କାଶତଣ୍ଡି : ଅରବିନ୍ଦଦାସ

କାଶତଣ୍ଡି ଫୁଲ କାଳେ ରଙ୍ଗୀନ !!!
ପିଲାବେଳେ ରଘୁ କଥା ଶୁଣି ହସୁଥିଲା ଲିଲି।
-କାଶତଣ୍ଡି ଫୁଲ ତ ଧଳା,ରଙ୍ଗୀନ କେମିତି ହେଲା ?”
ଆଖିକୁ ବଡ଼ ବଡ଼ କରି ରଘୁ ଯୁକ୍ତି କରେ,
– ବିଜ୍ଞାନ ସାର ପରା କ୍ଲାସରେ କହିଥିଲେ, ସାତ ରଙ୍ଗ ମିଶିଲେ ଧଳା ରଙ୍ଗ ହୁଏ।ଆମକୁ ଥରେ ଦେଖାଇ ଥିଲେ ପରୀକ୍ଷା କରି।ଗୋଟେ ଗୋଲ ପଟିରେ ସାତ ରଙ୍ଗ ବୋଳି,ତାକୁ ଜୋରରେ ଘୁରାଇ ଥିଲେ:ଆଖି ଛୁଉଁଛି ,ସେ ରଙ୍ଗୀନ ପଟି ଧଳା ଦିଶିଲା।ଏଇ କାଶତଣ୍ଡି ରେ ବି ସବୁ ରଙ୍ଗ ମିଶିଛି।”
– କାଇଁ ମୋତେ ତ ଦିଶୁନି ରଙ୍ଗୀନ କାଶତଣ୍ଡି।”
ନଈ ପଠା କୁ ଅନାଇ କୁହେ ଲିଲି।
ଆଶ୍ଵିନମାସ ପୂର୍ବରୁ ଗାଁମୁଣ୍ଡ ନଈ ପଠାରେ ଭର୍ତ୍ତି ହୋଇଥିବା କାଶତଣ୍ଡି ଫୁଲ ସବୁକୁ ଦେଖିଲେ ଲାଗେ ସତେ ଯେମିତି ଧଳା ଚାଦର ରେ କିଏ ଘୋଡାଇ ଦେଇଛି।
ସଫା ଆକାଶରେ ଭାସିଯାଉଥିବା ଫର୍ଦ ଫର୍ଦ ଧଳା ମେଘ,ନଈ ପଠାର କାଶତଣ୍ଡି ଫୁଲ , ନଈକୂଳରେ ମାଛ ଅପେକ୍ଷାରେ ଚୁପ କିନା ବସିଥିବା କାଣ୍ଟି ବଗ ଦଳ,ସନ୍ଧ୍ୟା ସମୟରେ ଉଇଁ ଆସୁଥିବା ତୋଫା ଜହ୍ନ ; ଏ ସମସ୍ତଙ୍କ ଧଳା ରଙ୍ଗ ଏକ ଅଦ୍ଭୁତ ସମ୍ମିଶ୍ରଣ ସୃଷ୍ଟିକରେ।
ନଈ ବନ୍ଧରେ ଠିଆ ହୋଇ ରଘୁ ,ଲିଲିକୁ କୁହେ,
– ମା ଦୁର୍ଗା ଧଳା ଶାଢ଼ୀ ପିନ୍ଧି ଏଥର ଆସୁଛନ୍ତି।’
-ଚୋପ, ମା ଦୁର୍ଗା ରଙ୍ଗୀନ ଶାଢ଼ୀ ପିନ୍ଧନ୍ତି।ଧଳା ଶାଢ଼ୀ ନୁହେଁ।କେବେ ଆମ ଗାଁ ଦୁର୍ଗା ମେଢ଼ରେ ଠାକୁରାଣୀମୂର୍ତ୍ତି ଧଳା ଲୁଗା ପିନ୍ଧିବାର ଦେଖିଛୁ ?
ସବୁବେଳେ ପ୍ରାୟ ଲାଲ ରଙ୍ଗର ଶାଢୀ ପିନ୍ଧାଏ କାରିଗର।ମୋ ଜେଜେମା, ତୋ ଜେଜେମା ଧଳା ଲୁଗା ପିନ୍ଧନ୍ତି;ବିଧବା ବୋଲି।ଧଳା ହେଉଛି ରଙ୍ଗହୀନ,ଏଇ କାଶତଣ୍ଡି ଭଳି।ଲାଲ ରଙ୍ଗର ହୋଇଥିଲେ କେତେ ଭଲ ହୋଇଥାନ୍ତା ?
ଚିନ୍ତା କରି ରଘୁ କହେ,
– ସରସ୍ୱତୀ ଧଳା ପିନ୍ଧନ୍ତି।ସରସ୍ବତୀ ତ ବିଧବା ନୁହଁନ୍ତି।ମନ ଖୁସି ଥିଲେ ଦୁନିଆ ରଙ୍ଗୀନ ଦିଶେ।କାଶ ତଣ୍ଡି ବି।ଆଉ ହେଇ ଦେଖ, ଲାଲରଙ୍ଗର କାଶତଣ୍ଡି ।”
କହି ରଘୁ, ବୁଲାବିକାଳିଠୁ କିଣିଥିବା ରବର ବ୍ୟାଣ୍ଡ ଲାଗିଥିବା, ଲାଲ ଜରି ଵାଲା ଖେଳନା ଚଷମା ଲିଲି ଆଖିରେ ପିନ୍ଧାଇ ଦିଏ।
ନଈବାଲିରେ ଦୌଡ଼ିଯାଇ ରଘୁ ଗୋଟାଏ ପେନ୍ଥା କାଶ ତଣ୍ଡି ଫୁଲ ଛିଣ୍ଡାଇ ଆଣି ଲିଲି ମୁଣ୍ଡରେ ଖୋସିଦେଇ କୁହେ,
– ତୁ ପୁରା ଅପସରା ଭଳି ଦିଶୁଛୁ।”
ଲାଜ ଲାଜ ହସ ହସେ ଲିଲି।ସତକୁ ସତ ଜରି ଚଷମାରେ ଚାରିଆଡ଼ ଲାଲ ଦିଶେ।କାଶତଣ୍ଡି ବି।
ଧୀର ମନ୍ଦ ପବନରେ ମୁଣ୍ଡ ହଲାଇ ନାଚୁଥାନ୍ତି ଫୁଲ ସବୁ।
ସାଙ୍ଗସାଥି ମିଶି ରାଜା,ରାଣୀ ଖେଳ ଖେଳନ୍ତି।ଲିଲି ରାଜ କୁମାରୀ ହୁଏ।କାଶତଣ୍ଡିଫୁଲ ଗହଣାରେ ସଜେଇ ହୋଇ ସ୍ଵୟମ୍ବର ପାଇଁ ପ୍ରସ୍ତୁତ ହୁଏ।ରାଜକୁମାର ସାଜିଥିବା ପୁଅଙ୍କ ଭିତରେ କେବେ କୁସ୍ତି ତ କେବେ ପହଁରା ପ୍ରତିଯୋଗିତା ହୁଏ।ସବୁବେଳେ ରଘୁ ହିଁ ଜିତେ ଓ ମିଛିମିଛିକା ବାହାଘର ହୁଏ ସେମାନଙ୍କର।
– ହଇରେ,ରଘୁ,ବଡ଼ ହେଲାପରେ,ଚାକିରୀ କଲାପରେ ତୁ ସତରେ ଲିଲିକୁ ବାହାହେବୁ ?”ସାଙ୍ଗମାନେ ପଚାରନ୍ତି।
– ହଁ,ମୁଁ ଲିଲିକୁ ବାହାହେବି।”ବଡ଼ ପାଟିରେ ଘୋଷଣା କଲା ଭଳି କୁହେ ରଘୁ।
ସେଇ ନଈ ପଠାରେ ଫୁଲ ଶେଯରେ ବାସର ରାତି।
ଫେଁ ଫେଁ ହୋଇ ହସନ୍ତି ସାଙ୍ଗ ଝିଅମାନେ।କୁଆଡେ ଗଲା ସେ ପିଲାଦିନ !ସ୍କୁଲ,କଲେଜ ପାଠ ସରି ସେମାନେ କେତେଶୀଘ୍ର ବଡ଼ ହୋଇଗଲେ ?
ଫୋନ ଶବ୍ଦରେ ଭାବନା ରାଜ୍ୟରୁ ଫେରି ଆସିଲା ଲିଲି।ବୋଉ ର ଫୋନ,
– ତୁ କୁଆଡେ ଗଲୁ କି ? ବନ ଦାଦାଙ୍କ ଘରୁ କନିଆଖିଆ ଡ଼କରା ଆସିଲାଣି।”
– ମୁଁ ଟିକେ ଠାକୁରାଣୀ ମନ୍ଦିର ଆସିଛି।ମୁଣ୍ଡିଆ ମାରି ଯାଉଛି।”
ଦୁଇଦିନ ପରେ ତା ବାହାଘର।ଏ ଗାଁ,ସାଙ୍ଗ ସାଥୀ ଆଉ ରଘୁ ସମସ୍ତେ ପର ହୋଇଯିବେ।ଶେଷଥର ପାଇଁ ରଘୁ ସହ ଦେଖା କରିବାକୁ ଆସିଛି ସେ ନଈପଠାକୁ।ଖରାଦିନ ବୋଲି କାଶତଣ୍ଡି ଫୁଲ କିଛି ନଥିଲା।ସାଇକେଲ ଥୋଇ ରଘୁ ପାଖକୁ ଆସିଲା।
ଅନ୍ଧାର ଭିତରେ ଦୁହେଁ ପାଖା ପାଖି ବସିଲେ।
– ଦୁଇ ଦିନ ପରେ ମୁଁ ବାହାହୋଇ ଚାଲିଯିବି।ଚାକିରୀ ବାକିରି ତୁ କଲୁନି।ଘର ଛାଡ଼ି ପଳାଇବା ପାଇଁ ତୁ କହୁଥିଲୁ।ଖାଲି ପ୍ରେମକୁ ନେଇ କଣ ସାରାଜୀବନ ବଞ୍ଚିହୁଏ ?ମୋତେ ସବୁଦିନ ପାଇଁ ଭୁଲିଯିବୁ ।”ଧୀର ସ୍ୱରରେ କହିଲା ଲିଲି।
– ମୋର, ସେନାବାହିନୀରେ ସିଲେକସନ ହୋଇଯାଇଛି।ମୁଁ ବି ଗାଁ ଛାଡି ଚାଲିଯିବି।”
ଚମକି ପଡି ଲିଲି ପଚାରିଲା,
– କିନ୍ତୁ ତୁ ତ କହୁଥିଲୁ ଜୀବନକୁ ବିପଦ ବୋଲି ମିଲିଟାରୀରେ ଯିବାକୁ ତମ ଘରେ ରାଜି ହେଉନଥିଲେ ବୋଲି ?ତା ଛଡା ତୁ ନିଜେ ତ ସେନାରେ ଭର୍ତ୍ତି ହେବାକୁ ଚାହୁଁ ନଥିଲୁ।”
-ମିଲିଟାରୀ ରେ ଲାଇଫ ରିସ୍କ ଅଧିକ। ବୋଧେ ମୁଁ ଭୀରୁ ଥିଲି। ଡରୁଥିଲି ମୁଁ ମରିଗଲେ କାଳେ ତୋତେ ବାହା ହୋଇ ପାରିବିନି ଅଥବା ବାହାହେଲା ପରେ ଯଦି ମରିଯାଏ,ତେବେ ତୁ କାଳେ କାଶତ ଣ୍ଡି ଭଳି ଦିଶିବୁ।ତେବେ ଛାଡ଼, ଆଉ ଜୀବନ କଣ ?ସବୁ ମୋହ ତୁଟି ଗଲା।ବର୍ଡ଼ରରେ କେବେ ମରିଗଲେ ଗଲା।ଲାଇଫ ର ଦି ଏଣ୍ଡ।ତୁ ବି ମୋତେ ଭୁଲିଯିବୁ।
ତା କପାଳ ରେ ଗୋଟେ ସରୁ ଚମ୍ବନ ଆଙ୍କିଦେଇ ଯିବା ଆଗରୁ ରଘୁ କହିଲା,
– ତୋ ମୁଣ୍ଡରେ ସିନ୍ଦୁର ପିନ୍ଧାଇ ପାରିଥିଲେ,ହୁଏତ କାଶ ତଣ୍ଡି ଫୁଲ ସବୁ ରଙ୍ଗୀନ ହୋଇଥାନ୍ତେ।ମୋ ଦୁ ର୍ଭାଗ୍ୟ, ଏବର୍ଷ ଆଶ୍ଵିନ ରେ ଧଳା କାଶ ତଣ୍ଡି ଫୁଟିବ ଆମ ନଈ ପଠାରେ।” କରୁଣ ଶୁଭୁଥିଲା ରଘୁର ସ୍ୱର।
ଲିଲି କାନ୍ଦୁଥିଲା।
ଦୁଇଦିନ ପରେ ବାହାହୋଇ ବିଦା ହେଲାବେଳେ ବି ଲିଲି କାନ୍ଦୁଥିଲା।
*************************************
ଆଶ୍ଵିନ ଆସିଥିଲା।ନଈ ପଠାକୁ ପୁଣି ଫେରିଥିଲା କାଶତଣ୍ଡି।
ଲିଲି ଫେରିଥିଲା ବାପ ଘରକୁ ;ଧଳା ଶାଢ଼ୀ ପିନ୍ଧି ।
ବାହାଘର ର ଦେଢ଼ମାସ ପରେ ରୋଡ଼ଆକ୍ସିଡେଣ୍ଟ ରେ ସ୍ବାମୀଙ୍କ ମୃତ୍ୟ।
ଲିଲି ଚୁପ ଚାପ ଅନାଇଥିଲା ପବନରେ ମୁଣ୍ଡ ହଲାଇ ନାଚୁ ଥିବା କାଶତଣ୍ଡି କୁ।ଚାରି ଆଡେ ଧଳା ରଙ୍ଗ ଯେମିତି ନେସି ହୋଇଯାଇଛି।ସେ ନିଜେ ଯେମିତି କାଶତଣ୍ଡି ଫୁଲ ବନି ଯାଇଥିଲା।
ଆଜି ଭାରି ମନେ ପଡୁଥିଲା ରଘୁ କଥା।କାଶତଣ୍ଡି ଫୁଲ ସବୁ ରଙ୍ଗୀନ ହୋଇ ଯାଆନ୍ତେନି !
ରଘୁ ଫୋନ କରିଥିଲା।ବର୍ଡ଼ରରେ ତାର ପୋଷ୍ଟିଂଗ।ସେଠି କାଶତଣ୍ଡି ଫୁଲ ଫୁଟେନା।ଚାରିଆଡେ ବରଫ।ଧଳା ରଙ୍ଗର ଆସ୍ତରଣ।ଠିକ କାଶ ତଣ୍ଡି ଫୁଲ ଭଳି।ନୂଆ ଚାକିରୀ, ଛୁଟି ଏବେ ମିଳିବନି।ବର୍ଷେ ପରେ ସେ ଗାଁ କୁ ଫେରିବ।ଲିଲି କୁ ବ୍ୟସ୍ତ ନହେବାକୁ କହିଛି।
ଲିଲି ଏବେ ଘରେ ଧଳା ବଦଳରେ ହାଲକା ପ୍ରିଣ୍ଟ ଵାଲା ଶାଢ଼ୀ ପିନ୍ଧୁଛି।ବାପା ତା ପାଇଁ ବାହାଘର ପ୍ରସ୍ତାବ ଖୋଜୁଛନ୍ତି।ଝିଅ ଚିନ୍ତା ତାଙ୍କୁ ଘାରୁଛି।
ଲିଲି ଅପେକ୍ଷା କରିଛି କାଶତଣ୍ଡି ଫୁଲର ଆଗାମୀ ଋତୁ କୁ ;ଶରତ ର ଆସିବା ବାଟକୁ।ରଘୁ’ର ଫେରିବା ବାଟକୁ।ଫୋନର କହିଛି, ଗାଁ ମନ୍ଦିରରେ ବାହାଘର ସାରିଦେବା ପାଇଁ।ବାପା,ବୋଉ ଖୁସି।ରଘୁ ଘରେ ରାଜି ହେଉ ନଥିଲେ।ଜିଦି କରି ରଘୁ ସେମାନଙ୍କୁ ରାଜି କରାଇଛି।
ଲିଲି ମୁହଁରେ ହସ ଫେରିଛି।ନଈ ପଠାରେ କାଶତଣ୍ଡି ଫେରିଛି।ରଙ୍ଗୀନ ଦିଶୁଛନ୍ତି ଏବେ ସେମାନେ ଲିଲି ଆଖିକୁ।
ହଠାତ ସେଇ ଦୁଃସମ୍ବାଦ……
ରଘୁ ର ବଙ୍କର ପାଖରେ ଶତ୍ରୁପକ୍ଷର ଗୋଳା ପଡିଛି।ବିସ୍ଫୋରଣରେ କିଛି ସୈନିକଙ୍କ ମୃତ୍ୟୁ।ରଘୁ ଫୋନ ସୁଇଚ ଅଫ ଆସୁଥିଲା।
ଟିଭିରେ ଖବର ଦେଖାଉଥିଲା।ମୃତ ସୈନିକମାନଙ୍କ ଶରୀର କାଠ ବାକ୍ସରେ ବନ୍ଦ ହୋଇ ଫେରୁଥିଲା।
ଅଣନିଶ୍ବାସୀ ହୋଇ ଯାଉଥିଲା ଲିଲି।ରଘୁ ଘର ଲୋକେ କହୁଥିଲେ,
– ଲିଲି ଟା ଅଲକ୍ଷଣୀ।ବିଧବା ଯୋଗ ନେଇ ସେ ଜନ୍ମ ହୋଇଛି।ରଙ୍ଗୀନ ଶାଢ଼ୀ ତା ଭାଗ୍ୟରେ ନାହିଁ।”
କାନ୍ଦୁଥିଲା ଲିଲି।ତାକୁ ଲାଗୁଥିଲା ସତେ ଯେମିତି ସେ କାଶତଣ୍ଡି ଫୁଲ ବନି ଯାଇଛି,ସବୁଦିନ ପାଇଁ।
ଗାଁ ଦାଣ୍ଡରେ ସେଦିନ ବହୁତ ଭିଡ଼।ରଘୁ ଫେରିଥିଲା ଗାଁକୁ।
ସେଇ ବିସ୍ଫୋରଣ ରେ ଆହତ ହୋଇ ମାସେ ଚିକିତ୍ସା ହେଲାପରେ ସୁସ୍ଥ ହୋଇ ଫେରିଛି।
ନଈ ପଠାରେ ଲିଲିର ହାତ ଧରି ବସିଥିଲା ରଘୁ।
– ପିଲାବେଳେ ଆମ ମିଛି ମିଛିକା ବାହାଘର ଆଉ ଏ
କାଶତଣ୍ଡି ଫୁଲ ମନେ ଅଛି ?ତୁ ମୋ ଆଖିରେ ଜରି ଚଷମା ଲଗାଇଦେଉଥିଲୁ।”ଲିଲି କହୁଥିଲା।
ଲିଲି ମଥାରେ ଗୋଟେ ଲାଲ ବିନ୍ଦି ଲଗାଇ ଦେଇ ରଘୁ କହିଲା,
– ମୁଁ କହୁନଥିଲି କାଶତଣ୍ଡି ରଙ୍ଗୀନ ବୋଲି ?”
ଆଶ୍ଚର୍ଯ୍ୟ ହୋଇ ଲିଲି ଅନାଇଲା ରଘୁକୁ ।ରଘୁ ମୁହଁରେ ଏକ ଆଶ୍ୱାସନା ର ହସ।
ଲିଲିକୁ ଲାଗିଲା ସତକୁ ସତ କାଶତଣ୍ଡି ଫୁଲ ଗୁଡାକ ଆଜି ରଙ୍ଗୀନ ହୋଇ ଯାଉଛନ୍ତି।
(©ଅରବିନ୍ଦଦାସ)

LEAVE A REPLY

Please enter your comment!
Please enter your name here