସ ନାଥଙ୍କୁ ଗିରଫ କରାଯାଇଥିଲା । କିନ୍ତୁ ତଦନ୍ତ ସେଠାରେ ଅଟକି ନଥିଲା । ପୋଲିସ ଗୁଜରାଟ ଓ ରାଜସ୍ଥାନ ଯାଇ ସୁରାକ୍ ପାଇଥିଲା । ଓଡ଼ିଶାରୁ ମିଳିଥିବା ପ୍ରମାଣ, ଟେକ୍ନିକାଲ ଆନାଲିସିସ ଏବଂ ଫିଲ୍ଡ ଇଣ୍ଟେଲିଜେନ୍ସ ଆଧାରରେ ଏସ୍ଟିଏଫ୍ ଟିମ୍ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଗଞ୍ଜାମର ଶିବରାମ ବିଶ୍ୱାଳ, ଶିବରାମ ପାତ୍ର ଓ କଣା ମିଟୁ ଓରଫ ମନୋରଞ୍ଜନ ସାବତଙ୍କୁ ଗିରଫ କରିଥିଲା । ତଦନ୍ତ ବେଳେ ଶିବରାମ ବିଶ୍ୱାଳଙ୍କ ଘରୁ ୩ ଲକ୍ଷ ୮୬ ହଜାର ନଗଦ ଟଙ୍କା, ମୋବାଇଲ ଫୋନ ଓ ଅନ୍ୟାନ୍ୟ ଦସ୍ତାବିଜ ଜବତ ହୋଇଛ । ତେବେ ଏହି ଟଙ୍କା ଡ୍ରଗ୍ସ କାରବାରର ଆୟ ଥିଲା କି ଏହା ପଛରେ ଆଉ କିଛି ଅପରାଧିକ ମାମଲା ଜଡ଼ିତ ଅଛି, ତାହାର ଖୋଳତାଡ଼ କରୁଛି ଟିମ୍ ।










