ପ୍ରୟାଗରାଜ: ମହାକୁମ୍ଭରେ ଆସ୍ଥା ଉପରେ ଭାରିପଡିଛି ଶିକ୍ଷା । ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ, ଗାଡି ମୋଟର ବାବାଜୀ ଓ ମାତାଜୀଙ୍କ ସମାଗମକୁ ନଜରରେ ରଖି ଉତ୍ତରପ୍ରଦେଶ ପ୍ରଶାସନ ବଡ଼ ନିଷ୍ପତ୍ତି ନେଇଛି । ଘଣ୍ଟ ଘଣ୍ଟା, ଝାଞ୍ଜ ମୃଦଙ୍ଗ ଓ ଶ୍ରଦ୍ଧାଳୁଙ୍କ ଗମନା ଗମନକୁ ନଜରରେ ରଖି ପ୍ରଶାସନ ସ୍ଥାନୀୟ ଅଞ୍ଚଳରେ ଥିବା ସମସ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛି । ଚଳିତମାସ ୨୦ ତାରିଖ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବ । ଯଦି ଭିଡ କମେ ତେବେ ୨୧ ତାରିଖରୁ ସ୍କୁଲ ଖୋଲିବ । ଏହି ବନ୍ଦ ସମୟରେ ପିଲାମାନେ ଅନଲାଇନ ମାଧ୍ୟମରେ ପଢିପାରିବେ ବୋଲି ପ୍ରଶାସନ ସୂଚନା ଦେଇଛି । ସେପଟେ ମହାକୁମ୍ଭରେ ସାମିଲ ହେବାକୁ ପ୍ରୟାଗରାଜ ଆସୁଥିବା ଶ୍ରଦ୍ଧାଳୁଙ୍କୁ ପୁଣି ଭିଡର ସାମ୍ନା କରିବାକୁ ପଡୁଛି । ପ୍ରୟାଗରାଜର ଟ୍ରାଫିକ ବ୍ୟବସ୍ଥା ଏବେ ଅସହାୟ ହୋଇପଡିଛି । ଆଜି ପୁରା ପ୍ରୟାଗରାଜ ଜନସମୁଦ୍ର ହୋଇପଡିଛି । ଆଖି ପାଉନଥିବା ଦୂର ପର୍ଯ୍ୟନ୍ତ ଗାଡି ଗୁଡିକ ଆଗକୁ ଯାଇ ନପାରି ଫସି ରହିଛି । ଭିଡ କାରଣରୁ ୧୫ ମିନିଟର ରାସ୍ତା ପାରି ହେବାକୁ ୨ ରୁ ୩ ଘଣ୍ଟା ସମୟ ଲାଗୁଛି । ଅନ୍ୟପଟେ କିଛିଦିନ ତଳେ ପ୍ରୟାଗରାଜରେ ଦଳଚକଟା ହୋଇ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିଲା । କେତେ ଲୋକଙ୍କ ମୃତ୍ୟୁ ହୋଇଛି, କେତେ ଲୋକ ଆହାତ ହୋଇଛନ୍ତି ତାର ସଠିକ ତଥ୍ୟ ସରକାରଙ୍କ ତରଫରୁ ପ୍ରଦାନ କରାଯାଇନାହିଁ । ଏହାସହ ଗତକାଲି ରାତିରେ ପ୍ରୟାଗରାଜ ଯିବାକୁ ଦିଲ୍ଲୀ ରେଳ ଷ୍ଟେସନରେ ଏତେ ଭିଡ ଲାଗିଥିଲା କି, ଦଳାଚକଟାରେ ୧୮ ଜଣଙ୍କ ଜୀବନ ଯାଇଛି । ଏହାସହ ଅନେକ ଲୋକ ଗୁରୁତ୍ୱର ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଉତ୍ତରପ୍ରଦେଶ ସରକାର ମହାକୁମ୍ଭର ଆୟୋଜନ କରି ଯେଉଁ ଶ୍ରେୟ ନେବାକୁ ଚାହୁଁଥିଲେ ତାହା ପ୍ରୟାଗରାଜ ଦଳଚକଟା ଓ ଦିଲ୍ଲୀ ଦଳଚକଟା ପରେ ସରକାରଙ୍କ ଆୟୋଜନର ତ୍ରୁଟିକୁ ପଦାରେ ପକାଇଛି । ଏହାସହ ଧାର୍ମିକ ମେଳା ପାଇଁ ଶିକ୍ଷାନୁଷ୍ଠାନକୁ ୫ ଦିନ ବନ୍ଦ ରଖିବା ଏକ ବିକଶିତ ରାଷ୍ଟ୍ରର ଶାସକଙ୍କ ପାଇଁ ଶୋଭନୀୟ ନୁହେଁ ।