33.1 C
Bhubaneswar
Tuesday, April 30, 2024
Homeଓଡିଶା୮୫ ବର୍ଷରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ଭୋଟର ଘରେ ରହି କରିପାରିବେ ମତଦାନ

୮୫ ବର୍ଷରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ଭୋଟର ଘରେ ରହି କରିପାରିବେ ମତଦାନ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ ୮୫ ବର୍ଷ ବୟସରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗ ଭୋଟରମାନଙ୍କୁ ନିଜ ଘରେ ରହି ଭୋଟଦେବା ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି । ଏଥି ସହ ଶତାୟୁ ଭୋଟରମାନଙ୍କୁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସ୍ୱତନ୍ତ୍ର ଭାବେ ନିମନ୍ତ୍ରଣ ପତ୍ର ପଠାଯାଇ ମତଦାନ କରିବାକୁ ପ୍ରୋତ୍ସାହିତ କରାଯାଇଛି । ଏହି ମର୍ମରେ ୧୧୨-ଭୁବନେଶ୍ୱର (ମଧ୍ୟ) ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୟୁନିଟ୍‌-୪ସ୍ଥିତ ଶତାୟୁ ଭୋଟର ଶ୍ରୀ ବ୍ରଜମୋହନ ଚକ୍ରବର୍ତ୍ତୀଙ୍କୁ ଏହି ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଇଛି । ଉକ୍ତ ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣି ଅଫିସର ତଥା ଅତିରିକ୍ତ ଜିଲ୍ଲାପାଳ, ଖୋର୍ଦ୍ଧା ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା ଆଜି ସକାଳେ ଶ୍ରୀ ଚକ୍ରବର୍ତ୍ତୀଙ୍କୁ ସମ୍ବର୍ଦ୍ଧିତ କରିବା ସହ ଏହି ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି ।

ଅନୁରୂପ ଭାବରେ ୧୧୪- ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଜେବି ନଗରରେ ରହୁଥିବା ଶତାୟୁ ଭୋଟର ଶ୍ରୀ ଶଶିଧର ମିଶ୍ରଙ୍କୁ ମଧ୍ୟ ଏହି ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଇଛି । ଭୁବନେଶ୍ୱର ଉପଜିଲ୍ଲାପାଳ ତଥା ଉକ୍ତ ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣି ଅଫିସର ଶ୍ରୀ ଚିନ୍ମୟ ଆଚାର୍ଯ୍ୟ ଶ୍ରୀ ମିଶ୍ରଙ୍କୁ ତାଙ୍କ ବାସଭବନରେ ସମ୍ବର୍ଦ୍ଧିତ କରିବା ସହ ଏହି ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି । ସେହିଭଳି ଜିଲ୍ଲାରେ ଭୁବନେଶ୍ୱର (ମଧ୍ୟ), ଭୁବନେଶ୍ୱର (ଉତ୍ତର), ଭୁବନେଶ୍ୱର ଏକାମ୍ର, ଜୟଦେବ, ଜଟଣୀ, ବେଗୁନିଆ, ଖୋର୍ଦ୍ଧା ଓ ଚିଲିକା ଆଦି ୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ୫୦୪ ଜଣ ଶତାୟୁ ଭୋଟରଙ୍କୁ ଏହି ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଇଛି ।

ସେମାନଙ୍କ ମଧ୍ୟରେ ୨୬୩ ଜଣ ପୁରୁଷ ଭୋଟର ଥିବାବେଳେ ୨୪୧ ଜଣ ମହିଳା ଶତାୟୁ ଭୋଟର ଅଛନ୍ତି । ସେହିଭଳି ୮୫ରୁ ୧୦୦ ବର୍ଷ ବୟସ ବର୍ଗରେ ୧୭ ହଜାର ୫୩୨ ଜଣ ଭୋଟରଙ୍କୁ ଘରେ ରହି ଭୋଟ ଦେବା ପାଇଁ ଫର୍ମ-୧୨ (ଡି) ପ୍ରଦାନ କରାଯାଉଛି । ସେମାନଙ୍କ ମଧ୍ୟରେ ୯ ହଜାର ୪୮୬ ଜଣ ପୁରୁଷ ଓ ୮ ହଜାର ୪୫ ଜଣ ମହିଳାଙ୍କ ସମେତ ଜଣେ ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି । ସେହିଭଳି ଜିଲ୍ଲାର ୩୨ ହଜାର ୬ ଜଣ ଦିବ୍ୟାଙ୍ଗ ଭୋଟରଙ୍କୁ ମଧ୍ୟ ଘରେ ରହି ଭୋଟ ଅଧିକାର ସାବ୍ୟସ୍ତ କରିବା ନିମନ୍ତେ ଫର୍ମ-୧୨ (ଡି) ପ୍ରଦାନ କରାଯାଉଛି । ସେମାନଙ୍କ ମଧ୍ୟରେ ୧୯ ହଜାର ୨୧୮ ଜଣ ପୁରୁଷ, ୧୨ ହଜାର ୭୮୭ ଜଣ ମହିଳା ଓ ଜଣେ ତୃତୀୟ ଲିଙ୍ଗୀ ଭୋଟର ଅଛନ୍ତି । ଉକ୍ତ ଭୋଟରମାନେ ସେମାନଙ୍କ ଇଚ୍ଛା ମୁତାବକ ଘରେ ରହି ନିଜର ମତାଧିକାର ସାବ୍ୟସ୍ତ କରିପାରିବେ କିମ୍ବା ମତଦାନ କେନ୍ଦ୍ରକୁ ଯାଇ ଭୋଟ ଦେଇପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking