ଶଶୁର ଘରେ ଜ୍ୱାଇଁର ଉନ୍ମତ୍ତକାଣ୍ଡ

ଭଞ୍ଜନଗର : ୨ବର୍ଷର ପୁଅର ମୋହରେ ଏବେ ଉଭୟ ବାପା ଓ ମାଆ ଅନ୍ଧ । ପୁଅକୁ ପାଇବାକୁ ଉଭୟଙ୍କ ମଧ୍ୟରେ କଳିଗୋଳ ଲାଗିରହିଛି । ପ୍ରେମ ସଂପର୍କରୁ ବିବାହର କିଛି ବର୍ଷ ପରେ ଆରମ୍ଭ ହୋଇଥିଲା ପାରିବାରିକ ଝଗଡା । ଆଉ ଏବେ ଏହା ଚରମସୀମାରେ ପହଞ୍ôଚଛି । ପୁଅ ପାଇଁ ଶଶୁର ଘରେ ଗଣ୍ଡଗୋଳ କରି ଏବେ ଜଣେ ଯୁବକ ଭଞ୍ଜନଗର ଥାନାରେ ଅଟକ ରହିଛି । ଏଭଳି ଏକ ଘଟଣା ଭଞ୍ଜନଗର ଥାନା ଅନ୍ତର୍ଗତ ଭେଜିପୁଟ ଗ୍ରାମ ସାନ ଖଦାଳ ସାହିରେ ଘଟିଛି । ଏହି ସାହିର ଭଗବାନ ନାୟକଙ୍କ ଝିଅ ଟିକିନା ନାୟକ ସହ ସମରବନ୍ଧ ନାରାୟଣପଲ୍ଲୀର ପୁରସ୍ତମ ନାୟକଙ୍କ ପୁଅ ଜିତୁ ନାୟକଙ୍କ ମଧ୍ୟରେ ପ୍ରଥମେ ପ୍ରେମ ଓ ପରେ ଏହା ବିବାହରେ ପରିଣତ ହୋଇଥିଲା । ପରେ ଏମାନଙ୍କର ଏକ ଶିଶୁପୁତ୍ର ଜନ୍ମ ହୋଇଥିଲା । ତେବେ ବିବାହର କିଛି ବର୍ଷପରେ ଉଭୟଙ୍କ ମଧ୍ୟରେ ପ୍ରାୟତଃ ଝଗଡା ଲାଗିରହୁଥିବାରୁ ଶେଷରେ ବାଧ୍ୟ ହୋଇ ଟିକିନା ସ୍ୱାମୀ ଘର ଛାଡି ତାର ବାପଘର ଭେଜିପୁଟ ଗ୍ରାମକୁ ଫେରି ଆସିଥିଲା । ଏବେ ଟିକିନା ବାପଘରେ ରହୁଥିବା ବେଳେ ପୁଅ ବଡ ହୋଇ ୨ବର୍ଷର ହୋଇଗଲାଣି । ଆଉ ଜିତୁ ନିଜ ପୁଅର ପ୍ରେମରେ ଅନ୍ଧ ହୋଇ ପୁଅକୁ ତାର ମାଆ ଠାରୁ ଅଲଗା କରି ନେଇଯିବାକୁ ଶଶୁର ଘରେ ପହଞ୍ôଚ ତାଣ୍ଡବ ଆରମ୍ଭ କରିଥିଲା । ଶଶୁର ଘରର ସମସ୍ତଙ୍କୁ ମାରପିଟ କରିବା ସହ ସହ ପୁଅକୁ ନେଇଯିବାକୁ ଉଦ୍ୟମ କରୁଥିବା ବେଳେ ଟିକିନା ପକ୍ଷରୁ ଥାନାରେ ଏନେଇ ତୁରନ୍ତ ସୁଚନା ଦିଆଯାଇଥିଲା । ପୁଲିସ ପହଞ୍ôଚ ଜିତୁକୁ ଥାନାକୁ ଧରି ନେଇ ଅଟକ ରଖିବାସହ ଘଟଣାର ଛାନଭିନ୍ ଆରମ୍ଭ କରିଛି । ତେବେ ରିପୋର୍ଟ ଲେଖାଯିବା ସୁଦ୍ଧା ଏସଂପର୍କରେ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସୁଚନା ଦେଇଛନ୍ତି ।