ରୋହିଆ ଉଚ୍ଚ ବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ଉଦଯାପିତ

ଜଗତସିଂହପୁର:ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ରୋହିଆ ସରକାରୀ ଉଚ୍ଚ ବିଦ୍ୟାଳୟର ୩ ଦିନ ବ୍ୟାପୀ ଚାଲିଥିବା ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉଦଯାପିତ ହୋଇଯାଇଛି । ଏହି ଅବସରରେ ଅପରାହ୍ନରେ ଆୟୋଜିତ ସାଧୁସନ୍ଥ ସମ୍ମିଳନୀରେ ମହନ୍ତ ମହାରାଜ ଚିନ୍ତାମଣୀ ପର୍ବତ ଗୋସ୍ୱାମୀ, ମହନ୍ତ ରାମକୃଷ୍ଣ ଦାସ ମହାରାଜ, ପରମହଂସ ପ୍ରଜ୍ଞାନନ୍ଦ ଜୀ, ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ, ବାବା ସତ୍ୟାନନ୍ଦ ଦାସ ମହାରାଜ ପ୍ରମୁଖ ଯୋଗ ଦେଇ ମଣିଷ ଜୀବନରେ ଆଧ୍ୟାତ୍ମିକ ଜ୍ଞାନ ଜାଗ୍ରତ ହେଲେ ସଂସାରରେ ଶାନ୍ତି, ଅହିଂସା ଓ ଏକ ସୁସ୍ଥ ସମାଜ ଗଠନ ସମ୍ଭବ ବୋଲି ମତବ୍ୟକ୍ତ କରିଥିଲେ । ପରେ ସନ୍ଧ୍ୟାରେ ଅନୁଷ୍ଠିତ ଉତ୍ସବରେ ସୁବର୍ଣ୍ଣ ଜୟନ୍ତୀ କମିଟିର ଅଧ୍ୟକ୍ଷ ସଂଜୟ କୁମାର ସାହାଣୀଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ଜଗତସିଂହପୁର ଜିଲ୍ଲା ଶିକ୍ଷାଧିକାରୀ ପ୍ରତିଭା ମଞ୍ଜରୀ ଦାଶ, ନାଉଗାଁ ବ୍ଲକ ଶିକ୍ଷାଧିକାରୀ ମାଗୁଣୀ ଚରଣ ମହାନ୍ତି, ପୁରାତନ ଛାତ୍ର ସଂସଦ ଆବାହକ ଅର୍ଜୁନ ଚରଣ ରାଉତ, ସ୍ମରଣିକା ‘ସ୍ମୃତି ସୁମନ’ର ମୁଖ୍ୟ ସଂପାଦକ ପ୍ରାଧ୍ୟାପକ ହିତେଶ କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ଶିକ୍ଷାନୁଷ୍ଠାନ ଦେଶ ତଥା ଜାତି ପାଇଁ ସେବା କରିବାରେ ପ୍ରକୃଷ୍ଟ ମାଧ୍ୟମ ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ । ସେହିପରି ଦ୍ୱିତୀୟ ଦିନରେ ବିଶିଷ୍ଠ ଶିକ୍ଷାବିତ୍ ପ୍ରଫେସର ଡ.ସୁଲୋଚନା ଦାସ, ପୂର୍ବତନ ସାଂସଦ ତଥା ବିଶିଷ୍ଠ କବି ଡ. ପ୍ରସନ୍ନ ପାଟ୍ଟଶାଣୀ, ନାଉଗାଁ ପଂଚାୟତ ସମିତି ଅଧ୍ୟକ୍ଷ ଜଗନ୍ନାଥ ଦାସ, ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ, ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟର ପୂର୍ବତନ ଟ୍ରଷ୍ଟି ପ୍ରତାପ ମିଶ୍ର ପ୍ରମୁଖ ଯୋଗ ଦେଇ ଶିକ୍ଷାନୁଷ୍ଠାନ ଭଲ ମଣିଷଟିଏ ଗଢିବାରେ ସହାୟକ ହୋଇଥାଏ ବୋଲି ଅତିଥିମାନେ କହିଥିଲେ । ଉକ୍ତ ଉତ୍ସବକୁ ଡ.ଅରୁଣ କୁମାର ରାଉତ, ନିରଞ୍ଜନ ମହାନ୍ତି, ଅକ୍ଷୟ କୁମାର ରାଉତ, ସରପଂଚ ଶିବ ପ୍ରସାଦ ନାୟକ, ପଦ୍ମଚରଣ ରାଉତ,ଶକ୍ତିବାଳା ରାଉତଙ୍କ ସମେତ ସମସ୍ତ ପୁରାତନ ଛାତ୍ରଛାତ୍ରୀ ପରିଚାଳନା କରିଥିଲେ ।