ଭଞ୍ଜନଗର : ପୁଅ ବଡ଼ ହେଲେ ବାପାର ସ୍ୱପ୍ନକୁ ପୂରଣ କରିବ। ପରିଣତ ବୟସରେ ନିଜର ହାତରେ ହାତ ମିଶାଇ ବୁଢା ବାର ସାଥ୍ ଦେବ। ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ, ଦିନେ ଯେଉଁ ବାପା ନିଜେ ଦୁଃଖ, କଷ୍ଟ ସହି ତାର ପିଲାଟିକୁ ବଡ କରିଥାଏ, ଆଜି ସେଇ ପିଲା ବଡ଼ ହେବା ପରେ ଅମଣିଷ ପାଲଟିଯାଇଛି। ଜନ୍ମ କଲା ବାପାକୁ ପ୍ରତିଶୋଧ ପରାୟଣ ହୋଇ ପୁଅ ହତ୍ୟା କରିଛି। ବାପାକୁ ହତ୍ୟା କରି କୂଅରେ ପକାଇ ଦେଇଛି ପୁଅ। ଏଭଳି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳରୁ ।
ସୂଚନା ଅନୁଯାୟୀ, ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଜିରାବାଡି ଗାଁରେ ବୁଲୁ ସାହୁ ନାମକ ବ୍ୟକ୍ତି ଜଣକର ମୃତଦେହ ଏକ କୂଅରୁ ହାତ ବନ୍ଧା ଅବସ୍ଥାରେ ଉଦ୍ଧାର ହୋଇଛି। ପରିବାର ଲୋକେ ତାକୁ ହତ୍ୟା କରିବା ପରେ ହାତକୁ ବାନ୍ଧି କୂଅରେ ପକାଇ ଦେଇଥିବା ସନ୍ଦେହ କରୁଛି ପୋଲିସ। ଘରେ ପାରିବାରିକ କଳହକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।
ବୁଲୁ ସାହୁ କୂଅରେ ପଡିଯାଇଥିବା ନେଇ ତାଙ୍କ ପୁଅ ଅଗ୍ନିଶମବାହିନୀକୁ ଖବର ଦେଇଥିଲେ। ମୃତଦେହ ଉଦ୍ଧାରବେଳେ ହାତ ବନ୍ଧା ହୋଇଥିବାରୁ ପୋଲିସକୁ ଖବର ଦେଇଥିଲା ଅଗ୍ନିଶମବାହିନୀ। ଘଟଣାରେ ମୃତକଙ୍କ ଦୁଇ ପୁଅକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ। ମୃତଦେହକୁ ଭଞ୍ଜନଗର ମେଡିକାଲକୁ ବ୍ୟବଛେଦ ପାଇଁ ପଠାଯାଇଛି। ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ।